ଖବରକାଗଜ ବାଣ୍ଟୁଛନ୍ତି ୧୨ ବର୍ଷର ବାଳକ: ପାଠ ପଢ଼ିବା ସମୟରେ କାମ କଲେ ଭୁଲ୍‌ କ’ଣ?

ପ୍ରଶଂସା‌ କଲେ ମନ୍ତ୍ରୀ କେଟି ରାମ ରାଓ

ହାଇଦ୍ରାବାଦ : ‘ପାଠ ପଢ଼ିବା ସହ କାମ କଲେ ଭୁଲ୍‌ କ’ଣ। କାମ କରିବାପାଇଁ ମତେ କେହି ବାଧ୍ୟ କରିନାହାନ୍ତି କି କୌଣସି ଆର୍ଥିକ ସଙ୍କଟ ପାଇଁ ମୁଁ କାମ କରୁନାହିଁ। ନିଜ ଇଚ୍ଛାରେ ମୁଁ କାମ କରୁଛି।’ ତେଲେଙ୍ଗାନାରେ ଘରକୁ ଘର ବୁଲି ଖବରକାଗଜ ପହଞ୍ଚାଉଥିବା ଜଣେ ୧୨ ବର୍ଷୀୟ ବାଳକଙ୍କର ଏଭଳି କଥା ଏବେ ସୋସିଆଲ ମିଡିଆରେ ପ୍ରସାରିତ ହେବାରେ ଲାଗିଛି। ତେଲେଙ୍ଗାନା ଆଇଟି ମନ୍ତ୍ରୀ କେଟି ରାମା ରାଓ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି।

ଶ୍ରୀ ପ୍ରକାଶ ଷଷ୍ଠ ଶ୍ରେଣୀରେ ପଢ଼ୁଛନ୍ତି। ପ୍ରତିଦିନ ସକାଳେ ସେ ସାଇକେଲ୍‌ରେ ଖବରକାଗଜ ନେଇ ଲୋକଙ୍କ ଘରେ ପହଞ୍ଚାଉଛନ୍ତି। ତେବେ ଏଥିପାଇଁ ତାଙ୍କୁ କେହି ବାଧ୍ୟ କରିନାହାନ୍ତି। ନିକଟରେ ଜଣେ ବ୍ୟକ୍ତି ତାଙ୍କୁ ବାଟରେ ଅଟକାଇ ପଚାରିଥିଲେ ଏତେ ଛୋଟ ବୟସରୁ ସେ ପାଠ ନପଢ଼ି କାମ କାହିଁକି କରୁଛନ୍ତି। ଏହାର ଉତ୍ତରରେ ବାଳକ ଜଣକ କହିଥିଲେ, ପାଠ ପଢ଼ିବା ସହ କାମ କଲେ ଭୁଲ୍‌ କ’ଣ ରହିଲା। ବର୍ତ୍ତମାନ ଏହି କାମ କଲେ ଭବିଷ୍ୟତରେ ଏହା ବି ମୋ ପାଇଁ ଉପଯୋଗୀ ହୋଇପାରିବ ବୋଲି ପ୍ରକାଶ କହିଛନ୍ତି। ପ୍ରକାଶ ଏହା କହୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ମନ୍ତ୍ରୀ କେଟି ରାମା ରାଓ ମଧ୍ୟ ଏହି ଭିଡିଓକୁ ସେୟାର କରି ପ୍ରଶଂସା କରିଛନ୍ତି। ଗତବର୍ଷ ନଭେମ୍ବରରୁ ପ୍ରକାଶ ଏହି କାର୍ଯ୍ୟ କରୁଛନ୍ତି। ପ୍ରକାଶ କହିଛନ୍ତି, ପ୍ରତିଦିନ ସକାଳୁ ଉଠି ସାଇକେଲ୍‌ ଚଲାଇବା ଦ୍ବାରା ତାଙ୍କ ରୋଗ ପ୍ରତି‌ରୋଧକ ଶକ୍ତି ମଧ୍ୟ ସୁଦୃଢ଼ ହେଉଛି। ଏହାଦ୍ବାରା ସେ ସବୁ ବିଷୟରେ ଅଧିକ ଭଲରେ ଧ୍ୟାନ ରଖି ପାରୁଛନ୍ତି। ଖାଲି ପ୍ରକାଶ ନୁହନ୍ତି ତାଙ୍କ ଭାଇ ସାଇ କ୍ରୀଷ୍ଣା ମଧ୍ୟ ଏହି କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର