ନୂତନ କଳେବର ସହ ଉନ୍ମୋଚିତ ହେଲା ନିର୍ବାଚନ କମିଶନଙ୍କ ପୋର୍ଟାଲ; ଫୋନ୍‌ରେ ମଧ୍ୟ କରିହେବ ଏହାର ବ୍ୟବହାର

ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ନୂତନ ଭାବେ ପ୍ରସ୍ତୁତ ହୋଇଥିବା ୱେବସାଇଟ ବା ପୋର୍ଟାଲ https://eci.gov.inକୁ ଗତ ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ସମ୍ପୂର୍ଣ୍ଣ ନୂତନ କଳେବର ସହ ପ୍ରସ୍ତୁତ ହୋଇଥିବା ଏହି ପୋର୍ଟାଲ ବ୍ୟବହାରକାରୀମାନଙ୍କ ପାଇଁ ଅତ୍ୟନ୍ତ ସହଜସାଧ୍ୟ ଓ ବୋଧଗମ୍ୟ ହୋଇପାରିବ ବୋଲି କହିଛନ୍ତି ନିର୍ବାଚନ କମିଶନ ଓପି ରାଓ୍ଵତ। ଏହି ପୋଟାର୍ଲ ମାଧ୍ୟମରେ ଯେ କେହି ନିର୍ବାଚନ କମିଶନଙ୍କ ପ୍ରତ୍ୟେକ ପଦକ୍ଷେପ ବାବଦରେ ଅବଗତ ହୋଇପାରିବ।

ବ୍ୟବହାରୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ନୂତନ ପୋର୍ଟାଲକୁ ବିକଶିତ କରାଯାଇଛି। ଏଥିରୁ ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ସମସ୍ତ ପ୍ରକାରର ସୂଚନା ଅକ୍ଳେଶରେ ହାସଲ କରାଯାଇପାରିବ। ଏହି ପୋର୍ଟାଲକୁ ଡେସ୍କଟପ୍‌ କମ୍ପ୍ୟୁଟର ସହ ମୋବାଇଲରେ ମଧ୍ୟ ବ୍ୟବହାର କରିହେବ। ନିର୍ବାଚନ କମିଶନ ଏବଂ ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ସମସ୍ତ ତଥ୍ୟ ଅଲଗା ଅଲଗା ଭାବେ ଏହି ପୋର୍ଟାଲରେ ସ୍ୱତନ୍ତ୍ର ଭାବେ ସୂଚୀତ ହୋଇଛି, ଯାହାଦ୍ୱାରା ଯେକେହି ବି ସହଜରେ ଏହାକୁ ଦେଖିପାରିବ। ନୂତନ ପୋର୍ଟାଲକୁ ମୋବାଇଲ ଫୋନରେ ସମ୍ପୂର୍ଣ୍ଣ ଭାବେ ଦେଖିହେବ। ଏହା ଏକ ଆଡଭାନ୍‌ସଡ ପୋର୍ଟାଲ ଏହାକୁ ଟାବଲେଟ, ଆଇଫୋନ୍‌/ ଆଣ୍ଡ୍ରଏଡ ଏବଂ ଅନ୍ୟାନ୍ୟ ଡିଭାଇସରେ ମଧ୍ୟ ଏହାର ପରିଚାଳନା କରିବା ସହଜ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ପୋର୍ଟାଲରେ ପ୍ରାଥମିକ ଭାବେ ସିଟିଜେନ୍‌ସ, ଇଲେକ୍ଟର୍ସ, କ୍ୟାଣ୍ଡିଡେଟ୍‌ସ, ପଲିଟିକାଲ ପାର୍ଟି, ରିସର୍ଚ୍ଚ, ମିଡିଆ ଏବଂ ଇସିଆଇ ଅଫିସିଆଲସ ସେକ୍ସନ ରଖାଯାଇଛି। ସାଇବର ନିରାପତ୍ତା ଦିଗରୁ ନୂତନ ପୋର୍ଟାଲ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର