ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଦ୍ରୁତଗତିରେ ମାଡ଼ି ଚାଲିଛି। କରୋନାର ଏହି ନୂଆ ସଂକ୍ରମଣ ପ୍ରଥମ କରୋନା ସଂକ୍ରମଣଠାରୁ ବହୁ ମାରାତ୍ମକ ବୋଲି କୁହାଯାଉଛି। କାରଣ ଆର-ଟିପିସିଆର ପରୀକ୍ଷା ଦ୍ବାରା ବି ଏହି ସଂକ୍ରମଣ ଚିହ୍ନଟ ହୋଇପାରୁ ନାହିଁ।
ଦିଲ୍ଲୀର ଅନେକ ହସ୍ପିଟାଲ ମୁତାବକ, ତାଙ୍କ ପାଖକୁ ଏମିତି ଅନେକ ରୋଗୀ ଆସୁଛନ୍ତି ଯାହାଙ୍କ ଶରୀରରେ କରୋନା ଲକ୍ଷଣ ତ ଦେଖାଯାଉଛି କିନ୍ତୁ ପରୀକ୍ଷା ରିପୋର୍ଟ ନେଗେଟିଭ ଆସୁଛି। ଆଉ ରୋଗୀଙ୍କୁ କୋଭିଡ ହସ୍ପିଟାଲ ବଦଳରେ ସାଧାରଣ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଆଉ ଏଥିରୁ କରୋନା ସଂକ୍ରମଣ ଅଧିକ ହେଉଥିବା ସନ୍ଦେହ କରାଯାଉଛି।
ଆକାଶ ହେଲ୍ଥ କେୟାରର ନିର୍ଦେଶକ ଡାକ୍ତର ଆଶିଷ ଚୌଧୁରୀଙ୍କ କହିବାନୁସାରେ, ଆମ ପାଖକୁ ଗତ କିଛିଦିନ ହେବ ଏମିତି ରୋଗୀ ଆସୁଛନ୍ତି ଯାହାଙ୍କୁ ଜ୍ବର ହେବା ସହିତ ନିଶ୍ବାସ ନେବାରେ ଅସୁବିଧା ହେଉଛି। ଏହା କରୋନାର ପ୍ରଥମ ଲକ୍ଷଣ। ସେହିପରି ସିଟି ସ୍କାନ କରିବା ପରେ ହୃତପିଣ୍ଡରେ ହାଲୁକା ସବୁଜ ରଙ୍ଗର ଏକ ଦାଗ ଦେଖିବାକୁ ମିଳୁଛି। ଏହା କରୋନାର ଜଣାଶୁଣା ଲକ୍ଷଣ ବୋଲି କୁହାଯାଇଥାଏ। କିନ୍ତୁ ଏସବୁ ଲକ୍ଷଣ ରୋଗୀଙ୍କ ଶରୀରରେ ଦେଖାଯାଉଥିବା ସତ୍ତ୍ବେ ରିପୋର୍ଟ ନେଗେଟିଭ ଆସୁଛି।
ଇନଷ୍ଟିଚ୍ୟୁଟ ଅଫ ଲିଭର ଆଣ୍ଡ ବାୟଲରି ସାଇନ୍ସସେସରେ କ୍ଲିନିକାଲ ମାଇକ୍ରୋବାୟୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ପ୍ରତିଭା କାଲେଙ୍କ କହିବାନୁସାରେ, ଏହି ଭାଇରସ ନାକ ଓ ଗଳାରେ ନୂଆ ଘର ତିଆରି କରିଥିବା ସନ୍ଦେହ କରାଯାଉଛି। ଯେଉଁ କାରଣରୁ ସ୍ବାବ ସ୍ୟାମ୍ପଲରୁ ଭାଇରସକୁ ଚିହ୍ନଟ କରାଯାଇ ପାରୁ ନାହିଁ।