ନବବର୍ଷରେ ସିଡିଏସ୍‌ ଜେନେରାଲ ରାଓ୍ଵତ୍‌ଙ୍କ ‘ଭାଇରାଲ’ ଚିଠିକୁ ନେଇ ସେନାରେ ଝଡ଼; ପିଆଇବି ସ୍ପଷ୍ଟ କଲା ଚିଠି ‘ଫେକ୍‌’

ନୂଆଦିଲ୍ଲୀ: ଦେଶର ସର୍ବପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଭାବେ ନିଯୁକ୍ତି ପାଇଥିବା ଜେନେରାଲ ବିପିନ୍‌ ରାଓ୍ଵତ୍‌ଙ୍କୁ ନେଇ ଦେଶରେ ରାଜନୈତିକ ବିଦାଦ ସୃଷ୍ଟି କରିଥିବା ବେଳେ ତାଙ୍କର ଏକ ପତ୍ର ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇ ତାଙ୍କୁ ଅଧିକ ବିବାଦର ଭଉଁରି ମଧ୍ୟକୁ ଟାଣି ନେବା ସହ ସେନା ବାହିନୀ ମଧ୍ୟରେ ଝଡ଼ ସୃଷ୍ଟି କରିଛି। ତେବେ, ଯାଞ୍ଚପରେ ସିଡିଏସ୍‌ ଜେନେରାଲ ରାଓ୍ଵତ୍‌ଙ୍କର ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଚିଠି ମିଥ୍ୟା (ଫେକ୍‌) ଥିବା କହିଛି କେନ୍ଦ୍ର ସରକାରଙ୍କର ପ୍ରେସ୍‌ ଇନ୍‌ଫରମେସନ ବ୍ୟୁରୋ (ପିଆଇବି)।

ଉଲ୍ଲେଖଯୋଗ୍ୟ, ସିଡିଏସ୍‌ ଜେନେରାଲ ବିପିନ୍‌ ରାଓ୍ଵତ୍‌ଙ୍କ ଫଟୋଚିତ୍ର ଓ ତାଙ୍କ ଚିଫ୍‌ ଅପ୍‌ ଆର୍ମି ଷ୍ଟାପ୍‌ (ସିଓଏଏସ୍‌) ଲୋଗୋ ବା ‘ଇନ୍‌ସିଗ୍‌ନିଆ’ ସମ୍ବଳିତ ଏକ ଚିଠି ଗତକାଲି ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଯେଉଁ ଚିଠିରେ ଜେନେରୋଲ ରାଓ୍ଵତ୍‌ ସେନାର ପ୍ରତ୍ୟେକ ଅଧିକାରୀଙ୍କ ସହ ସମସ୍ତ ସଦସ୍ୟ ଓ ସେମାନଙ୍କର ପରିବାରବର୍ଗଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଦେଶର ତିନି ସେନା ମଧ୍ୟରୁ ସ୍ଥଳସେନା ଅନ୍ୟ ଦୁଇ ସେନା- ବାୟୁସେନା ଓ ନୌସେନା ଠାରୁ ଅଧିକ କାର୍ଯ୍ୟଦକ୍ଷ ଥିବା ଉଲ୍ଲେଖ କରିଥିଲେ। ଏଥିସହ ବାୟୁସେନା ଓ ନୌସେନାର କାର୍ଯ୍ୟଦକ୍ଷତାରେ ବୃଦ୍ଧି ଘଟାଇ ସେମାନଙ୍କୁ ସ୍ଥଳସେନାର ସମକକ୍ଷ କରାଇବା ସହ ଭଲଫଳ ପ୍ରଦର୍ଶନ କରାଇବା ଲକ୍ଷ୍ୟରେ ତାଙ୍କୁ ଏହି ନୂତନ ପଦବୀରେ ନିଯୁକ୍ତି ମିଳିଥିବା, ଭାଇରାଲ ହୋଇଥିବା ଏହି ଚିଠିରେ ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଥିଲା।

ତେଣୁ, ସ୍ୱାଭାବିକ ଭାବେ ଏହି ଭାଇରାଲ ଚିଠି ସେନା ମଧ୍ୟରେ ବିଭେଦ ଓ ଅସନ୍ତୋଷ ସୃଷ୍ଟି କରିଥିଲା। ଏକଥା ଜଣାପଡ଼ିବା ପରେ କେନ୍ଦ୍ର ସରକାରଙ୍କର ପ୍ରେସ୍‌ ଇନ୍‌ଫରମେସନ ବ୍ୟୁରୋ (ପିଆଇବି) ପକ୍ଷରୁ ଏହି ଚିଠିର ସତ୍ୟତା ନେଇ ଅନୁସନ୍ଧାନ ଆରମ୍ଭ ହୋଇଥିଲା। ତେବେ ଅନୁସନ୍ଧାନ କାଳରେ ଭାଇରାଲ ଚିଠି ଫେକ୍‌ ହୋଇଥିବା ଓ ସିଡିଏସ୍‌ ଜେନେରାଲ ବିପିନ୍‌ ରାଓ୍ଵତ୍‌ ଏପରି କୌଣସି ଚିଠି ଲେଖି ନ ଥିବା ପିଆଇବି ଜାଣିବାକୁ ପାଇଥିଲା।

ସମ୍ବନ୍ଧିତ ଖବର