କୂଅ ଖୋଳୁ ଖୋଳୁ ହଜାରରୁ ଊର୍ଧ୍ୱ ଆଧାର କାର୍ଡ ଭର୍ତ୍ତି ବ୍ୟାଗ ମିଳିଲା

ମୁମ୍ବାଇ: ମହାରାଷ୍ଟ୍ରର ୟବତମାଳାରେ କିଛି ଯୁବକ ଅଳିଆ ଆବର୍ଜନା କୂଅ ଭିତରୁ ହଜାର ହଜାର ଅଧାର କାର୍ଡ ପାଇଛନ୍ତି।

ସୂଚନାଯୋଗ୍ୟ, ଗ୍ରୀଷ୍ମ ଋତୁ ଆସିବା ପରେ ୟବତମାଳାରେ ପାଣିକୁ ସ୍ୱଚ୍ଛ କରିବା ଅଭିଯାନ ଆରମ୍ଭ ହୋଇଛି। ଏହି ସମସ୍ୟାକୁ ଧ୍ୟାନରେ ରଖି ଜିଲ୍ଲା ପ୍ରଶାସନ କନ୍‌ଷ୍ଟ୍ରକ୍‌ସନ୍‌ ସାଇଟରେ ପାଣି ବ୍ୟବହାର ଉପରେ ଅଙ୍କୁଶ ଲାଗାଇବା ସହିତ ନଗରପାଳିକା ଅଧିକାରୀ ଓ ଜୀବନ ପ୍ରାଧିକରଣକୁ ଜିଲ୍ଲାର ଗାଁରେ ଥିବା କୂଅକୁ ସଫା କରିବା ପାଇଁ ଆଦେଶ ଦେଇଛନ୍ତି। ପାଣି ସମସ୍ୟାର ସମାଧାନ ପାଇଁ ଜିଲ୍ଲା କଲେକ୍ଟର ରାଜେଶ ଦେଶମୁଖ ତରଫରୁ ଉଠା ଯାଇଥିବା ଏହି ପଦକ୍ଷେପରେ ଅନେକ ଏନ୍‌ଜିଓଙ୍କୁ ମଧ୍ୟ ସ୍ୱାଗତ କରାଯାଇଛି।

ତେବେ ଏହି ଅଭିଯାନ ଜରିଆରେ ଏନ୍‌ଜିଓର କିଛି ଯୁବକ ଆବର୍ଜନା ଭର୍ତ୍ତି କୂଅକୁ ସଫା କରିବା ପାଇଁ ଆଗେଇ ଆସିଥିଲେ। ସଫାସୁତୁରା କାର୍ଯ୍ୟ ଚାଲୁଥିବା ସମୟରେ ସିନ୍ଦେ ନଗର ଅଞ୍ଚଳରେ ସାଇ ମନ୍ଦିର ପରିସରରେ ଥିବା ଏକ କୂଅ ଭିତରେ ଏକ ବଡ଼ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ପାଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ବ୍ୟାଗଟିକୁ କୂଅ ଉପରକୁ ଆଣିବା ପରେ ଏଥିରେ ହଜାରରୁ ଉର୍ଧ୍ୱ ଆଧାର କାର୍ଡ ଥିବା ଜଣାପଡ଼ିଥିଲା। ବ୍ୟାଗ୍‌ଟି ଯେପରି ଉପରକୁ ନଆସେ ସେଥିପାଇଁ ତା’ଭିତରେ ପଥର ବି ଭର୍ତ୍ତି କରାଯାଇଥିଲା।

ପ୍ରକାଶିତ ଖବର ମୁତାବକ, ପ୍ଲାଷ୍ଟିକ୍‌ ବ୍ୟାଗ ଭିତରୁ ମିଳିଥିବା ଆଧାର କାର୍ଡ ଗୁଡ଼ିକ ଖରାପ ହୋଇ ଯାଇଥିଲା। କିନ୍ତୁ କିଛି କିଛି ଆଧାର କାର୍ଡରେ ଲୋକମାନଙ୍କ ନାମ ସ୍ପଷ୍ଟ ଭାବେ ପଢ଼ି ହେଉଥିଲା। ତେବେ ଏହି ଘଟଣାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗେ କରିବା ପରେ ମାମଲାର ଯାଞ୍ଚ ଆଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର