ଭାରତର କରୋନା ଟିକା ‘କୋଭାକ୍ସିନ’କୁ ଅନୁମତି ଦେଲା ନ୍ୟୁଜିଲାଣ୍ଡ, ୯୬ଟି ଦେଶ ଅନୁମତି ଦେଲେଣି

ନୂଆଦିଲ୍ଲୀ : ଭାରତର ସ୍ବଦେଶୀ କରୋନା ଟିକା କୋଭାକ୍ସିନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁମତି ଦେବା ପରେ ଅନ୍ୟ ଦେଶମାନେ ଏହି ଟିକାକୁ ଅନୁମତି ଦେଇଚାଲିଛନ୍ତି । ନିକଟରେ ନ୍ୟୁଜିଲାଣ୍ଡ ସରକାର ଏହି ଟିକାକୁ ଅନୁମତିପ୍ରାପ୍ତ ଟିକା ତାଲିକାରେ ସାମିଲ କରିଛନ୍ତି । ଏହାଛଡ଼ା ସେରମ ଇନଷ୍ଟିଚ୍ୟୁଟ୍ ଦ୍ବାରା ଉତ୍ପାଦିତ କୋଭିସିଲଡ ଟିକାକୁ ବି ନ୍ୟୁଜିଲାଣ୍ଡ ସରକାର ଅନୁମତି ଦେଇଛନ୍ତି । ନ୍ୟୁଜିଲାଣ୍ଡ ସରକାର ମୋଟ ୮ଟି କରୋନା ଟିକାକୁ ଅନୁମତି ଦେଇଛନ୍ତି ।

ଏ ସମ୍ପର୍କରେ ଟୁଇଟ କରି ସୂଚନା ଦେଇଛନ୍ତି ନ୍ୟୁଜିଲାଣ୍ଡରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ମୁକ୍ତେଶ ପରଦେଶୀ । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଟିକାକୁ ଅନୁମତି ଦେବା ପରେ ନ୍ୟୁଜିଲାଣ୍ଡ ସରକାର ଭାରତ ଉପରେ ଲାଗୁ ଯାତ୍ରା କଟକଣାକୁ ଖୁବଶୀଘ୍ର ହଟାଇ ନେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Image Courtesy of Zee News

କୋଭାକ୍ସିନକୁ ଇତି ମଧ୍ୟରେ ବିଶ୍ବର ୯୬ଟି ଦେଶ ଅନୁମତି ଦେଇସାରିଲେଣି । ଏସବୁ ଦେଶଙ୍କ ମଧ୍ୟରେ ରହିଛି ଆମେରିକା, କାନାଡା,ଅଷ୍ଟ୍ରେଲିଆ, ସ୍ପେନ, ଫ୍ରାନ୍ସ, ବ୍ରିଟେନ, କାତାର, ୟୁଏଇ ଓ ଜର୍ମାନୀ ।

ଚଳିତ ମାସ ଆରମ୍ଭରେ କୋଭାକ୍ସିନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରିଥିଲା । ଭାରତ ସରକାର ଗତ ସୋମବାରଦିନ ୯୯ ଦେଶର ଲୋକମାନଙ୍କୁ ଭାରତକୁ ଏକାନ୍ତବାସ-ମୁକ୍ତ ଯାତ୍ରା କରିବାକୁ ଅନୁମତି ଦେଇଥିଲେ । ଅର୍ଥାତ ସେମାନେ ଯଦି ଟିକା ନେଇଥିବେ, ତେବେ ଭାରତ ଆସିଲେ ସେମାନଙ୍କୁ କ୍ବାରାଣ୍ଟାଇନ ବା ଏକାନ୍ତବାସରେ ରହିବାକୁ ପଡ଼ିବ ନାହିଁ ।

ସମ୍ବନ୍ଧିତ ଖବର