ନିଉଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ନେବା ବେଳେ ‘ଯୁବା, ସଚ୍ଚୋଟ, ସୁନ୍ଦରୀ ଓ ଗର୍ଭବତୀ’ କହି ସୀମା ଟପିଲା ଅଷ୍ଟ୍ରେଲୀୟ ଟିଭି ଚ୍ୟାନେଲ୍‌

ସିଡ୍‌ନି: ଅଷ୍ଟ୍ରେଲିଆର ଗୋଟିଏ ଟେଲିଭିଜନ ଚ୍ୟାନେଲ୍‌ ଏଇ ନିକଟରେ ଯେଉଁପରି ଭାବରେ ଓ ଯେଉଁପରି ଢ଼ଙ୍ଗରେ ନିଉଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜାକିନ୍‌ଡା ଆର୍ଡେନ୍‌ଙ୍କର ୬୦ ମିନିଟ ବ୍ୟାପି ଏକ ଦୀର୍ଘ ସାକ୍ଷାତକାର୍‌ ପ୍ରସାରିତ କଲା, ତାକୁ ନେଇ ଏବେ ବିଶ୍ୱବ୍ୟାପି ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସଂପୃକ୍ତ ଚ୍ୟାନେଲ୍‌ର ବରିଷ୍ଠ ସମ୍ବାଦଦାତା ଚାର୍ଲସ୍‌ ଊଲେ ସାକ୍ଷାତକାର୍‌ ଅବସରରେ ପ୍ରଧାନମନ୍ତ୍ରୀ ଜାକିନ୍‌ଡା ଆର୍ଡେନ୍‌ଙ୍କୁ ଶାଳୀନତାର ସମସ୍ତ ସୀମା ସରହଦ ଟପି ଯାଇ ଯେଉଁ ସମସ୍ତ ପ୍ରଶ୍ନ ପଚାରିଲେ, ଦର୍ଶକମାନେ ତା’କୁ ସହଜରେ ହଜମ କରିପାରି ନାହାନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ୩୭ ବର୍ଷ ବୟସ୍କ ଜାକିନ୍‌ଡା ଆର୍ଡେନ୍‌ ହେଉଛନ୍ତି ସବୁଠାରୁ କମ୍‌ ବୟସରେ ୨୦୧୭ ଅକ୍ଟୋବରରେ ନିଉଜିଲାଣ୍ଡର ପ୍ରଧାନମନ୍ତ୍ରୀ ପଦବି ଅଳଂକୃତ କରିଥିବା ଜଣେ ମହିଳା। ସେ ଏବେ ଗର୍ଭବତୀ ଅଛନ୍ତି। ବିଶ୍ୱର କ୍ୱଚିତ୍‌ ମହିଳା ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଜାକିନ୍‌ଡା ଆର୍ଡେନ୍‌ ହେଉଛନ୍ତି ଅନ୍ୟତମ ଯିଏ କି ପଦବିରେ ଥିବା ଅବସ୍ଥାରେ ସନ୍ତାନ ଜନ୍ମ ଦେବେ।

ଏ ପରିସ୍ଥିତିରେ ସେ ଯେତେବେଳେ ତାଙ୍କ ସ୍ୱାମୀ କ୍ଲାର୍କ ଗେଫୋର୍ଡଙ୍କ ସହ ବସି ସାକ୍ଷାତକାର ଦେଉଥିଲେ, ସେତେବେଳେ ସାକ୍ଷାତକାର ନେଉଥିବା ସଂପୃକ୍ତ ଟିଭି ଚ୍ୟାନେଲ୍‌ର ବରିଷ୍ଠ ସମ୍ବାଦଦାତା ଚାର୍ଲସ୍‌ ଊଲେ ସାକ୍ଷାତକାର ଆରମ୍ଭ କରି ପ୍ରଥମ ବାକ୍ୟରେ ପ୍ରଧାନମନ୍ତ୍ରୀ ଜାକିନ୍‌ଡା ଆର୍ଡେନ୍‌ଙ୍କୁ କହିଥିଲେ, ‘ମୁଁ ମୋ ବୃତ୍ତିଗତ ଜୀବନରେ ବହୁ ପ୍ରଧାନମନ୍ତ୍ରୀଙ୍କୁ ଦେଖିଛି; କିନ୍ତୁ ଆପଣଙ୍କ ପରି ଏତେ ଯୁବା, ଏତେ ସ୍ମାର୍ଟ ଓ ଏତେ ସୁନ୍ଦର ପ୍ରଧାନମନ୍ତ୍ରୀ ଦେଖିନାହିଁ।’ ଏହାପରେ ସେ ସଂପୂର୍ଣ୍ଣ ସାକ୍ଷାତକାରଟିକୁ କେବଳ ମାତ୍ର ଆର୍ଡେନ୍‌ଙ୍କ ଗର୍ଭଧାରଣ ଉପରେ ‘ଫୋକସ୍‌’ କରିବା ସହ କେବଳ ମାତ୍ର ତାହାରି ଉପରେ ଗୁରେଇତୁରେଇ ପ୍ରଶ୍ନ ପଚାରି ଚାଲିଥିଲେ।

www.vogue.com

ପରବର୍ତ୍ତୀ ପ୍ରଶ୍ନ ସେ ଆର୍ଡେନ୍‌ ଓ ତାଙ୍କ ସ୍ୱାମୀ ଗେଫୋର୍ଡଙ୍କୁ ପଚାରିଥିଲେ, ‘ମୁଁ ଏବେ ଆପଣମାନଙ୍କୁ ଏକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପ୍ରଶ୍ନ ପଚାରିବାକୁ ଚାହୁଁଛି, ଆଉ ସେଇଟି ହେଲା ଆପଣ ଠିକ୍‌ କେଉଁ ତାରିଖରେ ଆପଣଙ୍କ ଗର୍ଭସ୍ଥ ସନ୍ତାନକୁ ଭୂମିଷ୍ଠ କରାଇବେ। କାରଣ, ତା’ରି ଆଧାରରେ ଅନେକେ ଆପଣଙ୍କ ଗର୍ଭଧାରଣର ତାରିଖ ଗଣିବାକୁ ଚାହିଁବେ।’

ପ୍ରଶ୍ନକର୍ତ୍ତାଙ୍କ ପ୍ରଶ୍ନର ଉତ୍ତର ରଖି ଆର୍ଡେନ୍‌ କହିଥିଲେ, ‘ନିର୍ବାଚନ ସରିବା ପରେ। ଏ ସଂପର୍କରେ ଅଧିକ ଆଉ କିଛି କହିବାକୁ ଚହୁଁନାହିଁ।’ ଆର୍ଡେନ୍‌ ଯେତେବେଳେ ଏ ଉତ୍ତର ଦେଉଥିଲେ, ସେତେବେଳେ ତାଙ୍କ ଗଭୀର ଅଶ୍ୱସ୍ତିବୋଧରେ ଏଣେତେଣେ ଚାହୁଁଥିଲେ। ତେବେ, ପ୍ରଶ୍ନକର୍ତ୍ତା ଏହି ପ୍ରଶ୍ନକୁ ବାରମ୍ବାର ଦୋହରାଇବା ପରେ ଆର୍ଡେନ୍‌ କହିଥିଲେ, ମୁଁ ଜାନୁଆରି ମାସରେ ଗର୍ଭଧାରଣ କରିଛି। ପଦବିରେ ଥାଇ ସନ୍ତାନ ଜନ୍ମ ଦେବାରେ ମୁଁ ହେବି ବିଶ୍ୱରେ ଦ୍ୱିତୀୟ ରାଷ୍ଟ୍ରମୁଖ୍ୟ। ସନ୍ତାନ ଜନ୍ମ ଉଦ୍ଦେଶ୍ୟରେ ମୁଁ ଛଅ ସପ୍ତାହ ପାଇଁ ମାତୃତ୍ୱ ଛୁଟି ନେବି।

ଆର୍ଡେନ୍‌ଙ୍କ ଏତିକି ଉତ୍ତରରେ ସନ୍ତୁଷ୍ଟ ହୋଇ ନଥିଲେ ପ୍ରଶ୍ନକର୍ତ୍ତା ବରିଷ୍ଠ ସମ୍ବାଦଦାତା ଊଲେ। ପରବର୍ତ୍ତୀ ପ୍ରଶ୍ନ ସେ ପଚାରିଥିଲେ, ‘ଆଚ୍ଛା ଗର୍ଭଧାରଣ ପାଇଁ ଆପଣ କେବେ ଯୌନ ସଂପର୍କ ସ୍ଥାପନ କରିଥିଲେ?’ ପ୍ରଶ୍ନକର୍ତ୍ତାଙ୍କ ଏ ପ୍ରଶ୍ନ ସେତେବେଳକୁ ସମସ୍ତ ସୀମା ଅତିକ୍ରମ କରିସାରି ଥିଲା। ତଥାପି ଆର୍ଡେନ୍‌ ଉତ୍ତର ଦେଇଥିଲେ ଠିକ୍‌ ଭାବେ ମନେ ନାହିଁ।’

ଏହି ସାକ୍ଷାତକାରକୁ ନେଇ ଏବେ ବିଶ୍ୱବ୍ୟାପି ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ସଂପୃକ୍ତ ଚ୍ୟାନେଲ ଓ ସମ୍ବାଦଦାତାଙ୍କର ଘୋର ନିନ୍ଦା କରିଛନ୍ତି ଦର୍ଶକ। କିନ୍ତୁ ତଥାପି ସଂପୃକ୍ତ ଚ୍ୟାନେଲ ଆର୍ଡେନ୍‌ଙ୍କ ଏହି ସାକ୍ଷାତକାରକୁ ‘ଯୁବା, ସଚ୍ଚୋଟ ଓ ଗର୍ଭବତୀ’ ଆଖ୍ୟା ଦେଇ ଏହାର ପ୍ରଚାର ଚଳାଇଛି।

ସମ୍ବନ୍ଧିତ ଖବର