ନୂଆଦିଲ୍ଲୀ: ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ସାକିବ ଉଲ ହସନଙ୍କୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଇଥାଏ। ବାଂଲାଦେଶର ଷ୍ଟାର କ୍ରିକେଟର ମଗୁରା-୧ ନିର୍ବାଚନ ମଣ୍ଡଳୀରୁ ଅବାମି ଲିଗ ପାର୍ଟି ପାଇଁ ନିର୍ବାଚନ ଲଢ଼ି ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ତେବେ ବିଜୟୀ ହେବାର କିଛି ସମୟ ପରେ ସାକିବ ତାଙ୍କର ଜଣେ ଫ୍ୟାନଙ୍କୁ ଶକ୍ତ ଚାପୁଡ଼ା ମାରିଥିବାର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି।
ବାଂଲାଦେଶର ଏକ ସ୍ଥାନୀୟ ଚାନେଲ ମୁତାବକ, ସାକିବ ଫ୍ୟାନ୍ସଙ୍କୁ ମାଡ଼ ମାରିବାର ଘଟଣା ଜାନୁଆରି ୩ ତାରିଖରେ ଘଟିଛି। ସାକିବ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିବା ପାଇଁ ଅବାମି ଲିଗ ପାର୍ଟି ପକ୍ଷରୁ ଫରିଦପୁରରେ ଆୟୋଜିତ ହୋଇଥିବା ରାଲିରେ ସାମିଲ ହେବାକୁ ଯାଉଥିଲେ। ଏହି ସମୟରେ ଜଣେ ଫ୍ୟାନ ସାକିବଙ୍କ ସହିତ ଫଟୋ ଉଠାଇବା ପାଇଁ ତାଙ୍କୁ ପଛରୁ ଧରି ନେଇଥିଲେ। ଏହି ଘଟଣାରେ କ୍ରିକେଟର ରାଗି ଯାଇ ଉକ୍ତ ଫ୍ୟାନଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ। କ୍ରିକେଟରଙ୍କ ଏଭଳି ସ୍ବଭାବ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଅସନ୍ତୋଷ ବ୍ୟକ୍ତ କରିଥିଲେ।
Shakib Al Hasan slapped a fan..!pic.twitter.com/KaUbabgkCX
— Mufaddal Vohra (@mufaddal_vohra) January 7, 2024
ଫ୍ୟାନଙ୍କୁ ଚାପୁଡ଼ା ମାରିବାର ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲିବା ପରେ କିଛିଲୋକ ଦାବି କରୁଛନ୍ତି କି, ଏହି ଭିଡିଓ ମତଦାନ ଦିନ ସାମ୍ନାକୁ ଆସିଛି। ଆଉ କିଛି ଜଣଙ୍କ କହିବାନୁସାରେ, ଏହି ଘଟଣା ଗୋଟିଏ ସପ୍ତାହ ପୂର୍ବରୁ ଘଟିଛି। ତେବେ ଘଟଣାର ସମୟକୁ ନେଇ ଭ୍ରମ ଥିବା ବେଳେ ଭିଡିଓରେ ସାକିବ ଫ୍ୟାନଙ୍କୁ ଶକ୍ତ ଚାପୁଡ଼ା ମାରୁଥିବାର ଦୃଶ୍ୟ କିନ୍ତୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।