ରାଜସ୍ଥାନ ଡାକ୍ତରଖାନାରେ ନବଜାତକଙ୍କୁ ଜାତକ ଯୋଗାଇ ଦେବେ ସରକାର

ଜୟପୁର: ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଜନ୍ମ ହେଉଥିବା ପିଲାମାନଙ୍କର ଜାତକ କରିଦେବା ସହ ସେମାନଙ୍କ ଲାଗି ହିନ୍ଦୁ ଜ୍ୟେତିଷ ସଂକେତ ଆଧାରିତ ନାଁ ବାଛିଦେବା ପାଇଁ ରାଜସ୍ଥାନ ସରକାର ଯୋଜନା କରୁଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଜୟପୁରର ପାଞ୍ଚଟି ସରକାରୀ ଡାକ୍ତରଖାନାକୁ ଏହି ଯୋଜନା ଅନ୍ତର୍ଭୁକ୍ତ କରାଯାଇ ସେଠାରେ ନବଜାତକମାନଙ୍କୁ ମାଗଣାରେ ଜାତକ ଦିଆଯିବ। ଦ୍ୱିତୀୟ ପର୍ଯ୍ୟାୟରେ ସରକାରୀ ଡାକ୍ତରଖାନା ପ୍ରତି ଜାତକ ନିମନ୍ତେ ୫୧ ଟଙ୍କା ନେବେ ଏବଂ ଘରୋଇ ଡାକ୍ତରଖାନା ୧୦୧ ଟଙ୍କା ନେବେ।

ରାଜସ୍ଥାନରେ ୧୬, ୭୨୮ଟି ସରକାରୀ ଡାକ୍ତରଖାନା ଏବଂ ୫୪ଟି ପଞ୍ଜିକୃତ ବେସରକାରୀ ଡାକ୍ତରଖାନା ରହିଛି।

ରାଜସ୍ଥାନରେ ଶାସନ କ୍ଷମତାକୁ ଆସିଥିବା କଂଗ୍ରେସ ଦଳ ୨୦୧୮ ବିଧାନସଭା ନିର୍ବାଚନ ମେନିଫେଷ୍ଟୋରେ ସଂସ୍କୃତ ଶିକ୍ଷା ଏବଂ ସଂସ୍କୃତ  ଭାଷାର ପ୍ରସାର ଓ ରାଜ୍ୟରେ ବୈଦିକ କର୍ମ ଏବଂ ଶିକ୍ଷା ବୋର୍ଡ ସ୍ଥାପନ  ଲାଗି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ପୂରଣର ପ୍ରଥମ ଉଦ୍ୟମ ଭାବେ ଜାତକ ବଣ୍ଟନ ଆରମ୍ଭ କରାଯାଉଥିବା ଜଣାପଡ଼ିଛି।

ଜାନୁଆରି ୩ ତାରିଖ ଦିନ ପ୍ରସ୍ତାବ ଉପରେ ବୈଠକ ଆଗତ ହେବା ପରେ ଜୟପୁରସ୍ଥିତ ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ ରାଜସ୍ଥାନ ସାନ୍‌ସ୍କ୍ରିଟ୍‌ ୟୁନିଭର୍ସିଟିକୁ ଯୋଜନାର ରୂପରେଖ ଦେବା ଲାଗି ଦାୟିତ୍ୱ ନ୍ୟସ୍ତ କରାଯାଇଛି।

ଏହି ଯୋଜନାର ନାମ ରାଜୀବ ଗାନ୍ଧୀ ଜନ୍ମପତ୍ରୀ-ନାମକରଣ ଯୋଜନା ରଖାଯାଇ ପାରେ।

ସମ୍ବନ୍ଧିତ ଖବର