ତିଆନ୍‌ଜିନ୍‌: ଭାରତ ଓ ଚୀନ୍‌ ଆଜି ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରି ମିଳିତ ରଣନୀତିରେ କାମ କରିବା ପାଇଁ ସହମତି ପ୍ରକାଶ କରିବା ପରେ ବହୁମୁଖୀ ବିଶ୍ବ ବ୍ୟବସ୍ଥା ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ଭାରତ ବିରୋଧରେ  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା କଠୋର ଶୁଳ୍କ ନୀତିକୁ ମୁକାବିଲା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଶକ୍ତିଶାଳୀ ବାର୍ତ୍ତା ଆଗାମୀ ଦିନରେ ନୂଆ ବୈଶ୍ବିକ ସମୀକରଣ ପାଇଁ ରାସ୍ତା ଖୋଲିଦେଇଛି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଚୀନ୍‌ର ତିଆନ୍‌ଜିନ୍‌ରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀରେ ଯୋଗଦେବା  ଅବସରରେ  ରାଷ୍ଟ୍ରପତି ସି ଜିନପିଙ୍ଗ ସହ ଦ୍ୱିପାକ୍ଷିକ ଆଲୋଚନା କରି  ଭାରତ-ଚୀନ୍‌ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଆରମ୍ଭର ସୂଚନା ଦେଇଛନ୍ତି।
ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆମେରିକାର ନୂଆ ଶୁଳ୍କ ନୀତିକୁ ମୁକାବିଲା କରିବା। ଟ୍ରମ୍ପ ପ୍ରଶାସନ ଭାରତୀୟ ଉତ୍ପାଦ ଉପରେ ୫୦% ଶୁଳ୍କ ଲଗାଇଛି, ଯାହା ଭାରତର ରୁଷିଆରୁ ତୈଳ କ୍ରୟ ନୀତିକୁ ଟାର୍ଗେଟ କରିଛି। ଏହି ଶୁଳ୍କ ଭାରତର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି। ଏହି ପରିପ୍ରେକ୍ଷୀରେ, ଭାରତ ଓ ଚୀନ୍‌ ଏକତ୍ରିତ ହୋଇ ଏକ ସମନ୍ୱିତ ରଣନୀତି ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାକୁ ଅନେକ ‘ହାତୀ ଓ ଡ୍ରାଗନର ନୃତ୍ୟ’ ବୋଲି ଅଭିହିତ କରିଛନ୍ତି।

ଏସିଆର ରାଜନୀତି ଓ ଅର୍ଥନୀତିରେ ବଡ଼ ପରିବର୍ତ୍ତନ ସଙ୍କେତ

Advertisment

ଚୀନ୍‌ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି ଏହି ବୈଠକ ପୂର୍ବରୁ ଭାରତ ସହିତ ସହମତି ଓ ସହଯୋଗର ଏକ ନୂଆ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ଉପରେ ଜୋର୍‌ ଦେଇଥିଲେ। ଏହି ସମ୍ମିଳନୀରେ ମୋଦୀ ଓ ଜିନପିଙ୍ଗ ଉଭୟ ଦେଶର ମଧ୍ୟରେ ବାଣିଜ୍ୟ, ସୁରକ୍ଷା ଓ ଅର୍ଥନୈତିକ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଆଲୋଚନା କରିଛନ୍ତି। ଏହା ସହିତ ଉଭୟ ନେତା ଆମେରିକାର ଏକପାଖିଆ ଶୁଳ୍କ ନୀତିର ପ୍ରଭାବକୁ ହ୍ରାସ କରିବା ପାଇଁ ଏକ ମିଳିତ ରଣନୀତି ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଘଟଣା ବିଶ୍ୱ ରାଜନୀତିରେ ଏକ ନୂଆ ମୋଡ଼ ଆଣିଥିବାରୁ ଆଗକୁ ଭାରତ ବିରୋଧରେ ଟ୍ରମ୍ପ ପ୍ରଶାସନ ଅଧିକ ଆକ୍ରମଣାତ୍ମକ ହେବା ଆଶଙ୍କା ରହିଛି। ଭାରତ ଓ ଚୀନ୍‌ର ଏକତା କେବଳ ଆମେରିକାର ଶୁଳ୍କ ନୀତିକୁ ମୁକାବିଲା କରିବା ପାଇଁ ନୁହେଁ, ବରଂ ଏସିଆ ମହାଦେଶରେ ଏକ ଶକ୍ତିଶାଳୀ ଅର୍ଥନୈତିକ ଓ ରାଜନୈତିକ ମେଣ୍ଟ ଗଠନ କରିବା ପାଇଁ ମଧ୍ୟ ଏକ ପଦକ୍ଷେପ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହି ସହଯୋଗ ଭାରତ-ଚୀନ୍‌ ସୀମା ବିବାଦ ଓ ଅନ୍ୟାନ୍ୟ ଐତିହାସିକ ମତଭେଦକୁ ଦୂର କରି ଏକ ନୂଆ ସମ୍ପର୍କର ସୂଚନା ଦେଉଛି।

ଏସ୍‌ସିଓ ଶିଖର ସମ୍ମିଳନୀରେ ଉଭୟ ଦେଶ ଅନ୍ୟ ସଦସ୍ୟ ରାଷ୍ଟ୍ରମାନଙ୍କ ସହିତ ମଧ୍ୟ ବାଣିଜ୍ୟ ଓ ସୁରକ୍ଷା ସମ୍ପର୍କିତ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି। ଏହି ବୈଠକରେ ରୁଷ୍‌ ସହିତ ଭାରତର ବାଣିଜ୍ୟ ସମ୍ପର୍କ ମଧ୍ୟ ଆଲୋଚନାର ବିଷୟ ହୋଇଛି, ଯାହା ଆମେରିକାର ଶୁଳ୍କ ନୀତିର ଏକ ପ୍ରମୁଖ କାରଣ ହୋଇଛି।  ଭାରତ ଓ ଚୀନ୍‌ର ଏହି ମିଳିତ ପ୍ରୟାସ ଟ୍ରମ୍ପଙ୍କ ଦମନକାରୀ ନୀତିକୁ ଏକ ଶକ୍ତିଶାଳୀ ଜବାବ ହୋଇଥିବା ବେଳେ ଏହାକୁ ନେଇ ଆମେରିକାରେ ହଇଚଇ ସୃଷ୍ଟି ହୋଇଛି।