ଅସଂସଦୀୟ ଶବ୍ଦ ତାଲିକାରେ ଯୋଡ଼ା ହେଲା ନୂଆ ଶବ୍ଦ

କୌଣସି ଶବ୍ଦ ନିଷିଦ୍ଧ ହୋଇନାହିଁ: ବାଚସ୍ପତି ଓମ୍ ବିର୍ଲା

ନୂଆଦିଲ୍ଲୀ: ସଭ୍ୟ ମହଲରେ ଅସଭ୍ୟ ଶବ୍ଦର ପ୍ରଚଳନ ହୁଏ ନାହିଁ। ଏପରି ଶବ୍ଦକୁ ଆମେ କହୁ ଅଶାଳୀନ, ଅଶିଷ୍ଟ, ଅଭଦ୍ର, ଅଶିକ୍ଷିତ ବା ଅନ୍‌ପାର୍ଲାମେଣ୍ଟାରୀ ଶବ୍ଦ। କିନ୍ତୁ ସଭ୍ୟମଣ୍ଡଳୀରେ ବ୍ୟବହୃତ ଅନେକ ଶବ୍ଦକୁ ବି ପାର୍ଲାମେଣ୍ଟରେ ବ୍ୟବହାର କରିବାକୁ ବାରଣ କରାଯାଇଛି। ସମ୍ପ୍ରତି ଲୋକସଭା ସଚିବାଳୟ ଦ୍ବାରା ଜାରି ଏକ ପୁସ୍ତିକାରେ ଅନ୍ୟୂନ ୪୦ଟି ଶବ୍ଦକୁ ଅନପାର୍ଲାମେଣ୍ଟାରୀ ଭାବେ ଚିହ୍ନିତ କରାଯାଇଛି। ଯଦି କେହି ସଂସଦୀୟ କାର୍ଯ୍ୟଧାରାରେ ଏହି ଶବ୍ଦକୁ ବ୍ୟବହାର କରେ ତେବେ ତାହାକୁ ରେକର୍ଡରୁ କାଟିଦିଆଯିବ।

ସାଧାରଣଭାବେ ବ୍ୟବହୃତ ଆସେମ୍‌ଡ (ଲଜ୍ଜିତ), ଆବ୍ୟୁଜ୍‌ଡ (ଦୁର୍ବ୍ୟବହାର), ବିଟ୍ରେଡ୍‌ (ପ୍ରତାରିତ), କରପ୍ଟ (ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟ), ଡ୍ରାମା (ନାଟକବାଜି), ହିପୋକ୍ରିସି (କପଟତା) ଏବଂ ଇନ୍‌କମ୍ପିଟେଣ୍ଟ (ଅଯୋଗ୍ୟ, ଅପାରଗ) ପରି ଶବ୍ଦକୁ ଅନ୍‌ପାର୍ଲାମେଣ୍ଟାରୀ ବୋଲି ଉକ୍ତ ପୁସ୍ତିକାରେ ଦର୍ଶାଯାଇଛି। ଜୁଲାଇ ୧୮ରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ତା’ର ଅବ୍ୟବହିତ ପୂର୍ବରୁ ଲୋକସଭା ସଚିବାଳୟ ପକ୍ଷରୁ ଏହି ପୁସ୍ତିକା ପ୍ରକାଶ କରାଯାଇଛି। ଲୋକସଭା ଓ ରାଜ୍ୟସଭାରେ ଯିଏ ଅଧ୍ୟକ୍ଷତା କରୁଥିବେ ସେ ଯେଉଁ ଶବ୍ଦକୁ ଅନ୍‌ପାର୍ଲାମେଣ୍ଟାରୀ ବୋଲି କହିବେ ତାହା ହେଉଛି ଅନ୍‌ପାର୍ଲାମେଣ୍ଟାରୀ ଏବଂ ତାହା ଆଉ ପାର୍ଲାମେଣ୍ଟ ରେକର୍ଡରେ ସ୍ଥାନ ପାଇପାରିବ ନାହିଁ। ଅର୍ଥାତ୍ କେଉଁ ଶବ୍ଦ ଅସଂସଦୀୟ ଭାବେ ବିବେଚିତ ହେବ, ସେ ନେଇ ବାଚସ୍ପତିଙ୍କ ନିଷ୍ପତ୍ତି ହେଉଛି ଚୂଡ଼ାନ୍ତ। ବିଭିନ୍ନ ଶବ୍ଦକୁ ସମୟାନ୍ତରରେ ଅସଂସଦୀୟ ବୋଲି ଘୋଷଣା କରାଯାଏ। ୨୦୨୧ରେ ଯେଉଁ ଶବ୍ଦଗୁଡ଼ିକୁ ଅନ୍‌ପାର୍ଲାମେଣ୍ଟାରୀ ବୋଲି ଘୋଷଣା କରାଯାଇଥିଲା ସେଗୁଡ଼ିକ ମଧ୍ୟ ଉକ୍ତ ପୁସ୍ତିକାରେ ଉଲ୍ଲେଖ କରାଯାଇଛି। ୨୦୨୦ରେ ରାଜ୍ୟଗୋଷ୍ଠୀର କେଉଁସବୁ ଦେଶରେ କେଉଁ ଶବ୍ଦ ଉଚ୍ଚାରଣ କରିବାକୁ ଅନୁମତି ନାହିଁ ତାହା ମଧ୍ୟ ଏଥିରେ ସୂଚାଇ ଦିଆଯାଇଛି।

କୌଣସି ଶବ୍ଦ ନିଷିଦ୍ଧ ହୋଇନାହିଁ: ବାଚସ୍ପତି ଓମ୍ ବିର୍ଲା
ନୂଆଦିଲ୍ଲୀ: ଲୋକସଭା ସଚିବାଳୟ ଦ୍ବାରା ପ୍ରକାଶିତ ପୁସ୍ତିକାରେ ୪୦ଟି ଶବ୍ଦକୁ ଅନପାର୍ଲାମେଣ୍ଟାରୀ କହି ଲୋକସଭା ଓ ରାଜ୍ୟସଭାରେ ନିଷିଦ୍ଧ କରାଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ବିବାଦ ସୃଷ୍ଟି ହୋଇଛି। ଏହା ଉପରେ ସ୍ପଷ୍ଟୀକରଣ ଦେଇ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି ଯେ, ବାସ୍ତବରେ କୌଣସି ଶବ୍ଦକୁ ଲୋକସଭା ବା ରାଜ୍ୟସଭାରେ ନିଷିଦ୍ଧ କରାଯାଇ ନାହିଁ। ତାଲିକାରେ ସେହିସବୁ ଶବ୍ଦ ପ୍ରକାଶ ପାଇଛି ଯେଉଁଗୁଡ଼ିକୁ ସଂସଦୀୟ ରେକର୍ଡରୁ ବାଦ୍ ଦିଆଯାଇଥାଏ।
ବିର୍ଲା କହିଛନ୍ତି ଯେ, ୧୯୫୯ ମସିହାରୁ ଏହା ଏକ ପରମ୍ପରାରେ ପରିଣତ ହୋଇଛି। କିଛି ଶବ୍ଦକୁ ରେକର୍ଡରୁ ବାଦ୍ ଦିଆଯାଏ। କିନ୍ତୁ କୌଣସି ଶବ୍ଦ ନିଷିଦ୍ଧ ନୁହେଁ। ସମସ୍ତେ ସ୍ବାଧୀନଭାବରେ ନିଜର ମତ ପ୍ରକାଶ କରିବା ପାଇଁ ମୁକ୍ତ। କିନ୍ତୁ ମତ ପ୍ରକାଶ ପାର୍ଲାମେଣ୍ଟର ଡେକୋରମ୍ (ଶିଷ୍ଟାଚାର) ଅନୁଯାୟୀ ହେବା ଉଚିତ। ଅତୀତରେ ଅନ୍‌ପାର୍ଲାମେଣ୍ଟାରୀ ଶବ୍ଦଗୁଡ଼ିକର ଏକ ତାଲିକା ମଧ୍ୟ ପ୍ରକାଶ ପାଇଥିଲା। କାଗଜ ନଷ୍ଟ ନ କରିବା ପାଇଁ ସେହି ଶବ୍ଦଗୁଡ଼ିକୁ ଆମେ ଇଣ୍ଟରନେଟ୍‌ରେ ଦେଇଦେଇଛୁ ବୋଲି ବିର୍ଲା କହିଥିଲେ। କୌଣସି ଶବ୍ଦକୁ ନିଷିଦ୍ଧ କରାଯାଇ ନାହିଁ। କେବଳ ସେହି ଶବ୍ଦଗୁଡ଼ିକର ଏକ ତାଲିକା ପ୍ରକାଶ ପାଇଛି ଯାହାକୁ ରେକର୍ଡରୁ ବାଦ୍ ଦିଆଯିବ ବୋଲି ବିର୍ଲା କହିଛନ୍ତି।

ସମ୍ବନ୍ଧିତ ଖବର