ନୂଆଦିଲ୍ଲୀ: କରୋନା ଦ୍ବିତୀୟ ଲହର ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦେଶରେ ବଢ଼ୁଥିବା ସଂକ୍ରମିତଙ୍କ ସଂଖ୍ୟା ଏବଂ ଅମ୍ଲଜାନର ଅଭାବ ଏବେ ସାରା ବିଶ୍ବରେ ଆଲୋଚନାର ବିଷୟ ପାଲଟିଛି। ଭାରତ ଏବେ ଅମ୍ଲଜାନ ପାଇଁ ଛଟପଟ ହେଉଥିବା ବେଳେ ବିଭିନ୍ନ ଦେଶ ଭାରତକୁ ସହାୟତାର ହାତ ବଢ଼ାଇଛନ୍ତି। ପୂର୍ବରୁ ସିଙ୍ଗାପୁର, ଦୁବାଇ, ଆମେରିକା ଭାରତକୁ ଅମ୍ଲଜାନ ଯୋଗାଣରେ ସାହାଯ୍ୟ କରିଥିବା ‌ବେଳେ ଏବେ କାନାଡା ଏବଂ ନ୍ୟୁଜିଲାଣ୍ଡ ଭାରତକୁ ଆର୍ଥିକ ସହାୟତା ଯୋଗାଇଛନ୍ତି।

Advertisment

ନ୍ୟୁଜିଲାଣ୍ଡ ଭାରତକୁ ୧ମିଲିୟନ ନ୍ୟୁଜିଲାଣ୍ଡ ଡଲାର ଦାନ କରିଥିବା ବେଳେ କାନାଡା  ୧୦ମିଲିୟନ ଡଲାର ର ଆର୍ଥିକ ସହାୟତା ଦେଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ହୁ ହୁ ହୋଇ ବଢ଼ିଚାଲୁଥିବା ବେଳେ ନ୍ୟୁଜିଲାଣ୍ଡ ଭାରତକୁ ୧ମିଲିୟନ ନ୍ୟୁଜିଲାଣ୍ଡ ଡଲାର ରେଡକ୍ରସର ଆନ୍ତର୍ଜାତୀୟ ଫେଡେରେସନକୁ ଦେଇଛି। ରେଡକ୍ରସର ଆନ୍ତର୍ଜାତୀୟ ଫେଡେରେସନ୍ ଅମ୍ଳଜାନ ସିଲିଣ୍ଡର, ଅମ୍ଳଜାନ କନସେନଟ୍ରେଟର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଯୋଗାଣ ପାଇଁ ସ୍ଥାନୀୟ ଇଣ୍ଡିଆନ୍ ରେଡ୍ କ୍ରସ୍ ସୋସାଇଟି ସହିତ ସିଧାସଳଖ କାର୍ଯ୍ୟ କରୁଛି। ଏହି ଆର୍ଥିକ ସହାୟତା ମିଳିବା ଦ୍ବାରା ଭାରତରେ ଅମ୍ଲଜାନ ଯୋଗାଣ ସହଜ ହେବ।

publive-image

ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କାନାଡାର ପ୍ରଧାନମନ୍ତ୍ରୀ ଟ୍ରୁଡୋ କହିଛନ୍ତି ଯେ ବୈଦେଶିକ ବ୍ୟାପାର ମନ୍ତ୍ରୀ ମାର୍କ ଗାର୍ନେଓ ଭାରତୀୟ ପ୍ରତିପକ୍ଷ ଏସ୍ ଜୟଶଙ୍କରଙ୍କ ସହ ସିଧାସଳଖ କଥା କରିଛନ୍ତି। କାନାଡା କିପରି ଅତିରିକ୍ତ ଚିକିତ୍ସା ସାମଗ୍ରୀ ଦାନ ସମେତ ସର୍ବୋତ୍ତମ ସାହାଯ୍ୟ କରିପାରିବ ସେ ସମ୍ପର୍କରେ ଆଲୋଚନା ହୋଇଛି। ଇଣ୍ଡିଆନ ରେଡ କ୍ରସକୁ କାନାଡିୟ ରେଡ କ୍ରସ ମାଧ୍ୟମରେ ୧୦ମିଲିୟନ ଡଲାର ଯୋଗାଇବାକୁ ମଧ୍ୟ ଆମେ ପ୍ରସ୍ତୁତ। ଏହା କରୋନା ଭୂତାଣୁ ସହ ଲଢ଼ିବାରେ ଭାରତକୁ ସାହାଯ୍ୟ କରିବ। ଯଦି ଆପଣ କିଛି ଦାନ କରିବାକୁ ଚାହାଁନ୍ତି, ରେଡକ୍ରସ.ସିଏକୁ ଯାଇ ସାହାଯ୍ୟ କରିପାରିବେ। ଏକ ବିଶ୍ୱ ଭାବରେ, ଆମେ ଏହି ଯୁଦ୍ଧରେ ଭାରତ ସହ ଅଛୁ।