ଘରୋଇ ହିଂସା ପାଇଁ ମହିଳା ରାଜି ! ସ୍ଵାମୀଙ୍କଠାରୁ ମାଡ଼ ଖାଇବା ‘ଠିକ’ ବୋଲି କହୁଛନ୍ତି ସ୍ତ୍ରୀ

ନୂଆଦିଲ୍ଲୀ: ମହିଳାମାନଙ୍କୁ ସଶକ୍ତ କରିବାକୁ ଓ ସେମାନଙ୍କର ଅଧିକାର ବିଷୟରେ ଆଲୋଚନା ହେଉଛି | ଅନ୍ୟପକ୍ଷରେ ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ(ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେ)ରେ ଘରୋଇ ହିଂସାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଏହି ସର୍ବେକ୍ଷଣ ଅନୁଯାୟୀ, ତେଲେଙ୍ଗାନା ଭଳି ରାଜ୍ୟରେ ୮୩.୮ ପ୍ରତିଶତ ମହିଳା କହିଛନ୍ତି ଯେ ସେମାନଙ୍କୁ ସ୍ୱାମୀ ମାଡ଼ ମାରିବା ଏକଦମ ଠିକ୍ | ଏହା ବ୍ୟତୀତ କର୍ଣ୍ଣାଟକର ୮୧.୯ ପ୍ରତିଶତ ପୁରୁଷ ମଧ୍ୟ ସମାନ ମତ ରଖିଛନ୍ତି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ପକ୍ଷରୁ ଜମ୍ମୁକଶ୍ମୀର ସମେତ ୧୮ଟି ରାଜ୍ୟର ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ପାରିବାରିକ ହିଂସାକୁ ନେଇ ମତାମତ ନିଆଯାଇଛି।

ଏହି ରାଜ୍ୟଗୁଡ଼ିକରେ ଆସାମ, ଆନ୍ଧ୍ରପ୍ରଦେଶ, ବିହାର, ଗୋଆ, ଗୁଜୁରାଟ, ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ, ତେଲେଙ୍ଗାନା, ତ୍ରିପୁରା ଏବଂ ପଶ୍ଚିମବଙ୍ଗକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ସର୍ଭେରେ ମହିଳା ଏବଂ ପୁରୁଷଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସମସ୍ତଙ୍କୁ ଏକ ସାଧାରଣ ପ୍ରଶ୍ନ ପଚରାଯାଇଥିଲା ଯେ- ‘ଆପଣଙ୍କ ମତରେ ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ ପିଟିବା ଯଥାର୍ଥ କି?’ ଏହି ସର୍ଭେରେ ବିଭିନ୍ନ ପରିସ୍ଥିତି ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା | ଯେଉଁଥିରେ ଏହା ଲେଖାଥିଲା ଯେ କେତେବେଳେ ଆପଣଙ୍କ ମତରେ ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ ପିଟିବା ଠିକ?

ଯଦି ସେ କିଛି ନ ଜଣାଇ ଘରୁ ବାହାରକୁ ଯାଆନ୍ତି?
ଯଦି ସେ ଘର କିମ୍ବା ପିଲାମାନଙ୍କୁ ଅବହେଳା କରନ୍ତି?
ଯଦି ସେ ତାଙ୍କ ସହିତ ଯୁକ୍ତିତର୍କ କରନ୍ତି?
ଯଦି ସେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରନ୍ତି?
ଯଦି ସେ ସଠିକ୍ ରାନ୍ଧନ୍ତି ନାହିଁ?
ଯଦି ସେ ଅନ୍ୟ କାହା ସହିତ ସଂପର୍କରେ ଅଛନ୍ତି?
ଯଦି ସେ ଶାଶୁ/ଶ୍ଵଶୁରଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରନ୍ତି?

୨୦୧୯ ରୁ ୨୦୨୧ ପର୍ଯ୍ୟନ୍ତ ଏହି ସର୍ଭେ କରାଯାଇଥିଲା, ଯାହାର ଫଳାଫଳ ବୁଧବାର ପ୍ରକାଶ ପାଇଥିଲା | ଆଉ ଏହି ଫଳାଫଳ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ | ଏଥିରେ ତେଲେଙ୍ଗାନାର ସର୍ବାଧିକ ମହିଳା (୮୩.୮ ପ୍ରତିଶତ) ବିଶ୍ୱାସ କରିଥିଲେ ଯେ ସେମାନଙ୍କ ସ୍ୱାମୀ ମାଡ ମାରିବା ଠିକ୍। ଯେତେବେଳେ କି ହିମାଚଳ ପ୍ରଦେଶରେ, ଏହି ପ୍ରଶ୍ନ ଉପରେ ମହିଳାଙ୍କ ସମ୍ମତି କମ୍ ଥିଲା | ଏଠାରେ କେବଳ ୧୪.୮ ପ୍ରତିଶତ ମହିଳା ଘରୋଇ ହିଂସାକୁ ସମର୍ଥନ କରିଛନ୍ତି ।

ସମ୍ବନ୍ଧିତ ଖବର