ସଂକ୍ରମଣ ୧୦% ଟପିଲା: ସକ୍ରିୟ ରୋଗୀଙ୍କ ସଂଖ୍ୟା ପ୍ରାୟ ୬ ଲକ୍ଷ, ଦିନକରେ ୧,୫୯,୬୩୨ ସଂକ୍ରମଣ

ଦିଲ୍ଲୀରେ ୨୨,୭୫୧ ନୂଆ ମାମଲା, ପଜିଟିଭ୍‌ ହାର ୨୩%

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଅତି ଦ୍ରୁତ ଗତିରେ ମାଡ଼ିଚାଲିଛି। ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ୧,୫୯,୬୩୨ ନୂଆ ମାମଲା ଚିହ୍ନଟ ହୋଇଛି। ଦେଶରେ ପଜିଟିଭିଟି ରେଟ୍‌ (ସଂକ୍ରମଣ ହାର) ୧୦ ପ୍ରତିଶତ ଅତିକ୍ରମ କରିଯାଇଛି। ଦେଶବ୍ୟାପୀ ଟିକାକରଣ ଅଭିଯାନରେ ଆଜି ସୁଦ୍ଧା ୧୫୧.୫୮ କୋଟି ଡୋଜ୍‌ ପ୍ରଦାନ କରାଗଲାଣି। ଦେଶରେ ବର୍ତ୍ତମାନ ସକ୍ରିୟ ମାମଲା ୫,୯୦,୬୧୧ ରହିଥିବା ବେଳେ ଆରୋଗ୍ୟ ହାର ୯୬.୯୮ ପ୍ରତିଶତ ରହିଛି। ବିଗତ ୨୪ ଘଣ୍ଟାରେ ୪୦,୮୬୩ ଜଣ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ୬୯ କୋଟି ଲୋକଙ୍କ ନମୂନା ପରୀକ୍ଷା ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୩୨୭ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ଆଜି ୨୨୭୫୧ ନୂଆ ସଂକ୍ରମଣ ଚିହ୍ନଟ ହେବା ସହ ସଂକ୍ରମଣ ହାର ୨୩ ପ୍ରତିଶତରେ ପହଞ୍ଚିଛି। ମୁମ୍ବାଇରେ ୧୯୪୭୪ ନୂଆ ସଂକ୍ରମଣ ଠାବ ହୋଇଛି ଏବଂ ୨୪ ଘଣ୍ଟାରେ ୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

ଦେଶରେ ଓମିକ୍ରନ ପ୍ରଜାତି ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ୩୬୨୩ରେ ପହଞ୍ଚିଛି ଏବଂ ସେମାନଙ୍କ ମଧ୍ୟରୁ ୧୪୦୯ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ମହାରାଷ୍ଟ୍ରରେ ସର୍ବାଧିକ ୧୦୦୯ଟି ଓମିକ୍ରନ୍‌ ମାମଲା ରହିଥିବା ବେଳେ ଦିଲ୍ଲୀରେ ୫୧୩ ରହିଛି। ଦେଶର ବିଭିନ୍ନ ଅଂଚଳରେ ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟମାନେ ନିଜ ନିଜ ସ୍ତରରେ କଟକଣା ଲାଗୁ କରିଛନ୍ତି। ଲୋକେ ସାମାଜିକ ଦୂରତା ଅବଲମ୍ବନ କରିବା ଓ ମାସ୍କ ପିନ୍ଧିବା ପାଇଁ ସରକାର ଲଗାତାର ନିବେଦନ କରୁଛନ୍ତି।

ସମ୍ବନ୍ଧିତ ଖବର