ନ୍ୟୁୟର୍କ/ନୂଆଦିଲ୍ଲୀ: ଆମେରିକା ଓ ଭାରତ ମଧ୍ୟରେ ଏବେ ସମ୍ପର୍କ ତିକ୍ତ ହୋଇଉଠିଛି। ଆମେରିକାର ଶୁଳ୍କ ନୀତି ଏହାର ଅନ୍ୟତମ କାରଣ ହୋଇଥିବା ବେଳେ ଅନ୍ୟ ଏକ ବଡ଼ କାରଣ ହେଉଛି ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶ୍ରେୟ ଦାବି। ଅସ୍ତ୍ରବିରତି ପାଇଁ ଟ୍ରମ୍ପ ତୁହାକୁ ତୁହା ଶ୍ରେୟ ଦାବି କରୁଥିବା ବେଳେ ଭାରତ ଏହାକୁ ଲଗାତାର ପ୍ରତ୍ୟାଖ୍ୟାନ କରିଚାଲିଛି। ଜୁନ୍ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଏକ ଫୋନ୍ ବାର୍ତ୍ତାଳାପ ହୋଇଥିଲା, ଯେଉଁଥିରେ ଟ୍ରମ୍ପ ଚାହୁଥିଲେ ଯେ ମୋଦୀ ତାଙ୍କୁ ନୋବେଲ ପୁରସ୍କାର ପାଇଁ ମନୋନୀତ କରନ୍ତୁ। ମୋଦୀଙ୍କ ସୁପାରିସ ନୋବେଲ ପାଇବା ଦିଗରେ ନିର୍ଣ୍ଣାୟକ ହେବାକୁ ଥିବାରୁ ଟ୍ରମ୍ପ ଏହା ଉପରେ ଜୋର୍ ଦେଇଥିଲେ।
ତେବେ ଏହାକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତ୍ୟାଖ୍ୟାନ କରିଥିଲେ। ୩୫ ମିନିଟ୍ ଧରି ଦୁଇ ନେତା ଫୋନ୍ରେ କଥା ହୋଇଥିଲେ ଏବଂ ଟ୍ରମ୍ପଙ୍କ କୌଣସି ଦାବିକୁ ମୋଦୀ ଗ୍ରହଣ କରିନଥିଲେ ବୋଲି ନ୍ୟୁୟର୍କ ଟାଇମ୍ସ (ଏନ୍ୱାଇଟି) ପ୍ରକାଶ କରିଛି। ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ରେ କହିଥିଲେ ଯେ ପାକିସ୍ତାନ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିବାକୁ ଯାଉଛି ଏବଂ ମୋଦୀଙ୍କଠାରୁ ମଧ୍ୟ ସେ ସମାନ ପଦକ୍ଷେପ ଆଶା କରୁଛନ୍ତି। ପ୍ରଧାନମନ୍ତ୍ରୀ ଏଥିରେ କ୍ଷୁବ୍ଧ ହୋଇଥିଲେ ଏବଂ ଟ୍ରମ୍ପଙ୍କ ଏଭଳି ଆଭିମୁଖ୍ୟ ପ୍ରତି ଗୁରୁତ୍ବ ଦେଇନଥିଲେ। ଏହା ସହିତ ଭାରତ-ପାକ୍ ଅସ୍ତ୍ରବିରତିରେ ଟ୍ରମ୍ପଙ୍କର କୌଣସି ସମ୍ପର୍କ ନାହିଁ ବୋଲି ମୋଦୀ ସ୍ପଷ୍ଟ କରିଦେଇଥିଲେ। ଅସ୍ତ୍ରବିରତି ଭାରତ-ପାକିସ୍ତାନ ଡିଜିଏମ୍ଓଙ୍କ କଥାବାର୍ତ୍ତା ଆଧାରରେ ହୋଇଥିଲା ଏବଂ ଏଥିରେ ତୃତୀୟ ପକ୍ଷର କୌଣସି ଭୂମିକା ନାହିଁ ବୋଲି ମୋଦୀ ଜଣାଇ ଦେଇଥିଲେ।
ଅସ୍ତ୍ରବିରତିକୁ ନେଇ ମତଭେଦ ଏବଂ ନୋବେଲ ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାମ ସୁପାରିସ କରିବାକୁ ମୋଦୀ ମନା କରିବା କାରଣରୁ ଦୁଇ ନେତାଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା। ଜୁନ୍ ମାସରେ ଏହି ଫୋନ୍କଲ୍ର କିଛି ଦିନ ପରେ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ କହିଛନ୍ତି ଯେ ଭାରତ ଲଗାତାର ରୁଷ୍ରୁ ତୈଳ ଆମଦାନୀ କରୁଛି, ଯେଉଁଥିପାଇଁ ଅତିରିକ୍ତ ଶୁଳ୍କ ଲଗାଯାଉଛି। ଭାରତ ଉପରେ ଏବେ ଆମେରିକା ମୋଟ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଜୁନ୍ ୧୭ରେ ହୋଇଥିବା ଆଲୋଚନା ପରଠାରୁ ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନାହିଁ, ଯାହା ଉଭୟଙ୍କ ମଧ୍ୟରେ ତିକ୍ତ ସମ୍ପର୍କକୁ ଦର୍ଶାଉଛି। ଏହା ସହିତ ରାଷ୍ଟ୍ରପତି ଟ୍ରମ୍ପଙ୍କର ମଧ୍ୟ ଚଳିତ ବର୍ଷ ଶେଷ ଆଡ଼କୁ କ୍ବାଡ୍ ସମ୍ମିଳନୀ ପାଇଁ ଭାରତ ଗସ୍ତରେ ଆସିବା ପାଇଁ ଯେଉଁ ଯୋଜନା ଥିଲା ତାହା କାର୍ଯ୍ୟକାରୀ ହେବନାହିଁ ବୋଲି ନ୍ୟୁୟର୍କ ଟାଇମ୍ସ ପ୍ରକାଶ କରିଛି। ସୂଚନାଯୋଗ୍ୟ, ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ବ୍ୟାକୁଳତା ବିଶ୍ବବ୍ୟାପୀ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।