ଇସ୍ଲାମାବାଦରେ ଭାରତୀୟ ଅଧିକାରୀ ନିଖୋଜ ଘଟଣା : ପାକିସ୍ତାନ ହାଇ କମିଶନ ମୁଖ୍ୟଙ୍କୁ ଡକାଇଲା ବୈଦେଶିକ ମନ୍ତ୍ରାଳୟ 

ନୂଆଦିଲ୍ଲୀ : ଇସ୍ଲାମାବାଦରେ ଥିବା ଭାରତୀୟ ହାଇକମିଶନର ଦୁଇଜଣ କର୍ମଚାରୀ ଆଜି ସକାଳୁ ନିଖୋଜ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳିପାରିନାହିଁ । ଘଟଣାକୁ ଗୁରୁତ୍ୱର ସହ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନର ମୁଖ୍ୟ ସୟଦ ହାଇଦର ଶାହାଙ୍କୁ ଡକାଇ ଚିନ୍ତା ପ୍ରକଟ କରିଛି ।

ଆଜି ସକାଳ ସାଢେ ୮ଟା ବେଳେ ଏହି ଦୁଇ କର୍ମଚାରୀ ସରକାରୀ କାମରେ ବାହାରକୁ ଯାଇଥିବାବେଳେ ସେମାନେ ନିଜ ଗନ୍ତବ୍ୟ ସ୍ଥାନରେ ପହଞ୍ଚିନଥିଲେ । ସେମାନେ ନିଖୋଜ ହେବା ସମ୍ପର୍କରେ ପାକିସ୍ତାନରେ ଥିବା ଭାରତୀୟ ହାଇକମିଶନର ମୁଖପାତ୍ର ତଥା ପ୍ରଥମ ସଚିବ ଅଖିଳେଶ ସିଂ ସୂଚନା ଦେଇଥିଲେ । ଏହା ଜଣାପଡ଼ିବା ପରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟରେ ହଇଚଇ ସୃଷ୍ଟି ହୋଇଥିଲା ।

ଭାରତୀୟ କର୍ମଚାରୀ ନିଖୋଜ ହେବା ପଛରେ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ରହିଛି ବୋଲି ଭାରତ ସରକାର ସଂଦେହ କରୁଛନ୍ତି ।

କିଛିଦିନ ତଳେ ରିପୋର୍ଟ ଆସିଥିଲା ଯେ ଭାରତୀୟ ହାଇକମିଶନର କର୍ମଚାରୀଙ୍କୁ ସବୁବେଳେ ପିଛା କରାଯାଉଛି । ଏହା ସହିତ ଅସ୍ଥାୟୀ ହାଇକମିଶନର ଗୌରବ ଆଲୁଓ୍ଵାଲିଆଙ୍କ ବାସଭବନ ନିକଟରେ ଆଇଏସଆଇର ଲୋକ ଜଗିରହୁଛନ୍ତି ।

ଗତ ମାସରେ ଗୁପ୍ତଚରବୃଦ୍ଧି ଅଭିଯୋଗରେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନର ଦୁଇ କର୍ମଚାରୀଙ୍କୁ ଭାରତ ସରକାର ଭାରତରୁ ନିର୍ବାସିତ କରିଥିଲେ । ଏହା ପରେ ପାକିସ୍ତାନ ପକ୍ଷରୁ ପ୍ରତିଶୋଧ ନେବା ପାଇଁ ଏହା କରାଯାଉଥିବା ସଂଦେହ କରାଯାଉଛି ।

ସମ୍ବନ୍ଧିତ ଖବର