ନୂଆ ମୋଡ଼ରେ ଯୌନ ନିର୍ଯାତନା ମାମଲା

ସୁପ୍ରିମ କୋର୍ଟରେ ହାଜର ହେ‌େଲ ସିବିଆଇ, ଆଇବି ମୁଖ୍ୟ ପୁଣି ସତ୍ୟପାଠ ଦାଖଲ କରିବେ ଆଡଭୋକେଟ୍

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ଏକ ଷଡ଼ଯନ୍ତ୍ର ବୋଲି ଜଣେ ଆଡ଼ଭୋକେଟ୍‌ ସତ୍ୟପାଠ ଦାଖଲ କରିବା ପରେ ଏହି ମାମଲା ଏବେ ନାଟକୀୟ ମୋଡ଼ ନେଇଛି। ଷଡ଼ଯନ୍ତ୍ର କଥା ଶୁଣି ସୁପ୍ରିମ କୋର୍ଟ ଉଦବେଗ ପ୍ରକାଶ କରିବା ସହିତ ଏହା ପଛରେ ରହିଥିବା ଲୋକଙ୍କୁ ଖୋଜି ବ‌ାହାର କରିବା ଲାଗି ସ୍ଥିର କରିଛନ୍ତି। ଏହି ମାମଲାରେ ସହାୟତା କରିବା ଲାଗି ସିବିଆଇ ନିର୍ଦେଶକ, ଆଇବି ମୁଖ୍ୟ ଏବଂ ଦିଲ୍ଲୀ ପୋଲିସ କମିସନର୍‌ଙ୍କୁ ନିର୍ଦେଶ ଦେଇଛନ୍ତି।
ଜଷ୍ଟିସ ଅରୁଣ ମିଶ୍ର, ଆର୍‌ଏଫ୍‌ ନରିମାନ୍‌ ଏବଂ ଦୀପକ ଗୁପ୍ତ‌ାଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏଭଳି ଷଡ଼ଯନ୍ତ୍ରକୁ ନ୍ୟାୟାଳୟର ସ୍ବାଧୀନତା ପାଇଁ ବିପଦ ବୋଲି କହିଛନ୍ତି। ତେଣୁ ଏଭଳି ଏକ ସଂଦେଦନଶୀଳ ମାମଲାରେ ବିଚାରବିମର୍ଶ ପାଇଁ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ହାଜର ହେବାକୁ କହିଥିଲେ। ଏହାପରେ ଅଧିକାରୀମାନେ କୋର୍ଟରେ ହାଜର ‌ହୋଇଥିଲେ। ଏହି ମାମଲା ସହ ସଂପୃକ୍ତ ସମସ୍ତ ଦସ୍ତାବିଜ ଜବତ କରିବାକୁ କୋର୍ଟ ମେସାନଙ୍କୁ ନିର୍ଦେଶ ଦେଇଛନ୍ତି।
ପ୍ରକାଶ ଥାଉକି, ପ୍ରଧାନ ବିଚାରପତି ଗୋଗୋଇଙ୍କ ବିରୋଧରେ ଜଣେ ମହିଳା କର୍ମଚାରୀ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଉତ୍ସବ ‌ବେଂସ ନାମକ ଆଡ଼ଭୋକେଟ୍‌ ଏହା ଏକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରି ସତ୍ୟପାଠ ଦାଖଲ କରିଥିଲେ।ବେସ କହିଥିଲେ, ଗୋଗୋଇଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିବା ପାଇଁ ତାଙ୍କ ବିରୋଧରେ ଏଭଳି ଷଡ଼ଯନ୍ତ୍ର କରାଯାଉଛି। ଏହା ପରେ ସୁପ୍ରିମ କୋର୍ଟ ‌ ‌ବେଂସଙ୍କୁ ତାଙ୍କ ଅଭିଯୋଗର ବିବରଣୀ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ତାଲିକା ଦେବାକୁ ନିର୍ଦେଶ ଦେଇଥିଲେ। ଉକ୍ତ ଷଡ଼ଯନ୍ତ୍ରରେ ଦାଉଦ ଇବ୍ରାହିମର ଜଣେ ଘନିଷ୍ଠ ବ୍ୟକ୍ତି ଏବଂ ଜଣେ ଶିଳ୍ପପତି ଥିବା ‌ବେଂସ ଅଭିଯୋଗ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ବିଚାର ପ୍ରକ୍ରିୟାକୁ ପ୍ରଭାବିତ କରିଥାନ୍ତି ସେମାନଙ୍କ ମଧ୍ୟରୁ ଜଣେ ଏହି ଷଡଯନ୍ତ୍ରରେ ସାମିଲ ଅଛନ୍ତି ବୋଲି ‌ବେଂସଅଭିଯୋଗ କରିଥିଲେ। ଏହି ଶିଳ୍ପପତି ଜଣକ କିଏ ତାହାର ଖୋଳତାଡ଼ ଆରମ୍ଭ ହୋଇଯାଇଛି।
ତେବେ ଏହି ଷଡ଼ଯନ୍ତ୍ର ବିଷୟରେ ଅଧିକ ତଥ୍ୟ ଥିବା ‌ବେଂସ ପ୍ରକାଶ କରିବା ପରେ ସୁପ୍ରିମ କୋର୍ଟ ତାଙ୍କୁ ଗୁରୁବାର ଦିନ ଅନ୍ୟ ଏକ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ମାମଲାର ମୂଳ ପର୍ଯ୍ୟନ୍ତ ଯାଇ ଅନୁସନ୍ଧାନ କରାଯିବ ବୋଲି ସୁପ୍ରିମ କୋର୍ଟର ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର