କେରଳରେ କାୟା ବିସ୍ତାର କରୁଛି ନୂଆ ଭୂତାଣୁ; ଜଣେ ମୃତ, ୬ ସଂକ୍ରମିତ

ନୂଆଦିଲ୍ଲୀ: ଯେତେବେଳେ ସାରା ବିଶ୍ୱ କରୋନା ଭୂତାଣୁ ଆତଙ୍କରେ ଆତଙ୍କିତ ହୋଇ ରହିଛି, ସେତେବେଳେ କେରଳରେ ପୁଣି ଏକ ନୂଆ ଭୂତାଣୁ ତା’ର କାୟା ବିସ୍ତାର କରୁଥିବା ଦେଖିବାକୁ ମିଳିଛି । କେରଳର କୋଝିକୋଡଠାରେ ଏହି ଭୂତାଣୁ ସଂକ୍ରମଣରେ ଜଣେ ୧୧ ବର୍ଷିୟ ବାଳକର ମୃତ୍ୟୁ ହୋଇଛି । କେରଳରେ ଏହି ଭୂତାଣୁ ସଂକ୍ରମଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଜଣ ଲୋକ ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି । ଏ ନେଇ ଶନିବାର ଦିନ ଜଣେ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । କୁହାଯାଉଛି କି କରୋନା ଭଳି ଏହି ଭୂତାଣୁ ଘାତକ ହେବ । କାରଣ ଏହି ଭୂତାଣୁ ବି ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପୁଥିବା ଜଣାପଡ଼ିଛି ।

ସିଗେଲୋସିସି ନାମକ ଏହି ସଂକ୍ରମଣ ସିଗେଲା ନାମକ ଏକ ବ୍ୟାକ୍ଟେରିଆ ଦ୍ୱାରା ବ୍ୟାପୁଛି । ଏହି ଭୂତାଣୁ ଡାଇରିଆର ପରବର୍ତ୍ତୀ ଜିବାଣୁ ବୋଲି କୁହାଯାଉଛି । ଏହି ଭୂତାଣୁ ଦ୍ୱାରା ସବୁଠାରୁ ଅଧିକ ସଂକ୍ରମିତ ହେଉଛି କେରଳର କୋଝିକୋଡଠାରେ ଥିବା କୋଣ୍ଟାପରମ୍ବୁ ୱାର୍ଡ। କୋଝିକୋଡ ଜିଲ୍ଲା ଚିକିତ୍ସା ଅଧିକାରୀ କହିଛନ୍ତି କି ନିର୍ଦ୍ଧିଷ୍ଟ ସେହି ଅଞ୍ଚଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୬ ଜଣ ଡାଇରିଆ ସଂକ୍ରମିତ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କଠାରେ ସିଗେଲା ଭୂତାଣୁ ଚିହ୍ନଟ ହୋଇଛି । ଅନ୍ୟମାନେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ଜଣ ଶିଶୁଙ୍କୁ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଏବେ ଜିଲ୍ଲା ଚିକିତ୍ସା ଅଧିକାରୀ ଅନୁସନ୍ଧାନ କରୁଛନ୍ତି କି ସିଗେଲା ସଂକ୍ରମଣରେ ମୃତ୍ୟୁ ହୋଇଥିବା ବାଳକ ସଂପର୍କରେ ଆସିଥିବା ଲୋକମାନେ ସଂକ୍ରମିତ ହୋଇଛନ୍ତି କି ନାହିଁ ।

The Logical Indian

ଏହି ଭୂତାଣୁ ସଂକ୍ରମଣର ଲକ୍ଷଣ ମଣିଷ ଶରୀରରେ ୭ ଦିନ ପର୍ଯ୍ୟନ୍ତ ରହିପାରେ, ଯାହାର ଚିକିତ୍ସା ଆଣ୍ଟିବାୟୋଟିକ୍ ମେଡିସିନ ଦ୍ୱାରା କରାଯାଉଛି । ଏହାଦ୍ୱାରା ୭ ଦିନ ପୂର୍ବରୁ ସଂକ୍ରମିତଙ୍କ ଦେହରୁ ଭୂତାଣୁଙ୍କୁ ଶେଷ କରାଯାଇ ପାରୁଛି । ଏନେଇ ଥିବା ଭ୍ୟାକସିନ ପ୍ରୟୋଗ ଦ୍ୱାରା କମ୍ ସଂଖ୍ୟାରେ ଲୋକ ସଂକ୍ରମିତ ହେଉଛନ୍ତି । ଫଳରେ ସିଗେଲା ଭୂତାଣୁକୁ ଆୟତ୍ତ କରାଯାଇ ପାରିବ ବୋଲି କୁହାଯାଉଛି ।

ଏହି ଭୂତାଣୁର ବ୍ୟାକଟେରିଆ ଦୂଷିତ ଭୋଜନ, ଦୂଷିତ ପାଣି ମାଧ୍ୟମରେ ମଣିଷ ଶରୀରରେ ପ୍ରବେଶ କରିଥାଏ । ସଂକ୍ରମିତ ରୋଗୀଙ୍କ ମଳରୁ ବି ଏହି ଭୂତାଣୁ ଅନ୍ୟକୁ ସଂକ୍ରମିତ କରିଥାଏ। ଅନ୍ୟପଟେ ସଂକ୍ରମିତ ବ୍ୟକ୍ତିଙ୍କ ସହ ଯୌନ ସଂପର୍କ ରଖିବା ଦ୍ୱାରା ବି ଏହି ରୋଗ ବ୍ୟାପିଥାଏ। ଏହାସହ ସଂକ୍ରମିତ ଲୋକଙ୍କୁ ଛୁଇଁବା ଓ ସଂକ୍ରମିତ ବ୍ୟକ୍ତିଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଭୋଜନ କରିବା ଦ୍ୱାରା ବି ଏହି ରୋଗ ବ୍ୟାପିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

କରୋନା ଭଳି ଏହି ରୋଗରୁ ରକ୍ଷା ପାଇବାକୁ ହେଲେ ସ୍ୱଚ୍ଛତାକୁ ପ୍ରାଥମିକତା ଦେବାକୁ ହେବ । ଯେମିତି କି ବାରମ୍ବାର ହାତ ଧୋଇବା, ଅନ୍ୟମାନଙ୍କ ସହିତ ହାତ ନ ମିଳାଇବା ଓ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଦୂରତା ରକ୍ଷା କରିବା, ଏହାସହ ଖାଦ୍ୟ ଓ ପାନୀୟର ସ୍ୱଚ୍ଛତା ପ୍ରତି ଦୃଷ୍ଟି ଦେବା, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଭଳି ଖାଦ୍ୟ ଖାଇବା ଉପରେ ଧ୍ୟାନ ଦେବାକୁ ହେବ । ଏହା ପରେ ଯଦି କିଛି ଲକ୍ଷଣ ଦେଖାଦେବ ତା’ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା । ଅନ୍ୟପଟେ ଏହି ଭୂତାଣୁର ଭୟାବହତାକୁ ନଜରରେ ରଖି କେରଳର ସମସ୍ତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସ୍ୱଚ୍ଛତା ଆଣିବା ସହ ଘରୋଇ ପାଣିଟାଙ୍କି ସଫା କରିବାକୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧିତ ଖବର