ବେଙ୍ଗାଲୁରୁ: କର୍ଣ୍ଣାଟକର ଶିବମୋଗା ଜିଲ୍ଲାର ଏକ ସରକାରୀ ହସ୍ପିଟାଲରୁ କୁକୁର ନବଜାତକୁ ଝୁଣି ନେଇ ମାରି ଦେଇଥିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ହସ୍ପିଟାଲରେ ଥିବା ସୁରକ୍ଷାକର୍ମୀ କୁକୁର ମୁହଁରୁ ନବଜାତକୁ ଉଦ୍ଧାର କରିଥିଲେ ହେଁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

Advertisment

ଡାକ୍ତରଖାନା‌ରେ ନିୟୋଜିତ ଥିବା ସୁରକ୍ଷାକର୍ମୀମାନେ କହିଛନ୍ତି, ପ୍ରସୂତୀ ଓ୍ବାର୍ଡରେ କୁକୁର ପଶି ନବଜାତକୁ ଟାଣି ନେଇଥିଲା। ଏହି ଘଟଣା ସମ୍ପର୍କରେ ୱାର୍ଡରେ ଥିବା କୌଣସି ସଦସ୍ୟ ଜାଣି ପାରି ନଥିଲେ। ବାହାରେ କୁକୁର ପାଟିରେ ଆମେ ନବଜାତକୁ ଦେଖି ଭୟଭୀତ ହୋଇଯାଇଥିଲୁ। ଏହାପରେ କୁକୁର ପାଟିରୁ ନବଜାତକୁ ଉଦ୍ଧାର କରିବା ପାଇଁ  ଦୌଡ଼ି ଥିଲୁ। ନବଜାତକୁ କୁକୁର ପାଟିରୁ ଉଦ୍ଧାର କରିବା ପରେ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ ନେଇ ଯାଇଥିଲୁ। କିନ୍ତୁ ଦୁଃଖର ବିଷୟ ଡାକ୍ତର ଶିଶୁକୁ ଦେଖିବା ପରେ ମୃତ ଘୋଷଣା କରିଥିଲେ।

ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଶିଶୁର ମାତାପିତା କିଏ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଚିହ୍ନଟ ହୋଇପାରି ନଥିଲା। ଏଯାବତ କୌଣସି ପିତାମତା ସେମାନଙ୍କ ନବଜାତକୁ ପାଇ ନଥିବା ନେଇ କିଛି ବି ଅଭିଯୋଗ ଆଣି ନାହାନ୍ତି।

ପୁଲିସ ଉକ୍ତ ନବଜାତକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ନବଜାତର ବ୍ୟବ‌ଚ୍ଛେଦ ରିପୋର୍ଟ ଆସିଲେ ଯାଇ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ।