ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ସରକାରରେ ସାମିଲ ଥିବା ଶିବସେନା ଖୁବ୍‌ଶୀଘ୍ର ସରକାରରୁ ଓହରି ଆସିବାକୁ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଦଳର ବରିଷ୍ଠ ନେତାମାନେ ଦୁଇଦିନ ହେଲା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଲଗାତାର ପ୍ରଶଂସା ଜାରି ରଖିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ଗୋଟିଏ ପଟେ ସରକାରରେ ରହି ଶିବସେନା ଶାସକ ଦଳର ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଅନ୍ୟପଟେ ବିରୋଧୀ ଦଳ ଭଳି ସରକାରଙ୍କ ପ୍ରତ୍ୟେକ ପଦକ୍ଷେପକୁ ବିରୋଧ କରୁଥିବାରୁ ବିଜେପି ସହ ତିକ୍ତତା ଚରମ ସୀମାରେ ପହଞ୍ଚିଛି।

Advertisment

ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଶିବସେନାକୁ ଚେତାବନୀ ଦେଇ କହିଛନ୍ତି ଯେ ଉଭୟ ଶାସକ ଓ ବିରୋଧୀ ଦଳ ଭୂମିକା ନିର୍ବାହ କରିବାକୁ ଚାହୁଥିବା ଶିବସେନାକୁ ମହାରାଷ୍ଟ୍ରର ଜନତା ପସନ୍ଦ କରୁନାହାନ୍ତି। ତେଣୁ ଶିବସେନା ମେଣ୍ଟରେ ରହିବ କି ଛାଡ଼ିବ ସେ ବାବଦରେ ତୁରନ୍ତ ନିଷ୍ପତ୍ତି ନେବା ଆବଶ୍ୟକ। ସରକାରଙ୍କ ପ୍ରତ୍ୟେକ ଭଲ କାର୍ଯ୍ୟକ୍ରମକୁ ଶିବସେନା ବିରୋଧ କରି ନକରାତ୍ମକ ପରିବେଶ ସୃଷ୍ଟି କରିଛି ଏବଂ ମହାରାଷ୍ଟ୍ରର ଜନସାଧାରଣ ଶିବସେନାର ଏଭଳି ଆଚରଣକୁ ନାପସନ୍ଦ କରୁଛନ୍ତି। ଶିବସେନା ନେତାମାନେ କଂଗ୍ରେସ ପ୍ରଶଂସାରେ ମାତିଥିବାରୁ ଏହି ଦଳ ନିଜର ଗତିପଥ ନିର୍ଦ୍ଧାରଣ କରିବା ଉଚିତ ଏବଂ ଏଭଳି ମେଣ୍ଟ ବିଜେପି କେବେ ଚାହେନାହିଁ ବୋଲି ସେ କହିଛନ୍ତି। କଂଗ୍ରେସ ନେତା ସଂଜୟ ରାଉତ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରି ଏବେ ସେ ଦେଶର ନେତୃତ୍ୱ ନେବାପାଇଁ ସମର୍ଥ ବୋଲି କହିଛନ୍ତି। ଗୁଜରାଟର ଭୋଟର ରାହୁଲଙ୍କୁ ବହୁତ ପସନ୍ଦ କରିଛନ୍ତି ବୋଲି ରାଉତ କହିବା ପରେ ବିଜେପି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି । କଂଗ୍ରେସ ସହ ଶିବସେନା ହାତ ମିଳାଇଲେ ରାଜ୍ୟନୀତିରେ ନୂଆ ସମୀକରଣ ସୃଷ୍ଟି ହେବ ।