ଆଜି ପ୍ରଥମ ପୃଷ୍ଠାରେ ‘ନ୍ୟୁୟର୍କ ଟାଇମ୍‌ସ୍’ ପ୍ରକାଶ କରିଛି କେବଳ ଆମେରିକାର ମୃତ କରୋନା ଆକ୍ରାନ୍ତଙ୍କ ନାମ ତାଲିକା

ନ୍ୟୁୟର୍କ:  ବିଶ୍ବର ଜଣାଶୁଣା ସମ୍ବାଦପତ୍ର ‘ଦ ନ୍ୟୁୟର୍କ ଟାଇମ୍‌ସ୍’ ରବିବାର ସଂସ୍କରଣର ପ୍ରଥମ ପୃଷ୍ଠାରେ ପ୍ରକାଶ କରିଛି କରୋନାଭାଇରସ୍ ମହାମାରୀ କାରଣରୁ ମୃତ ବ୍ୟକ୍ତିଙ୍କର ଏକ ଦୀର୍ଘ ତାଲିକା।

ସମ୍ମୁଖ ପ୍ରଷ୍ଠାର ଛଅଟି ସ୍ତମ୍ଭରେ ମୃତବ୍ୟକ୍ତିଙ୍କ ନାମ ଏବଂ ଦେଶବ୍ୟାପୀ ଦିଆଯାଇଥିବା ଶ୍ରଦ୍ଧାଞ୍ଜଳିରୁ ମନୋନୀତ କରାଯାଇଥିବା ସଂକ୍ଷିପ୍ତ ବର୍ଣ୍ଣନା ପ୍ରକାଶିତ ଏହି ତାଲିକାର ହେଡ୍‌ଲାଇନ୍ ରଖାଯାଇଛି:- ‘‘ଆମେରିକାର ମୃତ୍ୟୁ ୧୦୦, ୦୦୦ ନିକଟତର ହେଉଛି, ଅକଳନୀୟ କ୍ଷତି’’। ସବ୍‌ହେଡ୍‌ଲାଇନ୍‌ରେ ଲେଖାଯାଇଛି: ସେମାନେ କେବଳ ତାଲିକାର ନାଁ ନ ଥିଲେ। ସେମାନେ ଆମେ।

Image Courtesy: Eyewitness News

ଗ୍ରାଫିକ୍ ଡେସ୍କ୍‌ର ସହକାରୀ ସମ୍ପାଦକ ସାଇମନ୍ ଲାଣ୍ଡନ୍ କହନ୍ତି, ସାଧାରଣ ଆଲେଖ୍ୟ, ଆଲୋକଚିତ୍ର ଓ ଗ୍ରାଫିକ୍ ସ୍ଥାନରେ ନିରୋଳା ପାଠରେ ନାମ ତାଲିକା ଛାପା ଯିବା ହେଉଛି ବ୍ୟାପକ ଓ ବହୁବିଧ ଜୀବନହାନୀ କଥା ଜଣାଇବାର ଏକ ପ୍ରୟାସ ମାତ୍ର।

ଏଠାରେ ପ୍ରକାଶଯୋଗ୍ୟ କି,  ଜନ୍‌ସ୍ ହପ୍‌କିନ୍‌ସ୍ ୟୁନିଭର୍ସିଟିର ହିସାବ ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକାରେ କୋଭିଡ୍-୧୯ ଦ୍ବାରା ଆକ୍ରାନ୍ତ ହୋଇ ୯୬୦୦୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଲେଣି।

‘ଦି ଟାଇମ୍ସ୍’ର ଚିଫ୍ କ୍ରିଏଟିଭ୍ ଅଫିସର୍ ଟମ୍ ବଡ୍‌କିନ୍ କହିଛନ୍ତି ଯେ ଯଦିବା କେବଳ ଗ୍ରାଫିକ୍ସ୍ ଥିବା ପୃଷ୍ଠାମାନ ଥାଏ, ତଥାପି ଖବରକାଗଜରେ ୪୦ ବର୍ଷର କାର୍ଯ୍ୟକାଳ ଭିତରେ ସେ ବିନା ଫଟୋରେ କୌଣସି ସାମନା ପୃଷ୍ଠା ଦେଖିଥିବା କଥା ମନେପକାଇ ପାରୁ ନାହାନ୍ତି।

ସମ୍ବନ୍ଧିତ ଖବର