ସରକାର କ’ଣ ସବୁ ଦେବେ? ଆପଣମାନେ କ’ଣ ସେବା ପାଇବା ପାଇଁ ‌ଭୋଟ ଦେଉଛନ୍ତି? ଏଭଳି କହି ବିବାଦରେ ଆଇଏଏସ

ପାଟନା: ସରକାର କ’ଣ ସବୁ ଦେବେ? ଆପଣମାନେ କ’ଣ ସେବା ପାଇବା ପାଇଁ ‌ଭୋଟ ଦେଉଛନ୍ତି? ଏଭଳି ଅଜବ ପ୍ରଶ୍ନ ପଚାରି ବିବାଦୀୟ ହୋଇ ପଡ଼ିଛନ୍ତି ଆଇଏଏସ ଅଫିସର ହରଜୋତ କୌର। ବିହାର ମହିଳା ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶିକା ହରଜୋତ କୌର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ବୟାନ ଦେଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଏକ କାର୍ଯ୍ୟକ୍ରମରେ ଜଣେ ସ୍କୁଲ ଛାତ୍ରୀ ହରଜୋତଙ୍କୁ ପ୍ରଶ୍ନ କରିଥିଲେ ଯେ, ସରକାର ଅନେକ ମାଗଣା ସାମଗ୍ରୀ ଦେଉଛନ୍ତି। ସେ ଆମକୁ ୨୦-୩୦ଟଙ୍କାରେ ସାନିଟାରୀ ପ୍ୟାଡ୍ ଦେଇପାରିବେ କି? ଏହି ପ୍ରଶ୍ନର ସିଧା ଉତ୍ତର ରଖିବା ପରିବର୍ତ୍ତେ ହରଜୋତ କହିଥିଲେ, ଲୋକଙ୍କ ଦାବିଗୁଡ଼ିକର କୌଣସି ଅନ୍ତ ଅଛି କି? ଆସନ୍ତାକାଲି, ଆପଣ କହିବେ ସରକାର ଜିନ୍ସ ଓ ସୁନ୍ଦର ଜୋତା ମାଗଣାରେ ଦେବେ‌ କି। ଶେଷରେ ଆପଣ ସରକାରଙ୍କୁ ମାଗଣାରେ କଣ୍ଡୋମ ମଧ୍ୟ ମାଗିବେ।

ହରଜୋତଙ୍କ ଏଭଳି ଅଜବ ଉତ୍ତର ଶୁଣି ସ୍କୁଲ ଛାତ୍ରୀ କହିଥିଲେ ଯେ, ଲୋକଙ୍କ ଭୋଟ ପାଇବା ପରେ ହିଁ ସରକାର ଗଠନ ହୁଏ। ଏହା ଶୁଣି ହରଜୋତ କହିଥିଲେ ଯେ, ସରକାର କ’ଣ ସବୁ ଦେବେ? ଆପଣମାନେ କ’ଣ ସେବା ପାଇବା ପାଇଁ ‌ଭୋଟ ଦେଉଛନ୍ତି? ଏହାର ଉତ୍ତରରେ ସ୍କୁଲ ଛାତ୍ରୀ କହିଥିଲେ, ନିର୍ବାଚନ ସମୟରେ ସରକାର ସେବା ଯୋଗାଇବାର ପ୍ରତିଶ୍ରୁତି ଦେଇଥାନ୍ତି।

ଛାତ୍ରୀଙ୍କଠାରୁ ଏଭଳି ଉତ୍ତର ଶୁଣି ହରଜୋତ କହିଥିଲେ,  ଯଦି ଏଭଳି କଥା ତେବେ ଭୋଟ ଦିଅ ନାହିଁ। ପାକିସ୍ତାନ ଭଳି ହୋଇଯାଅ। ତେବେ ତାଙ୍କର ଏଭଳି ବୟାନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର