ଆଗକୁ ଆହୁରି ଘାତକ ପ୍ରଜାତିର କରୋନା ଭୁତାଣୁ ଆସିପାରେ, ସତର୍କ କରାଇଲେ ବୈଜ୍ଞାନିକ

ନୂଆଦିଲ୍ଲୀ : କରୋନାର ନୂଆ ଭାରିଆଣ୍ଟ ବା ପ୍ରଜାତି ସମଗ୍ର ବିଶ୍ବରେ ଏବେ ସଂକ୍ରମଣକୁ ବଢାଇଚାଲିଛି । ଭାରତରେ ପୁଣି ଦୈନିକ ସଂକ୍ରମଣ ଏକ ଲକ୍ଷ ଟପିଯାଇଛି । ତେବେ ଆଶ୍ବସ୍ତିର କଥା ହେଉଛି ଡେଲଟା ତୁଳନାରେ ଓମିକ୍ରମ ଲୋକମାନଙ୍କୁ ସେତେଟା ଗୁରୁତର କରୁନାହିଁ । କିନ୍ତୁ ଜଣେ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ଭୁତାଣୁ ବିଶେଷଜ୍ଞ କେତେକ ଡରାଇବା ଭଳି କଥା କହିଛନ୍ତି ।

ଲଣ୍ଡନର କେମ୍ବ୍ରିଜ ଇନଷ୍ଟିଚ୍ୟୁଟର କ୍ଲିନିକାଲ ମାଇକ୍ରୋବାୟୋଲୋଜୀ ପ୍ରଫେସର ରବୀନ୍ଦ୍ର ଗୁପ୍ତା କହିଛନ୍ତି ଯେ ବିବର୍ତ୍ତନର ଭୁଲ ଯୋଗୁଁ ଓମିକ୍ରନ ପ୍ରଜାତି ସୃଷ୍ଟି ହୋଇଛି । ଏହା କମ ଗୁରୁତର ବୋଲି କୁହାଯାଉଛି । ଏହା ଫୁସଫୁସକୁ କମ ଆକ୍ରାନ୍ତ କରୁଛି । କିନ୍ତୁ ଆଗକୁ ଯେ ଓମିକ୍ରନ ଏହିପରି ରହିବ ତାହା କୁହାଯାଇପାରିବ ନାହିଁ । ଆଗକୁ ଆହୁରି ଭୟାନକ ପ୍ରଜାତି ସୃଷ୍ଟି ହେବାର ଆଶଙ୍କା ରହିଛି ।

ସେ କହିଛନ୍ତି ଯେ ସମସ୍ତଙ୍କୁ ଓମିକ୍ରନ ହେଲେ ଆଣ୍ଟିବଡ଼ି ସୃଷ୍ଟି ହେବ ଓ କରୋନା ଚାଲିଯିବ ବୋଲି ଯେଉଁ କଳ୍ପନା କରାଯାଉଛି, ତାହା ଭୁଲ ପ୍ରମାଣିତ ହୋଇପାରେ । କାରଣ ଆଗକୁ ଏହି ଭୁତାଣୁ ନିଜକୁ ପରିବର୍ତ୍ତିତ କରିବାର ସମ୍ଭାବନା ରହିଛି । ଏହି ନୂଆ ପ୍ରଜାତିର ଭୁତାଣୁ ଅଧିକ ସଂକ୍ରାମକ ଓ ଗୁରୁତର ହେବାର ଆଶଙ୍କା ଅଧିକ । ଏଣୁ ଆମକୁ ଟିକାକରଣ ଉପରେ ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ ।

 

ସମ୍ବନ୍ଧିତ ଖବର