ନୂଆଦିଲ୍ଲୀ: ଏସିଆର ବିଭିନ୍ନ ସ୍ଥାନରେ କୋଭିଡ୍-୧୯ର ନୂଆ ଲହର ବ୍ୟାପିବା ପରେ ହଂକଂ ଓ ସିଙ୍ଗାପୁରର ସ୍ୱାସ୍ଥ୍ୟ ଅଧିକାରୀମାନେ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି। ହଂକଂର ସେଣ୍ଟର୍ ଫର୍ ହେଲ୍‌ଥ ପ୍ରୋଟେକ୍ସନର ସଂକ୍ରାମକ ରୋଗ ଶାଖାର ମୁଖ୍ୟ ଆଲବର୍ଟ ଅଉ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ସହରରେ କୋଭିଡ୍-୧୯ କାର୍ଯ୍ୟକଳାପ ଏବେ ଯଥେଷ୍ଟ ଅଧିକ ରହିଛି। ମେ ୩ ତାରିଖ ସୁଦ୍ଧା ସପ୍ତାହରେ ୩୧ ଜଣ ଗୁରୁତର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁତର ମାମଲା ଓ ମୃତ୍ୟୁ ସଂଖ୍ୟା ଶୀର୍ଷସ୍ତରରେ ପହଞ୍ଚିଛି। ଯଦିଓ ବର୍ତ୍ତମାନର ଏହି ବୃଦ୍ଧି ପୂର୍ବର ସଂକ୍ରମଣ ଭଳି ବଡ଼ ନୁହେଁ, ତଥାପି ସତର୍କ ରହିବା ଜରୁରୀ। ନର୍ଦ୍ଦମା ପାଣିରେ କୋଭିଡ୍-୧୯ ଭୂତାଣୁ ଚିହ୍ନଟ ହୋଇଛି ଏବଂ ଅଧିକ ଲୋକ ଏହି ରୋଗର ଲକ୍ଷଣ ନେଇ ଡାକ୍ତରଖାନା ଯାଉଛନ୍ତି। 

Advertisment

ଏସିଆର ଅନ୍ୟ ଏକ ଜନଗହଳିପୂର୍ଣ୍ଣ ସହର ସିଙ୍ଗାପୁରରେ ମଧ୍ୟ କୋଭିଡ୍-୧୯ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚଳିତ ମେ ମାସରେ ସଂକ୍ରମଣ ସମ୍ପର୍କରେ ସୂଚନା ଦେଇଛି। ମେ ୩ରେ ଶେଷ ହୋଇଥିବା ସପ୍ତାହରେ କୋଭିଡ୍-୧୯ ମାମଲା ପୂର୍ବ ସପ୍ତାହ ତୁଳନାରେ ୨୮% ବୃଦ୍ଧି ପାଇ ପ୍ରାୟ ୧୪,୨୦୦ରେ ପହଞ୍ଚିଛି। କୋଭିଡ୍-୧୯ କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହେବା ମାମଲା ପ୍ରାୟ ୩୦% ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚାଇଛି ଯେ, ଏହି ବୃଦ୍ଧି ଜନସଂଖ୍ୟାରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସର ପ୍ରତିକ୍ରିୟା ହୋଇପାରେ କିନ୍ତୁ ନୂତନ ଭୂତାଣୁ ଷ୍ଟ୍ରେନ୍ ଅଧିକ ସଂକ୍ରାମକ କିମ୍ବା ଅଧିକ ଗମ୍ଭୀର ରୋଗର କାରଣ ହେବାର କୌଣସି ପ୍ରମାଣ ନାହିଁ।

ସମଗ୍ର ଏସିଆରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଯେଉଁମାନଙ୍କର ରୋଗନିରୋଧକ କ୍ଷମତା କମ୍ ଓ ଅଧିକ ପୀଡ଼ିତ ହେବାର ସମ୍ଭାବନା ରହିଛି ସେମାନଙ୍କୁ ବୁଷ୍ଟର ଟିକା ନେବାକୁ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ହଂକଂ ପପ୍ ଷ୍ଟାର ଏସନ ଚାନ୍ କୋଭିଡ୍ ପଜିଟିଭ୍ ଥିବା ଜଣାପଡ଼ିବା ପରେ ତାଙ୍କ ତାଇଵାନ୍ କନସର୍ଟକୁ ସ୍ଥଗିତ ରଖାଯାଇଛି। ବ୍ଲୁମବର୍ଗ ରିପୋର୍ଟ କରିଛି ଯେ, ଚୀନ୍ ମଧ୍ୟ କୋଭିଡ୍‌ର ଏକ ନୂତନ ଲହର ଦେଇ ଗତି କରୁଛି। ମେ ୪ ତାରିଖ ପର୍ଯ୍ୟନ୍ତ ପାଞ୍ଚ ସପ୍ତାହ ମଧ୍ୟରେ ଚୀନ୍‌ବାସୀଙ୍କ ମଧ୍ୟରେ କୋଭିଡ୍ ପଜିଟିଭିଟି ହାର ଦୁଇଗୁଣରୁ ଅଧିକ ହୋଇଛି। ଥାଇଲାଣ୍ଡରରେ ଚଳିତ ବର୍ଷ ଦୁଇଟି ବଡ଼ କୋଭିଡ୍ ପ୍ରକୋପ ଦେଖିବାକୁ ମିଳିଥିଲା, ଗତ ଏପ୍ରିଲରେ ସୋଙ୍ଗକ୍ରାନ୍ ପର୍ବ ପରେ ସଂକ୍ରମଣ ବଢ଼ିବାରେ ଲାଗିଛି ବୋଲି  ରୋଗ ନିୟନ୍ତ୍ରଣ ବିଭାଗ ପକ୍ଷରୁ କୁହାଯାଇଛି।