ହାଇଦ୍ରାବାଦ୍: ପୂର୍ବତନ ତେଲେଙ୍ଗାନା ସିଏମ ଚନ୍ଦ୍ରଶେଖର ରାଓ ବିଆରଏସ ବିଧାୟକଙ୍କ ଘୋଡାବେପାର କାରବାର ମାମଲାକୁ ବିଜେପି ବିରୋଧରେ ବ୍ୟବହାର କରିବାକୁ ଚାହୁଁଥିଲେ। ତାଙ୍କ ଝିଅ କେ.କବିତାଙ୍କୁ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଆଶ୍ବସ୍ତି ପାଇଁ ବିଜେପି ସହିତ କେସିଆର ଏହା ଦ୍ବାରା ଆପୋଷ ବୁଝାମଣା କରିପାରିବେ।

Advertisment

ଫୋନ୍ ଟ୍ୟାପିଂ ମାମଲାରେ ଗିରଫ ହୋଇଥିବା ଜଣେ ପୂର୍ବତନ ପୋଲିସ ଅଧିକାରୀ ଏହାକୁ ସ୍ବୀକାର କରିଛନ୍ତି। ପୂର୍ବତନ ଡେପୁଟି କମିଶନର ରାଧାକୃଷ୍ଣ ରାଓ ତାଙ୍କ ସ୍ୱୀକାରୋକ୍ତିରେ ଏହା କହିଛନ୍ତି। ଫୋନ୍ ଟ୍ୟାପିଂ ମାମଲାରେ ରାଧାକୃଷ୍ଣ ରାଓ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ। ଏହାଦ୍ବାରା ଏବେ ଫୋନ୍ ଟ୍ୟାପିଂ ମାମଲାରେ ଏକ ନୂଆ ମୋଡ଼ ଆସିଛି। ଏହା କେସିଆରଙ୍କ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍ କରିଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ରାଓ କହିଛନ୍ତି ଯେ 'ପେଦ୍ଦାୱାନା (ବିଆରଏସ ମୁଖ୍ୟ ତଥା ପୂର୍ବତନ ସିଏମ କେସିଆର ପାଇଁ ବ୍ୟବହୃତ ନାମ) ବିଆରଏସ ବିଧାୟକଙ୍କ ଘୋଡ଼ାବେପାର ମାମଲାରେ ବିଜେପି ସଂଗଠନର ଜାତୀୟ ସାଧାରଣ ସମ୍ପାଦକ ବି.ଏଲ୍ ସାନ୍ତୋଷଙ୍କୁ ଗିରଫ କରିବାକୁ ଚାହୁଁଥିଲେ। ଏଥିପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଥିଲା।

କେ.ସି.ଆର ଚାହୁଁଥିିଲେ ବି.ଏଲ୍ ସନ୍ତୋଷଙ୍କୁ ଗିରଫ କରାଗଲେ ବିଜେପି ସହିତ ଏକ ବୁଝାମଣା ହୋଇପାରିବ। ଯେଉଁଥିରେ ରାଓ କେ.କବିତାଙ୍କୁ ଇଡି ଯାଞ୍ଚ୍‌ରୁ ମୁକ୍ତି କରିବାକୁ ଚାହୁଁଥିଲେ। କିନ୍ତୁ କିଛି ପୋଲିସ ଅଧିକାରୀଙ୍କ ଅକ୍ଷମତା କାରଣରୁ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ପୁଲିସ୍ ଧରିପାରୁ ନଥିଲା, ପରେ ଏହି ମାମଲା ହାଇକୋର୍ଟକୁ ଯାଇଥିଲା। ହାଇକୋର୍ଟ ଗିରଫକୁ ସ୍ଥଗିତ ରଖିଥିଲେ। ଏହା ପରେ ଏସଆଇଟିର ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।

ବିଜେପି ନେତାଙ୍କୁ ଗିରଫ କରିବା ପାଇଁ ପ୍ରସ୍ତୁତି ଚାଲିଥିଲା। ତେବେ ଯେତେବେଳେ ଆଶା ଅନୁସାରେ କାମ ହୋଇ ନଥିଲା ସେତେବେଳେ କେସିଆର ବିରକ୍ତ ହୋଇଥିଲେ ବୋଲି ରାଧାକୃଷ୍ଣ ରାଓ କହିଛନ୍ତି।

ପୂର୍ବତନ ଡିସିପି ରାଧାକୃଷ୍ଣ ରାଓଙ୍କୁ ଗତ ମାର୍ଚ୍ଚରେ ଗିରଫ କରାଯାଇଥିଲା। ଫୋନ୍ ଟ୍ୟାପିଂ ମାମଲାରେ ଏହି ଗିରଫଦାରୀ କରାଯାଇଥିଲା। ସେ ଏହି ମାମଲା ସହ ଜଡିତ କିଛି କମ୍ପ୍ୟୁଟର ସିଷ୍ଟମ ଏବଂ ସରକାରୀ ତଥ୍ୟ ନଷ୍ଟ କରିଥିବା ଅଭିଯୋଗ ହୋଇଥିଲା। ତେବେ ବିଆରଏସ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା।

୨୬ ଅକ୍ଟୋବର ୨୦୨୦୨ରେ ବିଆରଏସ ବିଧାୟକଙ୍କ ଘୋଡାବେପାର କାରବାରର ପ୍ରସଙ୍ଗ ଅଭିଯୋଗ ଅନୁଯାୟୀ, ବିଆରଏସ ବିଧାୟକଙ୍କୁ ପ୍ରତ୍ୟେକଙ୍କୁ ୧୦୦ କୋଟି ଟଙ୍କା ପ୍ରଦାନ କରାଯିବାର ଯୋଜନା ଥିଲା। ଅଭିଯୋଗକାରୀ ବିଆରଏସ ବିଧାୟକ ଏହା ମଧ୍ୟ କହିଛନ୍ତି ଯେ ଶାସକ ଦଳର ଅନ୍ୟ ବିଧାୟକଙ୍କୁ ମଧ୍ୟ ବିଜେପି ଶିବିରକୁ ଆସିବା ପାଇଁ ପ୍ରତ୍ୟେକଙ୍କୁ ୫୦ କୋଟି ଟଙ୍କା ପ୍ରଦାନ କରାଯିବାର ଯୋଜନା କରାଯାଇଥିଲା।

ଏହି ମାମଲାରେ ପୁଲିସ୍ ତିନି ଅଭିଯୁକ୍ତ ରାମଚନ୍ଦ୍ର ଭାରତୀ ଓରଫ ସତୀଶ ଶର୍ମା, ନନ୍ଦୁ କୁମାର ଏବଂ ସିମହାଜୀ ସ୍ବାମୀଙ୍କୁ ଗିରଫ କରିଥିଲା। ତେବେ ଏହି ତିନିଜଣଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା। ପରେ ହାଇକୋର୍ଟ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ବର୍ତ୍ତମାନର ସିଏମ୍ ରେୱନ୍ତ ରେଡ୍ଡୀଙ୍କ ସମେତ ବହୁ ବିଜେପି ନେତାଙ୍କ ଫୋନ୍ ମଧ୍ୟ ଟ୍ୟାପିଂ କରାଯାଇଥିଲା। ବର୍ତ୍ତମାନ କଂଗ୍ରେସ ସରକାର ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହା ପରେ ପୂର୍ବତନ ପୋଲିସ ଅଧିକାରୀ ରାଧାକୃଷ୍ଣ ରାଓଙ୍କୁ ଗିରଫ କରାଯାଇଛି।