ବେଙ୍ଗାଲୁରୁ : ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠର ଏକ ନୂଆ ଭିଡିଓ ପଠାଇଛି । ଏହି ଭିଡିଓଟି ଗତ ଅଗଷ୍ଟ ୧୫ରେ ଉଠାଯାଇଥିଲା । ଚନ୍ଦ୍ରଯାନ-୩ରେ ଲାଗିଥିବା ଲାଣ୍ଡର ପୋଜିସନ ଡିଟେକ୍ସନ କ୍ୟାମେରା (ଏଲପିଡିସି) ଏହି ଭିଡିଓ ଉଠାଇଥିବା ଇସ୍ରୋ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।

Advertisment

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ, ଚନ୍ଦ୍ରଯାନ-୩ର ପ୍ରୋପଲସନ୍ ମଡ୍ୟୁଲରୁ ଅଲଗା ହେବା ପରେ ଲ୍ୟାଣ୍ଡର (ବିକ୍ରମ ଲ୍ୟାଣ୍ଡର) ନିଜେ ଆଗକୁ ବଢ଼ୁଛି । ଶୁକ୍ରବାର ଲ୍ୟାଣ୍ଡର ମଡ୍ୟୁଲ୍ ଡିବଷ୍ଟିଂ ଦେଇ ଚନ୍ଦ୍ରର ସାମାନ୍ୟ ନିମ୍ନ କକ୍ଷପଥରେ ପହଞ୍ଚିଥିଲା ।

ଲ୍ୟାଣ୍ଡର ମଡ୍ୟୁଲ (ଏଲ୍ଏମ୍) ଭଲ ଅବସ୍ଥାରେ ଅଛି ବୋଲି ଇସ୍ରୋ ଟୁଇଟ୍ କରି ସୂଚନା ଦେଇଛି। ଏହା ସଫଳତାର ସହ ଡିବୁଷ୍ଟିଂ ଅପରେସନ କରିଥିଲା ଯାହା ଏହାର କକ୍ଷପଥକୁ ୧୧୩ କିଲୋମିଟର x ୧୫୭ କିଲୋମିଟରକୁ ହ୍ରାସ କରିଥିଲା । ୨୦୨୩ ଅଗଷ୍ଟ ୨୦ତାରିଖରେ ଦ୍ବିତୀୟ ଡିକମିଶନ ଅପରେସନ୍ ହେବ।

ଗୁରୁବାର ଲ୍ୟାଣ୍ଡର ସଫଳତାର ସହ ପ୍ରୋପଲସନ ମଡ୍ୟୁଲରୁ ଅଲଗା ହୋଇଛି। ଲ୍ୟାଣ୍ଡର ମଡ୍ୟୁଲରେ ଗୋଟିଏ ଲ୍ୟାଣ୍ଡର ଏବଂ ଗୋଟିଏ ରୋଭର ରହିଛି। ଏହି ମିଶନରେ ବିକ୍ରମ ଲ୍ୟାଣ୍ଡରକୁ ପାଖାପାଖି ୧୦୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡିବ । ଲ୍ୟାଣ୍ଡର ଏବେ ଏହାର ଉଚ୍ଚତା ହ୍ରାସ କରି ଧୀରେ ଧୀରେ ଚନ୍ଦ୍ରପୃଷ୍ଠ ଆଡ଼କୁ ବଢିବ । ଏହା ୨୩ ତାରିଖରେ ଓହ୍ଲାଇବାର ସମ୍ଭାବନା ରହିଛି ।