ବିହାରରେ ରାଜନୈତିକ ଅସ୍ଥିରତାର ଆଉ ଏକ ଅଧ୍ୟାୟ ଆରମ୍ଭ ହେଲା : ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ : ବିହାରରେ ନୀତୀଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ନିଜ ରାଜନୈତିକ କ୍ୟାରିୟରରେ ସେ ୮ମ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି ।

ବିହାରରେ ଏହି ନୂଆ ରାଜନୈତିକ ସମୀକରଣ ସଂପର୍କରେ ମତ ରଖିଛନ୍ତି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର । ସେ କହିଛନ୍ତି ଯେ, ବିହାରରେ ଗତ ୧୦ ବର୍ଷ ମଧ୍ୟରେ ଏହା ହେଉଛି ୬ଷ୍ଠ ସରକାର । ଏହା ସହିତ ବିହାରରେ ରାଜନୈତିକ ଅସ୍ଥିରତାର ଆଉ ଏକ ଅଧ୍ୟାୟ ଆରମ୍ଭ ହେଲା । ଏପରି ପରିସ୍ଥିତିରେ ବିହାରରେ ଦୁଇଟି କଥା ସ୍ଥିର, ପ୍ରଥମଟି ହେଉଛି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଓ ୨ୟଟି ହେଉଛି ରାଜ୍ୟର ଦୁରବସ୍ଥା ।

ତେବେ ବିହାରରେ କ୍ଷମତା ପରିବର୍ତ୍ତନର କୌଣସି ପ୍ରଭାବ ଜାତୀୟ ରାଜନୀତି ଉପରେ ପଡ଼ିବ ନାହିଁ ବୋଲି ସେ କହିଛନ୍ତି ।

ଗତ ୨୦୧୫ରେ ବିହାରରେ କ୍ଷମତାକୁ ଆସିଥିବା ମହାଗଠବନ୍ଧନ ପଛରେ ପ୍ରଶାନ୍ତ କିଶୋରଙ୍କ ରଣନୀତି କାମ କରୁଥିଲା । ତେବେ ସେବର ମହାଗଠବନ୍ଧନ ସରକାର ଓ ନୂଆ ଗଠବନ୍ଧନ ସରକାର ମଧ୍ୟରେ କଣ ଫରକ ?

ଏ ସମ୍ପର୍କରେ ପ୍ରଶାନ୍ତ କହିଛନ୍ତି ଯେ ସେତେବେଳେ (୨୦୧୩ରେ) ନୀତୀଶ ଏନଡିଏ ଛାଡ଼ିଥିଲେ ଓ ତାଙ୍କୁ ମୋଦୀଙ୍କ ବିକଳ୍ପ ଭାବେ ଦେଖାଯାଉଥିଲା । ସେତେବେଳେ ମହାଗଠବନ୍ଧନର ଦଳମାନେ ମିଳିତଭାବେ ନିର୍ବାଚନ ଲଢିଥିଲେ । କିନ୍ତୁ ପରେ ନୀତୀଶ ଏହି ମେଣ୍ଟ ତ୍ୟାଗ କରି ବିଜେପି ସହ ହାତ ମିଳାଇଥିଲେ ।

କିନ୍ତୁ ଏବେ ନୀତୀଶଙ୍କ ଉପରେ ଲୋକଙ୍କ ଭରସା ହ୍ରାସ ପାଇବା ଆରମ୍ଭ କରିଛି । ବିଧାନସଭାରେ ତାଙ୍କ ଦଳର ଆସନ ସଂଖ୍ୟା ୨୦୧୫ ପୂର୍ବରୁ ୧୧୫ ଥିଲା, ୨୦୧୫ରେ ତାହା ୭୨କୁ ଖସି ଆସିଲା । ୨୦୨୦ରେ ତାହା ଆହୁରି କମି ୪୩କୁ କମିଗଲା ।

 

ସମ୍ବନ୍ଧିତ ଖବର