ଅକଲାଣ୍ଡ : ବିଶ୍ବର ପ୍ରଥମ ଧୁମପାନମୁକ୍ତ ଦେଶରେ ପରିଣତ ହେବାକୁ ଯାଉଛି ନ୍ୟୁଜିଲାଣ୍ଡ । ଆସନ୍ତା ୨୦୨୫ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବାକୁ ଯୋଜନା ପ୍ରସ୍ତୁତ କରିଛି ଏହି ଦେଶ ।
ନ୍ୟୁଜିଲାଣ୍ଡ ସରକାର ନିକଟରେ ଏକ ଆଇନ ପ୍ରଣୟନ କରିଛନ୍ତି । ଏହି ଆଇନ ଅନୁସାରେ ୧୪ ବର୍ଷରୁ କମ ବୟସର ପିଲାମାନେ ସିଗାରେଟ୍ କିଣିବା ବେଆଇନ ହେବ । ଭବିଷ୍ୟତ ପୀଢିଙ୍କୁ ଧୁମପାନଠାରୁ ଦୂରେଇ ରଖିବାକୁ ଏହି ଆଇନ ପ୍ରଭାବୀ ହେବ ବୋଲି ନ୍ୟୁଜିଲାଣ୍ଡ ସରକାର ମନେକରୁଛନ୍ତି ।
ନ୍ୟୁଜିଲାଣ୍ଡର ସ୍ବାସ୍ଥ୍ୟମନ୍ତ୍ରୀ ଆୟେଶା ଭେରାଲ୍ କହିଛନ୍ତି ଯେ, ଦେଶ ଧୁମପାନମୁକ୍ତ ହେଲେ ଆଗାମୀ ପୀଢି ନିରୋଗ ରହିବ । ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ର ବି ଆହୁରି ଉନ୍ନତ ହୋଇଯିବ, କାରଣ ଲୋକମାନେ କ୍ୟାନସର, ହୃଦରୋଗ ଆଦି ରୋଗରେ କମ ପଡ଼ିବେ ଓ ଏବାବଦ ଚିକିତ୍ସା ଖର୍ଚ୍ଚ କମିବ ।
ଏହି ନୂଆ ଆଇନ ଅନୁସାରେ ୧ ଜାନୁଆରି, ୨୦୦୯ ପରେ ଜନ୍ମଗ୍ରହଣ କରିଥିବା ସବୁ ପିଲାଙ୍କୁ ସିଗାରେଟ୍ ବିକ୍ରି କରାଯାଇପାରିବ ନାହିଁ । କେବଳ ଏହି ନିୟମ ନୁହେଁ, ଧୁମପାନକୁ ନିରୁତ୍ସାହିତ କରିବାକୁ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ସିଗାରେଟ ଉପରେ ଅଧିକ ଟିକସ ଲାଗୁ, କେବଳ ଲାଇସେନ୍ସପ୍ରାପ୍ତ ଟବାକୋ ଷ୍ଟୋରରେ ସିଗାରେଟ ବିକ୍ରି ଅନୁମତି ଓ ସିଗାରେଟରେ ନିକୋଟିନ ମାତ୍ରା କମାଇବା ଅନ୍ୟତମ ।