ଶାଶୂଘରେ ଆପତ୍ତି କରିବାରୁ ସ୍ବାମୀଙ୍କୁ ଛାଡ଼ି ପଳାଇଲେ ‘ଫେସ୍‌ବୁକ୍‌’ ଓ ‘ଇନ୍‌ଷ୍ଟ୍ରାଗ୍ରାମ’ରେ ନିଶାରେ ପଡ଼ିଥିବା ନବବଧୂ

ପାଟନା: ଶାଶୂଘର ଲୋକେ ଆପତ୍ତି କରିବାରୁ ବିହାରର ହାଜିପୁର ଅଞ୍ଚଳରେ ‘ଫେସ୍‌ବୁକ୍‌’ ଓ ‘ଇନ୍‌ଷ୍ଟ୍ରାଗ୍ରାମ’ ପ୍ରତି ଆସକ୍ତ ଥିବା ଜଣେ ନବବଧୂ ତାଙ୍କ ସ୍ବାମୀଙ୍କୁ ଛାଡ଼ି ପଳାଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ସବା ଖାତୁନ୍‌ ନାମକ ଏହି ତରୁଣୀ ପ୍ରାୟ ୧୫ ଦିନ ପୂର୍ବେ ଇଲିୟାସ୍‌ ନାମରେ ଜଣେ ଯୁବକଙ୍କୁ ବାହା‌ ହୋଇଥିଲେ। ଘରୁ ବାହାଘରର ମାହୋଲ୍‌ ଶେଷ ହୋଇ ନ ଥିବା ବେଳେ ଭଉଣୀ ସବାଠାରୁ ଅଭିଯୋଗ ଶୁଣି ତା’ଙ୍କ ଭାଇ ଇଲିୟାସ୍‌ଙ୍କୁ ରିଭଲ୍‌ଭର୍‌ ଦେଖାଇଲେ।

ପୁଲିସ କହିବା ଅନୁସାରେ, ସବାଙ୍କ ଶାଶୂଘର ଲୋକେ କହୁଛନ୍ତି ଯେ, ସେ ଦିନ ସାରା ‘ଇନ୍‌ଷ୍ଟାଗ୍ରାମ୍‌’ ଓ ‘ଫେସ୍‌ବୁକ୍‌’ରେ ମାତିବା ସହିତ ମୋବାଇଲ୍‌ ଫୋନ୍‌ ବ୍ୟବହାରରେ ବ୍ୟସ୍ତ ରହୁଛି।

ସବାଙ୍କର ଏଭଳି କାର୍ଯ୍ୟରେ ସ୍ବାମୀ ଇଲିୟାସ୍‌ ଥରେ ଆପତ୍ତି କରିବାରୁ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏକଥା ସବା ତା’ର ବାପାମାଆ ଓ ଭାଇଙ୍କୁ ଜଣାଇବାରୁ ମାଡ଼ପିଟ୍‌ର ସୂତ୍ରପାତ ହୋଇଥିଲା ବୋଲି ପୁଲିସ କହିଛି।

ମାଡ଼ପିଟ୍‌ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କ ପରିବାରର ସଦସ୍ୟମାନଙ୍କୁ ଥାନାକୁ ନେଇ ଆସିଲେ। ଘଟଣା ସଂକ୍ରାନ୍ତରେ ସବାଙ୍କ ମାଆ ରାଜିଆ ଖାଁ ଦେଇଥିବା ବୟାନ୍‌ରେ କହିଛନ୍ତି ଯେ, ଶାଶୂଘର ଲୋକେ ତାଙ୍କ ଝିଅଠୁ ମ‌ୋବାଇଲ୍‌‌ ଫୋନ୍‌ ଛଡ଼ାଇ ନେଇଛନ୍ତି। ତାକୁ ଆମ ସହିତ ଫୋନ୍‌ରେ କଥାବାର୍ତ୍ତା କରାଇ ଦେଉନାହାନ୍ତି।

ଇଲିୟାସ୍‌ଙ୍କୁ ପିସ୍ତଲ୍‌ ଦେଖାଇଥିବା ଅଭିଯୋଗରେ ସବାଙ୍କ ଭାଇଙ୍କୁ ଗିରଫ କରାଯିବାରୁ ସବା ପୁଲିସକୁ କହିଲେ ଯେ, ସେ ତାଙ୍କ ସ୍ବାମୀ ଓ ଶାଶୂଘର ଛାଡ଼ି ଚାଲିଯିବେ ପଛେ ଫୋନ୍‌ ଛାଡ଼ି ପାରିବେ ନାହିଁ। ଶେଷରେ ସବା ଶାଶୂ ଘର ଛାଡ଼ି ସମ୍ପ୍ରତି ବାପଘରକୁ ଚାଲିଯାଇଛନ୍ତି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର