ପାନିପତ: କରୋନା ମହାମାରୀ ଯୋଗୁଁ କୋଟିଏ ଲୋକ ରୋଜଗାର ହରାଇଥିବା ବେଳେ ଅନେକ ଲୋକଙ୍କ ଚାକିରି ଚାଲିଯାଇଛି | ଲକଡାଉନ୍ କଟକଣା ଉଠିବା ପରେ ମଧ୍ୟ ଏଯାଏଁ ଅର୍ଥ ବ୍ୟବସ୍ଥାରେ ସୁଧାର ଆସିନାହିଁ | କରୋନା ମହାମାରୀ ହେତୁ ରୋଜଗାର ହରାଇଥିବା ପାନିପତର ଏକ ନବବିବାହିତ ଦମ୍ପତ୍ତି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ହରିୟାଣା ପାନିପତ ଜିଲ୍ଲା ରାଜନଗର ଅଞ୍ଚଳରେ ବସବାସ କରୁଥିବା ୨୮ ବର୍ଷ ବୟସ୍କ ଆବେଦଙ୍କ ବିବାହ ଗତ ଅଗଷ୍ଟ ୧୦ ତାରିଖରେ ବିକାଶ ନଗରସ୍ଥିତ ନଜମାଙ୍କ ସହିତ ହୋଇଥିଲା।
ଆବେଦ ୱେଲଡିଂ କାମ କରନ୍ତି | କିନ୍ତୁ କରୋନା ଓ ଲକଡାଉନ୍ ଯୋଗୁଁ ସେ ନିଜର ଏହି ରୋଜଗାର ହରାଇ ଦେଇଥିଲେ | ପ୍ରତିଦିନ ସକାଳୁ ସେ କାମ ଖୋଜିବାକୁ ବାହାରି ଯାଇ ସନ୍ଧ୍ୟାରେ ଘରକୁ ଫେରୁଥିଲେ | ଏହାକୁ ନେଇ ପତି-ପତ୍ନୀଙ୍କ ମଧ୍ୟରେ ଝଗଡା ହେଉଥିଲା | କିଛି କାମ ନଥିବାରୁ ସେ ଧୀରେଧୀରେ ବିଚଳିତ ହୋଇପଡ଼ିଥିଲେ। ଶେଷର ଉଭୟ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି |
ନମଦମ୍ପତ୍ତିଙ୍କ ଏହି ଆତ୍ମହତ୍ୟା ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପତି-ପତ୍ନୀଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ବ୍ୟବଚ୍ଛେଦ ପରେ ପୁଲିସ ଉଭୟ ଶବକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି |
ଆବେଦଙ୍କ ବଡ ଭାଇ ଜାବେଦ କହିଛନ୍ତି, ସକାଳୁ ଉଠିବା ପରେ ସେ ଯେତେବେଳେ ତଳକୁ ଆସିଥିଲେ ଆବେଦ ଓ ତାଙ୍କ ପତ୍ନୀଙ୍କୁ ଦେଖି ନଥିଲେ | ଝରକା ପଟେ ଦେଖିଲା ବେଳକୁ ଉଭୟ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି | ଘରଲୋକ କବାଟ ଭାଙ୍ଗି ଉଭୟ ଶବକୁ ତଳକୁ ଓହ୍ଲାଇ ପୁଲିସକୁ ଖବର ଦେଇଥିଲେ | ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି।