ନୂଆଦିଲ୍ଲୀ : ରାଫେଲ୍ ଯୁଦ୍ଧ ବିମାନ ମୂଲ୍ୟକୁ ନେଇ ସିଏଜି ରିପୋର୍ଟ ବାବଦରେ ପିଏସି କୌଣସି ସମୀକ୍ଷା କିମ୍ବା ଅନୁମୋଦନ କରିନାହିଁ ବୋଲି ପବ୍ଲିକ୍ ଆକାଉଣ୍ଟ୍ସ କମିଟି (ପିଏସି) ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି। ସରକାର ଏହି ମାମଲାରେ ସୁପ୍ରିମକୋର୍ଟଙ୍କୁ ଭୁଲ୍ ତଥ୍ୟ ଦେଇଥିବାରୁ ଏଥିପାଇଁ ସିଏଜିକୁ ତଲବ୍ କରାଯିବ ବୋଲି ସେ କହିଛନ୍ତି। ଫଳରେ ରାଫେଲ ବିବାଦ ଏେବ ନୂଆମୋଡ଼ ନେଇଛି। ଅନ୍ୟ ପକ୍ଷରେ ସୁପ୍ରିମକୋର୍ଟ ସରକାରଙ୍କ ପ୍ରଦତ୍ତ ମୂଲ୍ୟ ବାବଦ ଦଲିଲ୍କୁ ନେଇ ଦେଇଥିବା ରାୟରେ ଯେଉଁ ବ୍ୟାଖ୍ୟା କରିଛନ୍ତି ସେଥିରେ ତ୍ରୁଟି ଥିବା ଦର୍ଶାଇ ସରକାରଙ୍କ ପକ୍ଷରୁ ତଥ୍ୟ ସଂଶୋଧନ ନିମନ୍ତେ କୋର୍ଟରେ ଆବେଦନ କରାଯାଇଛି। ସରକାର ବନ୍ଦ ଲଫାପାରେ ଯେଉଁ ତଥ୍ୟ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିଥିଲେ ସେଥିରେ ଜେପିସି ଏବଂ ପିଏସି ନେଇ କୋର୍ଟ ରାୟରେ ଭୁଲ୍ ବ୍ୟାଖ୍ୟା ହୋଇଛି। ଏଥିରେ ସଂଶୋଧନ ଆଣି ଯଥାଶୀଘ୍ର ବିବାଦର ଅବସାନ ଘଟାଇବାକୁ ସରକାର ଗୁରୁତ୍ବାରୋପ କରିଛନ୍ତି। ସୁପ୍ରିମକୋର୍ଟ ଗତକାଲି ଦେଇଥିବା ରାଫେଲ୍ ରାୟର ୨୫ତମ ଅନୁଚ୍ଛେଦରେ ଦର୍ଶାଇଥିଲେ- ରାଫେଲ୍ ଯୁଦ୍ଧ ବିମାନର ମୂଲ୍ୟ ବାବଦରେ ମହା ଲେଖାପାଳ (ସିଏଜି) ଙ୍କୁ ସରକାର ତଥ୍ୟ ପ୍ରଦାନ କରିଥିଲେ ଏବଂ ଏ ବାବଦରେ ସିଏଜି ରିପୋର୍ଟକୁ ପିଏସି ତର୍ଜମା କରିଛି। କେନ୍ଦ୍ର ସରକାର ରାଫେଲ୍ର ମୂଲ୍ୟ ନେଇ ସଂସଦରେ ଆଦୌ ବିସ୍ତୃତ ଆଲୋଚନା କରିନାହାନ୍ତି, କିନ୍ତୁ ମୂଲ୍ୟ ବାବଦରେ ସିଏଜିଙ୍କୁ ତଥ୍ୟ ପ୍ରଦାନ କରାଯାଇଥିବା ରାୟରେ ଉଲ୍ଲେଖ ରହିଛି। ତେବେ ସରକାର ସିଏଜି ଏବଂ ପିଏସି ବାବଦରେ ସୁପ୍ରିମକୋର୍ଟଙ୍କ ବ୍ୟାଖ୍ୟାରେ ତ୍ରୁଟି ଥିବା ଦର୍ଶାଇ ଏଥିରେ ସଂଶୋଧନ କରାଯିବାକୁ ଆବେଦନ କରିଛନ୍ତି। କୋର୍ଟ ରାୟରେ ଉଲ୍ଲେଖ ତଥ୍ୟକୁ ବିରୋଧ କରି ପିଏସି ଅଧ୍ୟକ୍ଷ ଖଡ଼ଗେ କହିଛନ୍ତି ରାଫେଲ୍ ମୂଲ୍ୟ ବାବଦରେ ସିଏଜିଙ୍କ କୌଣସି ରିପୋର୍ଟ ଉପସ୍ଥାପିତ ହୋଇନାହିଁ। ତେଣୁ ଏଟର୍ଣ୍ଣି ଜେନେରାଲ୍ଙ୍କୁ ମଧ୍ୟ ଏ ବାବଦରେ ସବିଶେଷ ତଥ୍ୟ ତୁରନ୍ତ ଦେବାକୁ ହେବ ବୋଲି ସେ କହିଛନ୍ତି। ସରକାରଙ୍କ ଏଭଳି ବିଭ୍ରାନ୍ତି ଯୋଗୁଁ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଜେପିସି ତଦନ୍ତ ଦାବି କରିବା ଯଥାର୍ଥ ବୋଲି ସେ କହିଛନ୍ତି।
ସରକାରଙ୍କୁ କଂଗ୍ରେସର ପ୍ରଶ୍ନ, ବିନା ତଦନ୍ତରେ କ୍ଲିନ୍ଚିଟ୍ କେମିତି?
ନୂଆଦିଲ୍ଲୀ : ରାଫେଲ୍ ମାମଲାରେ ସୁପ୍ରିମକୋର୍ଟ ରାୟର ଦିନକ ପରେ ଆଜି କଂଗ୍ରେସ ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି। ରାଫେଲ୍ ସଂକ୍ରାନ୍ତ ଅଭିଯୋଗ ନେଇ କୌଣସି ତଦନ୍ତ ହୋଇନଥିବାବେଳେ ସରକାରଙ୍କୁ କ୍ଲିନଚିଟ୍ କେମିତି ମିଳିଲା ବୋଲି ବରିଷ୍ଠ କଂଗ୍ରେସ ନେତା କପିଲ୍ ସିବଲ ପ୍ରଶ୍ନ କରିଛନ୍ତି। ସରକାର କ୍ଲିନଚିଟ୍ ମିଳିଥିବା ଦାବି କରିବା ଭୁଲ୍ ବୋଲି ସେ କହିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ କୌଣସି ଫାଇଲ୍ ତର୍ଜମା କରିନାହାନ୍ତି ଏବଂ ସରକାର କେବଳ ନିଜ ପକ୍ଷର ତଥ୍ୟ ଦାଖଲ କରିଥିବାରୁ କ୍ଲିନଚିଟ୍ ମିଳିଛି ବୋଲି କହିବା ଅପରିପକ୍ବତାର ପରିଚୟ ବୋଲି ସେ କହିଛନ୍ତି। ଏହାର ଜବାବରେ ବିଜେପିର ଜାତୀୟ ମୁଖପାତ୍ର ଜିଭିଏଲ୍ ନରସିଂହ ରାଓ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ବିଶ୍ବସନୀୟତା ଉପରେ କଂଗ୍ରେସ ପ୍ରଶ୍ନବାଚୀ ଉଠାଇ ବିଭ୍ରାନ୍ତି ସୃଷ୍ଟି କରିବାକୁ ଚାହୁଛି। ରାଫେଲ୍ ଚୁକ୍ତି ନେଇ ସବୁ କିଛି ସ୍ପଷ୍ଟ ହୋଇଯିବା ପରେ ବି କଂଗ୍ରେସ ଏହି ମାମଲାରେ ଶସ୍ତା ରାଜନୈତିକ ସ୍ବାର୍ଥ ଚାହିଁବା ଘୋର୍ ନିନ୍ଦନୀୟ ବୋଲି ଜିଭିଏଲ୍ କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ପାକିସ୍ତାନୀ ଆତଙ୍କବାଦୀ ହାଫିଜ୍ ସୟିଦ ଉପରେ ବିଶ୍ବାସ ରହିଛି କିନ୍ତୁ ଭାରତୀୟ ବାୟୁସେନା ଉପରେ ତାଙ୍କର ବିଶ୍ବାସ ନାହିଁ ବୋଲି ସେ କହିଛନ୍ତି। କଂଗ୍ରେସ ନେତା ସିବଲ୍ ଆଜି ତାଙ୍କ ଯୁକ୍ତିରେ କହିଛନ୍ତି, କୋର୍ଟ ଏହି ମାମଲାରେ ନିଜର ସୀମିତ ଅଧିକାରକୁ ଦର୍ଶାଇଛନ୍ତି ଏବଂ ସରକାର ଏଥିରୁ ଫାଇଦା ଉଠାଇବାକୁ ଚେଷ୍ଟା ନକରିବା ଉଚିତ୍। ତେବେ ରାଫେଲ୍ର ମୂଲ୍ୟ, କ୍ରୟପ୍ରକ୍ରିୟା, ବୈଷୟିକ ବୈଶିଷ୍ଟ୍ୟ ଏବଂ ଅଫସେଟ୍ ପାର୍ଟନର ଚୟନ ନେଇ କୋର୍ଟ କୌଣସି ପ୍ରଶ୍ନ ଉଠାଇନଥିବା ଏବଂ ମାମଲାରେ ତଦନ୍ତର ଆବଶ୍ୟକତା ନଥିବା ଦର୍ଶାଇଥିବାରୁ ବିଜେପି ଏବେ ଏହି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକୁ ଘେରିବାକୁ ଦେଶ ବ୍ୟାପୀ ଅଭିଯାନ ଆରମ୍ଭ କରିବ ବୋଲି ଜଣାପଡ଼ିଛି। ଆଜି ଦିଲ୍ଲୀରେ ବିଜେପି ପକ୍ଷରୁ କଂଗ୍ରେସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାହୁଲ ଗାନ୍ଧୀ ରାଫେଲ୍ ପ୍ରସଙ୍ଗରେ ଦେଶବାସୀଙ୍କୁ ବିଭ୍ରାନ୍ତ କରିଥିବାରୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରାଯାଇଛି।