କିବ୍‌: ରୁଷ୍‌ ସହ ଚାଲିଥିବା ସଂଘର୍ଷରେ ବିରାମ ଦେବାପାଇଁ ଆଜି ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନସ୍କି କହିଛନ୍ତି ଯେ ଆମେ ରୁଷ୍‌ ସହ ଆଲୋଚନା କରିବା ପାଇଁ ଏବଂ  ଅଧିକୃତ ୟୁକ୍ରେନ୍‌ ଅଞ୍ଚଳକୁ ରୁଷ୍‌କୁ ଛାଡ଼ିଦେବା ପାଇଁ ପ୍ରସ୍ତୁତ ଅଛୁ। ତେବେ ଏଥିପାଇଁ  ଆମର କିଛି ସର୍ତ୍ତ ରୁଷ୍‌କୁ ଗ୍ରହଣ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।  ଜେଲେନସ୍କିଙ୍କ ଏହି ଘୋଷଣା ରୁଷ୍‌-ୟୁକ୍ରେନ୍‌ ରକ୍ତାକ୍ତ ସଂଘର୍ଷର ଗତିପଥ ବଦଳାଇ ଦେଇପାରେ ବୋଲି କୁହାଯାଉଛି।   ଜେଲେନସ୍କି କହିଛନ୍ତି ଯେ ଶାନ୍ତି ପ୍ରତିଷ୍ଠା ପାଇଁ ସେ ଅଧିକୃତ ୟୁକ୍ରେନ ଅଞ୍ଚଳକୁ ରୁଷିଆକୁ ହସ୍ତାନ୍ତର କରିବାକୁ ପଛଘୁଞ୍ଚା ଦେବେନାହିଁ। ବ୍ରିଟେନର ଦୈନିକ  ଖବରକାଗଜ ‘ଦ ଟେଲିଗ୍ରାଫ୍’କୁ ଜେଲେନସ୍କି କହିଛନ୍ତି, ଆମେ ନିଜ ଦେଶର ଅଧିକୃତ ଜମି  କେବଳ  ‘ନାଟୋ’ର ଛତ୍ରଛାୟା  ଅଧୀନରେ ହିଁ ହସ୍ତାନ୍ତର କରିବୁ।  ନାଟୋ ମାଧ୍ୟମରେ ଏହି ଚୁକ୍ତି ସଂପାଦନ ହେଲେ ଆମେ ନିଜ ଅଂଚଳ ଅସ୍ଥାୟୀ ଭାବେ ଛାଡ଼ିଦେବୁ। ଯଦି  ରୁଷ୍‌ ଏହାକୁ ଗ୍ରହଣ କରିବ ତା’ହେଲେ ଆମେ ଅଧିକୃତ ଅଂଚଳ ରୁଷ୍‌କୁ ଛାଡ଼ିବୁ ବୋଲି ସେ କହିଛନ୍ତି। ୨୦୨୨ ପ୍ରାରମ୍ଭରେ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଜେଲେନସ୍କି ଅଧିକୃତ ଅଂଚଳ ରୁଷ୍‌କୁ ଛାଡ଼ିଦେବା ପାଇଁ କହିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। 

Advertisment

ଅଧିକୃତ ଅଞ୍ଚଳ ରୁଷିଆକୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତ: ଜେଲେନସ୍କି

ୟୁକ୍ରେନ୍‌ ରାଷ୍ଟ୍ରପତି ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ ୟୁକ୍ରେନ୍‌ ଅଞ୍ଚଳକୁ ରୁଷିଆକୁ ହସ୍ତାନ୍ତର କରିବା ପ୍ରକ୍ରିୟା ଅସ୍ଥାୟୀ  ହେବ ଏବଂ ଅସ୍ତ୍ରବିରତି ଚୁକ୍ତି ହେବା ପରେ ନାଟୋ ସହାୟତାରେ ୟୁକ୍ରେନ୍ ପରବର୍ତ୍ତୀ ସମୟରେ ‘କୂଟନୈତିକ’ ପ୍ରକ୍ରିୟାରେ ନିଜ ଅଞ୍ଚଳକୁ ଫେରାଇ ଆଣିବା ପାଇଁ ଆଲୋଚନା କରିପାରିବ। ତେବେ  ବର୍ତ୍ତମାନ ସମୟରେ ଯୁଦ୍ଧ ଶେଷ କରିବା ଏବଂ ଶାନ୍ତି ହାସଲ କରିବା ଜରୁରୀ  ବୋଲି ସେ କହିଛନ୍ତି।