ବିଦେଶୀ ପାଣ୍ଠି ପାଇଁ ଏନ୍‌ଜିଓ ଦେବେ ‘ଆଧାର’, ୨୦%ରେ ସୀମିତ ରହିବ ପ୍ରଶାସନିକ ଖର୍ଚ୍ଚ

ଲୋକସଭାରେ ଏଫ୍‌ସିଆରଏ ଆଇନ ୨୦୧୦ ସଂଶୋଧନ ବିଲ୍ ଗୃହୀତ

ନୂଆଦିଲ୍ଲୀ: ବିଦେଶୀ ପାଣ୍ଠି ପାଇବା ପାଇଁ ବେସରକାରୀ ସଂଗଠନ (ଏନଜିଓ)ରେ ହେରଫେର କରିବା ଆଉ ସେତେଟା ସହଜ ହେବନାହିଁ। ଏନଜିଓଗୁଡ଼ିକୁ ବିଦେଶୀ ପାଣ୍ଠି ପାଇବାକୁ ହେଲେ ସେମାନଙ୍କ ପରିଚାଳନା କର୍ତ୍ତୃପକ୍ଷଙ୍କୁ ‘ଆଧାର’ ନମ୍ବର ଦେବାକୁ ହେବ। ଏନଜିଓ ପରିଚାଳନା କରୁଥିବା ସବୁ ପଦାଧିକାରୀମାନଙ୍କୁ ସେମାନଙ୍କ ଆଧାର ଦେବାକୁ ହେବ। ସରକାର ଏଥିପାଇଁ ବିଦେଶୀ ଯୋଗଦାନ (ନିୟନ୍ତ୍ରଣ) ଆଇନ ୨୦୧୦ରେ ସଂଶୋଧନ ଆଣିବା ଲାଗି ଆଜି ଲୋକସଭାରେ ବିଲ୍‌ ଆଗତ କରିଥିଲେ। ବିଦେଶୀ ଯୋଗଦାନ (ନିୟନ୍ତ୍ରଣ) ସଂଶୋଧନ ବିଲ୍‌-୨୦୨୦ ମଧ୍ୟ ନିମ୍ନ ସଦନରେ ଆଜି ଗୃହୀତ ହୋଇଯାଇଛି। ଏଥିସହିତ ଏହି ବିଲ୍‌ରେ ଅନ୍ୟ କେତେକ ବ୍ୟବସ୍ଥା ମଧ୍ୟ ରହିଛି। ଏଥିସହିତ ସଂସ୍ଥାକୁ ମିଳିଥିବା ବିଦେଶୀ ପାଣ୍ଠିରୁ ୨୦ ପ୍ରତିଶତରୁ ଅଧିକ ଅର୍ଥ କୌଣସି ପରିସ୍ଥିତିରେ ପ୍ରଶାସନିକ ଖର୍ଚ୍ଚ କାର୍ଯ୍ୟରେ ଲଗାଯାଇ ପାରିବ ନାହିଁ। ଏବେ ଏନଜିଓଗୁଡ଼ିକ ୫୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥକୁ ପ୍ରଶାସନିକ ଖର୍ଚ୍ଚରେ ଲଗାଇ ପାରୁଛନ୍ତି।

ସେହିଭଳି ଏହି ବିଲ୍‌ ସଂଶୋଧନ ହେଲେ କୌଣସି ସରକାରୀ ଚାକିରିଆ ବିଦେଶୀ ପାଣ୍ଠି ଗ୍ରହଣ କରିପାରିବେ ନାହିଁ। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଉକ୍ତ ବିଲ୍‌କୁ ଆଗତ କରିଛନ୍ତି। ବିଲ୍ ଉପରେ ଅନୁଷ୍ଠିତ ବିତର୍କର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଏହି ବିଲ୍ କୌଣସି ‌ଏନଜିଓ ବିରୋଧରେ ନୁହେଁ। ସେହିଭଳି ଏହା କୌଣସି ଧର୍ମ ବିରୋଧରେ ମଧ୍ୟ ନୁହେଁ। ଏହା ବିଦେଶୀ ପାଣ୍ଠିକୁ ମଧ୍ୟ ରୋକିବ ନାହିଁ। ସେହିଭଳି ‌କାହାରିକୁ ଡରାଇବା, ଧମକାଇବା ବା ଦବାଇ ଦେବା ପାଇଁ ମଧ୍ୟ ଏହି ବିଲ୍ ଉଦ୍ଦିଷ୍ଟ ନୁହେଁ। ବିଦେଶରୁ ଆସୁଥିବା ଅର୍ଥ ଯେଭଳି ଜନହିତ କାର୍ଯ୍ୟରେ ଖର୍ଚ୍ଚ ହେବ ତାହାକୁ ନିଶ୍ଚିତ କରିବା ପାଇଁ ଉକ୍ତ ଆଇନରେ ସଂଶୋଧନ ଅଣାଯାଉଛି। ମନ୍ତ୍ରୀ କହିଥିଲେ ବିଦେଶୀ ପାଣ୍ଠିର ଅପବ୍ୟବହାରକୁ ଉକ୍ତ ଆଇନ ରୋକିବାରେ ସହାୟକ ହେବ। ୨୦୧୦ରୁ ୨୦୧୯ ମସିହା ମଧ୍ୟରେ ଦେଶକୁ ବିଦେଶୀ ପାଣ୍ଠି ଆସିବାରେ ୨ ଗୁଣ ବୃଦ୍ଧି ଘଟିଛି। କିନ୍ତୁ ଅନେକ ପ୍ରତିଷ୍ଠାନ ଯେଉଁ ଉଦ୍ଦେଶ୍ୟରେ ବିଦେଶୀ ପାଣ୍ଠି ଆଣୁଛନ୍ତି ସେଥିପାଇଁ ତାହାକୁ ଖର୍ଚ୍ଚ କରୁନାହାନ୍ତି। ଏପରିକି ଯେଉଁ ଉଦ୍ଦେଶ୍ୟରେ ଏନଜିଓ ପଞ୍ଜୀକରଣ ହୋଇଛି ସେଥିଲାଗି ମଧ୍ୟ ସେହି ପାଣ୍ଠି ଖର୍ଚ୍ଚ ହେଉନାହିଁ। ଅନେକ ସଂସ୍ଥା ବିଦେଶୀ ପାଣ୍ଠି ଖର୍ଚ୍ଚ ପରେ ମଧ୍ୟ ଆବଶ୍ୟକ କାଗଜପତ୍ର ଦାଖଲ କରୁନାହାନ୍ତି।

ସମ୍ବନ୍ଧିତ ଖବର