୯ ଭାରତୀୟଙ୍କ ପତ୍ତା ମିଳୁନି, ଆକ୍ରମଣକୁ ବିଶ୍ବବ୍ୟାପୀ ନିନ୍ଦା

ୱେଲିଂଟନ : ନ୍ୟୁଜିଲାଣ୍ଡ୍‌ର ଖ୍ରୀଷ୍ଟ୍‌ଚର୍ଚ୍ଚ ସହରରେ ଆଜି ଦୁଇଟି ମସ୍‌ଜିଦ୍‌ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଭାରତ ସମେତ ବିଶ୍ବର ସମସ୍ତ ପ୍ରମୁଖ ରାଷ୍ଟ୍ର ଏହାର ଦୃଢ଼ ନିନ୍ଦା କରିଛନ୍ତି। ଏହି ଦୁଃଖର ସମୟରେ ନ୍ୟୁଜିଲାଣ୍ଡ୍‌ର ଜନସାଧାରଣଙ୍କ ସହିତ ଭାରତ ଦୃଢ଼ ଭାବେ ରହିଛି ଏବଂ ଏହି ବର୍ବର ଆକ୍ରମଣର ଦୃଢ଼ ନିନ୍ଦା କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ନ୍ୟୁଜିଲାଣ୍ଡରେ ଭାରତର ହାଇକମିସନର ସଂଜୀବ କୋହଲି କହିଛନ୍ତି ଯେ ଏହି ଘଟଣାରେ ୯ ଜଣ ଭାରତୀୟ ନିଖୋଜ ଅଛନ୍ତି ଏବଂ ସେମାନଙ୍କ ପତ୍ତା ମିଳୁନାହିଁ। ନିଖୋଜ ୯ ଜଣଙ୍କ ମଧ୍ୟରୁ ୫ ଜଣ ତେଲେଙ୍ଗାନା ଏବଂ ଗୁଜରାଟର ବୋଲି ଜଣାପଡ଼ିଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କହିଛନ୍ତି ଯେ ଏହି ଭୟାନକ ଗଣହତ୍ୟା ଘୃଣା ହିଂସାର ବୀଭତ୍ସ ରୂପକୁ ପୁଣି ଥରେ ସାମ୍ନାକୁ ଆଣିଛନ୍ତି। ନ୍ୟୁଜିଲାଣ୍ଡ୍‌କୁ ଏହି ମାମଲାରେ ସମସ୍ତ ସହାୟତା ଯୋଗାଇଦେବାକୁ ଆମେରିକା ପ୍ରସ୍ତୁତ ରହିଛି ବୋଲି ଟ୍ରମ୍ପ୍‌ କହିଛନ୍ତି। ଫ୍ରାନ୍ସ, ଜର୍ମାନୀ, ରୁଷିଆ ଏବଂ ଅଷ୍ଟ୍ରେଲିଆ ଏହି ଆକ୍ରମଣକୁ ମାନବତା ବିରୋଧୀ ଜଘନ୍ୟ ହିଂସା ବୋଲି କହିଛନ୍ତି। ସଭ୍ୟ ସମାଜ ଏଭଳି ଆକ୍ରମଣକୁ ବରଦାସ୍ତ କରିବ ନାହିଁ ବୋଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା କହିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ ଇସ୍‌ଲାମକୁ ବିରୋଧ କରି ଏହି ଆକ୍ରମଣ ହୋଇଛି ଏବଂ ଏହାଦ୍ବାରା ଆତଙ୍କବାଦର କୌଣସି ଧର୍ମନାହିଁ ବୋଲି ପ୍ରମାଣିତ ହୋଇଛି ।

ସମ୍ବନ୍ଧିତ ଖବର