କାଠମାଣ୍ଡୁ: ପେଟରେ ଯନ୍ତ୍ରଣା ହେବାରୁ ନେପାଳର ନବ ନିର୍ବାଚିତ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼େଲ୍ଙ୍କୁ କାଠମାଣ୍ଡୁର ମହାରାଜାଗଞ୍ଜସ୍ଥିତ ‘ତ୍ରିଭୁବନ ୟୁନିଭର୍ସିଟି ଟିଚିଙ୍ଗ୍ ହସ୍ପିଟାଲ୍’ ଭର୍ତ୍ତି କରାଯାଇଛି।
ହସ୍ପିଟାଲ୍ ଜାରି କରିଥିବା ଔପଚାରିକ ବିବୃତିରେ ଉଲ୍ଲେଖ ଅଛି, ପେଟ ବିନ୍ଧୁଛି ବୋଲି କହିବାରୁ ପୌଡ଼େଲ୍ଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ଶନିବାର ରାତିରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଡାକ୍ତରଙ୍କ ତତ୍ତ୍ବାବଧାନରେ ଅଛନ୍ତି।
ମାତ୍ର ଦୁଇ ସପ୍ତାହ ତଳେ ନେପାଳୀ କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ପୌଡ଼େଲ୍ ନେପାଳର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ପୌଡ଼ାଲ୍ଙ୍କୁ ୩୩,୮୦୨ ‘ଇଲେକ୍ଟୋରାଲ୍ ଭୋଟ୍’ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବି ସୁଭାଷ ଚନ୍ଦ୍ର ନେମ୍ବ୍ୱାଙ୍ଗ୍ ୧୫,୫୧୮ ଇଲେକ୍ଟୋରାଲ୍ ଭୋଟ୍ ପାଇଥିଲେ ବୋଲି ନେପାଳର ନିର୍ବାଚନ କମିସନ୍ କହିଥିଲେ।
/sambad/media/post_attachments/wp-content/uploads/2023/04/rcp1.jpg)
୧୯୪୪ ମସିହା ଅକ୍ଟୋବର ୧୪ ତାରିଖରେ ବାହୁନ୍ପୋଖରିରେ ଏକ ମଧ୍ୟବିତ୍ତ କୃଷକ ପରିବାରରେ ଜନ୍ମିତ ପୌଡ଼େଲ୍ ମାତ୍ର ୧୬ ବର୍ଷ ବୟସରେ ରାଜନୀତିରେ ଯୋଗ ଦେଇଥିଲେ। ୧୯୭୦ରେ ସେ ‘ନେପାଳୀ କଂଗ୍ରେସ’ ଶିକ୍ଷାର୍ଥୀ ୟୁନିଟ୍ ‘ନେପାଳ ଷ୍ଟୁଡେଣ୍ଟ୍ସ୍ ୟୁନିୟନ୍’ର କେନ୍ଦ୍ରୀୟ ସଂସ୍ଥାପକ ସଦସ୍ୟ ହୋଇଥିଲେ।
୧୯୮୦ ପୌଡ଼େଲ୍ ‘ନେପାଳୀ କଂଗ୍ରେସ’ର (ନିଷିଦ୍ଧ କରାଯାଇଥିବା) ତାନ୍ହୁ ଜିଲ୍ଲା କମିଟିର ଉପସଭାପତି ଭାବେ ନିଯୁକ୍ତ ହୋଇଥିଲେ। ୧୯୮୭ରେ ଦଳର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟିକୁ ଉନ୍ନୀତ ହୋଇ ପ୍ରଚାର କମିଟିର ମୁଖ୍ୟ ହୋଇଥିଲେ। ୨୦୦୫ରେ ସେ ଦଳର ସାଧାରଣ ସମ୍ପାଦକ, ୨୦୦୭ରେ ଉପାଧ୍ୟକ୍ଷ ଏବଂ ୨୦୧୫ରେ ଅଧ୍ୟକ୍ଷ ହୋଇଥିଲେ।