ଏନ୍‌ଜିଟିରେ ମହାନଦୀ ଜଳବିବାଦର ଶୁଣାଣି : ଛତିଶଗଡ଼କୁ ନୋଟିସ୍‌ ଜାରି, ମେ ୧୮ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ : ମହାନଦୀ ଉପର ମୁଣ୍ଡରେ ମନଇଚ୍ଛା ବ୍ୟାରେଜ୍‌ ନିର୍ମାଣ କରୁଥିବା ଛତିଶଗଡ଼କୁ ନ୍ୟାସନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ପକ୍ଷରୁ ଝଟ୍‌କା ଲାଗିଛି। ଏନ୍‌ଜିଟି ବେଞ୍ଚ୍‌ ଏହି ପ୍ରସଙ୍ଗରେ ଛତିଶଗଡ଼ ସରକାରଙ୍କୁ ନୋଟିସ୍‌ ଜାରି କରିଥିବାବେଳେ ଆସନ୍ତା ୧୮ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ କରାଯାଇଛି।

ଆଜି ପ୍ରଥମଥର ପାଇଁ ଓଡ଼ିଶା ସରକାର ଏହି ମାମଲାରେ ସ୍ୱତନ୍ତ୍ର ପିଟିସନ୍‌ ଦାଖଲ କରି ଛତିଶଗଡ଼ ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମହାନଦୀରେ ନିର୍ମାଣ କରାଯାଉଥିବା ପ୍ରକଳ୍ପ କାର୍ଯ୍ୟ ଉପରେ ଏନ୍‌ଜିଟିର କଲିକତା ବେଞ୍ଚ୍‌ ଦ୍ୱାରା ଜୁଲାଇ ୨୬, ୨୦୧୭ ତଥା ଅକ୍ଟୋବର ୨୫, ୨୦୧୭ରେ ଟ୍ରିବ୍ୟୁନାଲ୍‌ର ବିନା ଅନୁମତିରେ ନିର୍ମାଣ ହେବନାହିଁ ବୋଲି ଯେଉଁ ଆଦେଶ ଜାରି କରାଯାଇଥିଲା, ତାହାର ଖୋଲାଖୋଲି ଉଲ୍ଳଙ୍ଘନ କରିଥିବା ଛତିଶଗଡ଼ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ଓଡ଼ିଶା ଦାବି କରିଛି।

ଏଥିରୁ ସ୍ପଷ୍ଟ ହେଉଛି ଯେ ଏହି ପ୍ରକଳ୍ପ ପାଇଁ ଛତିଶଗଡ଼ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟଠାରୁ ୧୪.୯ ୨୦୦୬ ଅନ୍ତର୍ଗତ ବାଧ୍ୟତାମୂଳକ ପରିବେଶ ମଞ୍ଜୁରୀ ନେଇନାହିଁ। ଛତିଶଗଡ଼ ଦ୍ୱାରା ପ୍ରି କ୍ୱାଲିଫିକେସନ୍‌ ଟେଣ୍ଡର ଡକ୍ୟୁମେଣ୍ଟ୍‌ ଜାରି କରାଯିବା ପରେ ଆଉ କେଉଁସବୁ ପଦକ୍ଷେପ ନିଆଯାଇଛି ତାହା ସ୍ପଷ୍ଟ ରୂପେ ଜଣାପଡ଼ିନାହିଁ। ତେବେ ଛତିଶଗଡ଼କୁ ମୋହମେଲା ସିରପୁର ବ୍ୟାରେଜ ନିର୍ମାଣ କାର୍ଯ୍ୟରୁ ବିରତ ରହିବା ନେଇ ଟ୍ରିବ୍ୟୁନାଲ ଆଦେଶ କରନ୍ତୁ ବୋଲି ରାଜ୍ୟ ସରକାରଙ୍କ ଓକିଲ ପ୍ରାର୍ଥନା କରିଥିଲେ। ଯଦି ଏହି ବ୍ୟାରେଜ୍‌ ନିର୍ମାଣ ହୁଏ ତାହାଲେ ଅଣମୌସୁମୀ ସମୟରେ ଜୈବ ବିବିଧତା ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଇବ ତଥା ମହାନଦୀର ତଳମୁଣ୍ଡରେ ପାନୀୟ ଜଳର ସଙ୍କଟ ଉପୁଜିବ ବୋଲି ସେ କହିଥିଲେ। ଅନ୍ୟପକ୍ଷେ ଛତିଶଗଡ଼ ଦ୍ୱାରା ଟ୍ରିବ୍ୟୁନାଲ୍‌ର ଜୁଲାଇ ୨୬, ଓ ଅକ୍ଟୋବର ୧୦, ୨୦୧୭ ଆଦେଶକୁ ଉଲ୍ଲଂଘନ କରାଯାଇଥିବାରୁ ଛତିଶଗଡ଼ ଜଳସମ୍ପଦ ସଚିବଙ୍କ ବିରୋଧରେ ଗ୍ରିନ୍‌ ଟ୍ରିବ୍ୟୁନାଲ ଆଇନ ୨୦୧୦ର ଧାରା ୨୬ ଅଧିନରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ରାଜ୍ୟ ସକରାରଙ୍କ ଓକିଲ ଦାବି କରିଥିଲେ।

ମାମଲାର ଶୁଣାଣି ଏନ୍‌ଜିଟି ପ୍ରିନ୍ସିପାଲ ବେଞ୍ଚ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ବିଚାରପତି ଡକ୍ଟର ଜାଭେଦ ରହିମ ଓ ବିଶେଷଜ୍ଞ ସଦସ୍ୟ ଡକ୍ଟର ସତ୍ୟାଓ୍ଵନ ସିଂହ ଗାର୍ବିଓ୍ଵାଲ୍‌ଙ୍କ ଖଣ୍ଡପୀଠରେ ହୋଇଥିଲା। ରାଜ୍ୟ ସରକାରଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିସନ୍‌କୁ ଗ୍ରହଣ କରି ଦୁଇଜଣିଆ ବେଞ୍ଚ୍‌ ଛତିଶଗଡ଼ ସରକାରଙ୍କୁ ୨ ସପ୍ତାହ ଭିତରେ ଜବାବ୍‌ ଦାଖଲ କରିବାପାଇଁ ନିର୍ଦ୍ଦେଶ ଦେବା ସହ ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୮ ତାରିଖରେ ହେବ ବୋଲି ଧାର୍ଯ୍ୟ କରିଛନ୍ତି।

ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କ ବରିଷ୍ଠ ଓକିଲ ତଥା ଜଣାଶୁଣା ଜଳ ବିଶେଷଜ୍ଞ ମୋହନ କଟାର୍କୀ ଯୁକ୍ତି ବାଢ଼ି କହିଥିଲେ ଯେ ଏନ୍‌ଜିଟିର ବିନା ଅନୁମତିରେ ଛତିଶଗଡ଼ ମହାନଦୀରେ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକ୍ଷମ କରିବ ନାହିଁ ବୋଲି କଲିକତା ଏନ୍‌ଜିଟି ବେଞ୍ଚ୍‌ର ଆଦେଶ ଛତିଶଗଡ଼ ଅନୁପାଳନ କରିନାହିଁ।

ସେହିପରି ମୂଳ ଆବେଦନକାରୀ ସୁଦର୍ଶନ ଦାସ୍‌ଙ୍କ ପକ୍ଷରୁ ଆଜି ବରିଷ୍ଠ ଓକିଲ ରିତବିକ୍‌ ଦତ୍ତ ପକ୍ଷ ଉପସ୍ଥାପନ କରି ଛତିଶଗଡ଼ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

ଅପରପକ୍ଷେ ଛତିଶଗଡ଼ ପକ୍ଷରୁ ରାଜ୍ୟର ଆଡଭୋକେଟ୍‌ ଜେନେରାଲ ଜୁଗଲ କିଶୋର ଗିଲ୍‌ଡା ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ଅଭିଯୋଗକୁ ଖଣ୍ଡନ କରି ଟ୍ରିବ୍ୟୁନାଲ ଆଦେଶ ପାଳନ ହୋଇଥିବା କହିଥିଲେ।

ସମ୍ବନ୍ଧିତ ଖବର