ନୂଆଦିଲ୍ଲୀ: ଚୀନ୍‌ରୁ ପାଣ୍ଠି ସଂଗ୍ରହ କରିବା ଅଭିଯୋଗରେ ଦିଲ୍ଲୀ ପୁଲିସର ଏକ ସ୍ବତନ୍ତ୍ର ସେଲ୍‌ ଗଣମାଧ୍ୟମ ସଂସ୍ଥା ନ୍ୟୁଜ୍‌କ୍ଲିକ୍‌ ସାମ୍ବାଦିକଙ୍କ ଘରେ ଆଜି ସକାଳୁ ଚଢ଼ଉ କରିଥିଲା। ଗତକାଲି (ଅକ୍ଟୋବର ୨)ରେ ଦିଲ୍ଲୀ ପୁଲିସର ଏକ ସ୍ବତନ୍ତ୍ର ସେଲ୍‌ର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ମାମଲାକୁ କିପରି ଆଗକୁ ନିଆଯିବ ସେନେଇ ଆଲୋଚନା କରାଯାଇଥିଲା। ଆଜି ସକାଳ ୬ ଟାରୁ ଦିଲ୍ଲୀ, ନୋଇଡା, ଗାଜିଆବାଦ, ଗୁରୁଗ୍ରାମ ଏବଂ ମୁମ୍ବାଇର ୧୦୦ ରୁ ଅଧିକ ସ୍ଥାନରେ ଏହି ଚଢ଼ଉ ଆରମ୍ଭ ହୋଇଥିଲା।
ସୂଚନାନୁସାରେ, ଚଢ଼ଉ କରାଯିବା ପୂର୍ବରୁ ପ୍ରଥମେ ଅଭିଯୁକ୍ତମାନଙ୍କ ନାମରେ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା ଏବଂ ସେମାନଙ୍କୁ (ଏ, ବି, ସି) ବର୍ଗରେ ବିଭକ୍ତ କରାଯାଇଥିଲା। ଏ ବର୍ଗରେ ଅନ୍ତର୍ଭୁକ୍ତ ଲୋକଙ୍କୁ ଅଟକ ରଖାଯାଇଛି। ଏହି ଚଢ଼ଉରେ ଦିଲ୍ଳୀ ପୁଲିସର ପ୍ରାୟ ୫୦୦ ପୁଲିସ୍‌ ସଂପୃକ୍ତ ଥିଲେ।

Advertisment

ପୂର୍ବରୁ ଏ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ ମାମଲା ଦାୟର ହୋଇଥିଲା। ସେହି ମାମଲାକୁ ଭିତ୍ତି କରି ଦିଲ୍ଲୀ ପୁଲିସ୍‌ ମଙ୍ଗଳବାର ଦିଲ୍ଲୀ-ଏନସିଆର ଅଞ୍ଚଳରେ ନ୍ୟୁଜକ୍ଲିକ୍‌ ଗଣମାଧ୍ୟମ ଅଧିକାରୀ ତଥା ଏହାର କର୍ମଚାରୀଙ୍କ ବାସଭବନ ଉପରେ ଚଢ଼ଉ କରୁଥିବା ସୂଚନା ରହିଛି। ଜାଣିବାକୁ ମିଳିଛି ଯେ ସାମ୍ବାଦିକମାନଙ୍କୁ ଏ ନେଇ ପଚରାଉଚରା କରାଯିବା ପାଇଁ ପୁଲିସ୍‌ ଷ୍ଟେସନ୍‌ ନିଆଯାଇଛି।

ଉଲ୍ଲେଖଯୋଗ୍ୟ, ଆମେରିକାର କୋଟିପତି ନେଭିଲ୍‌ ରୟ ସିଂଘମ୍ ଚୀନ୍‌ର ବାର୍ତ୍ତାକୁ ବିଶ୍ୱବ୍ୟାପୀ ପହଞ୍ଚାଇବା ପାଇଁ ଏକ ଆର୍ଥିକ ନେଟୱାର୍କକୁ ପାଣ୍ଠି ଯୋଗାଉଥିବା ନ୍ୟୁୟର୍କ ଟାଇମ୍‌ସର ଏକ ଅନୁସନ୍ଧାନରୁ ନିକଟରେ ଜଣାପଡ଼ିଥିଲା। ଦୁଇ ବର୍ଷ ତଳେ ଏକ ନ୍ୟୁଜ୍‌ ୱେବସାଇଟ ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଇଥିଲା, ଯାହାର ଚେର ଏହି କୋଟିପତିଙ୍କ ପର୍ଯ୍ୟନ୍ତ ଲମ୍ବିଥିବ‌ା ଜାଣିବାକୁ ମିଳିଥିଲା । ଚୀନକୁ ବିଶ୍ୱର ବିଭିନ୍ନ ଦେଶରେ ନିଜର ବାର୍ତ୍ତା ପ୍ରଚାର କରିବାରେ ସେ ସାହାଯ୍ୟ କରୁଥିବା ନେଇ ଠୋସ୍‌ ପ୍ରମାଣ ମିଳିଥିଲା।

ନେଭିଲଙ୍କର ଭାରତରେ ନ୍ୟୁଜ୍‌କ୍ଲିକ୍‌ ନାମକ ଏକ ନ୍ୟୁଜ୍‌ ପୋର୍ଟାଲ ମଧ୍ୟ ଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦୁଇ ବର୍ଷ ତଳେ ଏହାର ଅନୁସନ୍ଧାନ କରିଥିଲା ଏବଂ ଜାଣିବାକୁ ପାଇଥିଲା ଯେ ଏହି ପୋର୍ଟାଲ୍‌ ବିଦେଶରୁ ପାଖାପାଖି ୩୮ କୋଟି ଟଙ୍କାର ପାଣ୍ଠି ପାଇଥିଲା। ଏହି ଟଙ୍କାର ମୂଳ ସୂତ୍ରକୁ ଖୋଜିବା ପ୍ରକ୍ରିୟାରେ ଇଡି ଯାଇ ପହଞ୍ଚିଥିଲା ଆମେରିକୀୟ କୋଟିପତି ସିଂଘମଙ୍କ ପାଖରେ।