‘ଚିଟ୍‌ ଡିଭାଇସ୍‌’ ଲଗାଇବା ମହଙ୍ଗା ପଡ଼ିଲା; ଜର୍ମାନୀର ଗାଡ଼ି ନିର୍ମାତା କମ୍ପାନି ଭୋକ୍ସଓ୍ଵାଗନ୍‌ ଉପରେ ୫୦୦ କୋଟିର ଜରିମାନା ଲଗାଇଲେ ଏନ୍‌ଜିଟି

ନୂଆଦିଲ୍ଲୀ: ନ୍ୟାସନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଆଜି (ଗୁରୁବାର) ଜର୍ମାନୀର ଗାଡ଼ି ନିର୍ମାତା କମ୍ପାନି ଭୋକ୍ସଓ୍ଵାଗନ୍‌ ଉପରେ ୫୦୦ କୋଟିର ଜରିମାନା ଲଗାଇଛନ୍ତି। ଜର୍ମାନୀର ସଂପୃକ୍ତ ଗାଡ଼ି ନିର୍ମାତା କମ୍ପାନି ତା’ର ଡିଜେଲ ଚାଳିତ ଗାଡ଼ିଗୁଡ଼ିକରେ ‘ଚିଟ୍‌ ଡିଭାଇସ୍‌’ ଲଗାଇ ଭାରତୀୟ ପରିବେଶର ପ୍ରଭୂତ କ୍ଷତି ସାଧନ କରିଥିବା ଦର୍ଶାଇ ଏନ୍‌ଜିଟି ପୂର୍ବରୁ ଭୋକ୍ସଓ୍ଵାଗନ୍‌ କମ୍ପାନି ଉପରେ ୧୭୧.୩୪ କୋଟିର ଜରିମାନା ଲଗାଇଥିଲେ। ତେବେ, ଏନ୍‌ଜିଟି ଆଜି ଏହି ଜରିମାନା ରାଶିକୁ ବଢ଼ାଇ ୫୦୦ କୋଟି କରି ଦେଇଛନ୍ତି। ଏବଂ ଏହି ଜରିମାନା ରାଶିକୁ ଆସନ୍ତା ଦୁଇ ମାସ ମଧ୍ୟରେ ସେଣ୍ଟ୍ରାଲ ପଲ୍ୟୁସନ୍‌ କଣ୍ଟ୍ରୋଲ ବୋର୍ଡଙ୍କ ନିକଟରେ ଜମା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଭାରତରେ ଜର୍ମାନୀ କମ୍ପାନି ଭୋକ୍ସଓ୍ଵାଗନ୍‌ ଦ୍ୱାରା ନିର୍ମିତ ଗାଡ଼ିର ବିକ୍ରୟ ଉପରେ ନିଷେଧାଦେଶ ଜାରି କରିବା ପାଇଁ ଆଗତ ଏକ ମାମଲାର ଶୁଣାଣି କରି ଏନ୍‌ଜିଟି ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜର୍ମାନୀର ସଂପୃକ୍ତ ଗାଡ଼ି ନିର୍ମାତା କମ୍ପାନି ତା’ର ଡିଜେଲ ଚାଳିତ ଗାଡ଼ିଗୁଡ଼ିକରେ ‘ଚିଟ୍‌ ଡିଭାଇସ୍‌’ ଲଗାଇ ଭାରତୀୟ ପରିବେଶର ପ୍ରଭୂତ କ୍ଷତି ସାଧନ କରୁଛି ବୋଲି ପୂର୍ବରୁ ଆଗତ ଏକ ମାମଲାର ବିଚାର କରି ଏନ୍‌ଜିଟି ଗତ ବର୍ଷ ନଭେମ୍ବର ୧୬ ତରିଖରେ ଏକ ଜାରି ଜଣିଆ ଏକ୍ସପର୍ଟ ପ୍ୟାନେଲ ଗଠନ କରିବା ସହ ଏ ଅଭିଯୋଗ ଉପରେ ତଦନ୍ତ କରି ରିପୋର୍ଟ ଦେବାକୁ କହିଥିଲେ। ଏବେ ଏକ୍ସପର୍ଟ ପ୍ୟାନେଲ ପ୍ରଦାନ କରିଥିବା ରିପୋର୍ଟକୁ ଅନୁଶୀଳନ କରିବା ପରେ ଏନ୍‌ଜିଟି ଭୋକ୍ସଓ୍ଵାଗନ୍‌ ଉପରେ ୫୦୦ କୋଟିର ଜରିମାନା କରିଛନ୍ତି।


ତେବେ, ଏସଂପର୍କରେ ଭୋକ୍ସଓ୍ଵାଗନ୍‌ ଗ୍ରୁପ୍‌ର ଭାରତୀୟ ପ୍ରବକ୍ତା କହିଛନ୍ତି ଯେ ଆମେ ଏନ୍‌ଜିଟିଙ୍କ ଏ ନିଷ୍ପତ୍ତି ବିରୋଧରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହେବୁ।

ସମ୍ବନ୍ଧିତ ଖବର