ପ୍ରଦୂଷଣ ପାଇଁ ଦିଲ୍ଲୀ ସରକାରଙ୍କୁ ବର୍ଷିଲେ ଏନ୍‌ଜିଟି :କ’ଣ ପଦକ୍ଷେପ ନେଇଛ ତୁରନ୍ତ ଜଣାଅ

ନୂଆଦିଲ୍ଲୀ: ପ୍ରଦୂଷଣ ସ୍ତର ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି) ଦିଲ୍ଲୀ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଦୂଷଣ ହେତୁ ଦିଲ୍ଲୀରେ ଗତକାଲି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା କ୍ରିକେଟ୍‌ ମ୍ୟାଚ୍‌ ବାରମ୍ବାର ବାଧାପ୍ରାପ୍ତ ହେବାରୁ ଏବଂ ଶ୍ରୀଲଙ୍କା ଦଳ ପ୍ରଦୂଷଣ ନେଇ ଅଭିଯୋଗ କରିବା ପରେ ଆଜି ଏନ୍‌ଜିଟି ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି। ସରକାର ପ୍ରଦୂଷଣ ରୋକିବା ଦିଗରେ କି ପ୍ରକାର ପଦକ୍ଷେପ ନେଇଛନ୍ତି ତାହା ୪୮ ଘଣ୍ଟା ମଧ୍ୟରେ ଜଣାଇବାକୁ ଏନ୍‌ଜିଟି ନିର୍ଦ୍ଦେଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଗତ ୨୮ ତାରିଖରେ ଦିଲ୍ଲୀର ଆପ୍‌ ସରକାର ସମେତ ଉତ୍ତରପ୍ରଦେଶ, ରାଜସ୍ଥାନ, ହରିଆଣା ଏବଂ ପଞ୍ଜାବ ସରକାରଙ୍କୁ ପ୍ରଦୂଷଣ ରୋକିବା ଦିଗରେ ଯୋଜନା ପ୍ରସ୍ତୁତ କରିବାକୁ ଏନ୍‌ଜିଟି କହିଥିଲେ। ଶୁଣାଣି ସମୟରେ ଆଜି ଦିଲ୍ଲୀ ସରକାର ରିପୋର୍ଟ ଦାଖଲ ପାଇଁ ଅଧିକ ସମୟ ଲୋଡ଼ିଥିବା ବେଳେ ଏନଜିଟି ଅଧ୍ୟକ୍ଷ ସ୍ୱତନ୍ତ୍ର କୁମାରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ମାତ୍ର ୪୮ ଘଣ୍ଟାର ମହଲତ ଦେଇଛନ୍ତି। ଅନ୍ୟପକ୍ଷରେ ନିକଟରେ ପରିବେଶ ସଚିବ ଏବଂ ମୁଖ ସଚିବଙ୍କ ନିଯୁକ୍ତିରେ ପରିବର୍ତ୍ତନ ହୋଇଥିବାରୁ ଦିଲ୍ଲୀ ସରକାର ରିପୋର୍ଟ ଦାଖଲ କରିବାରେ ବିଳମ୍ବ ହେଉଛି ବୋଲି ସଫେଇ ଦେଇଛନ୍ତି। ସହରରେ ଯୁଗ୍ମ ଅଯୁଗ୍ମ ଫର୍ମୁଲା ଆରମ୍ଭ କରିନଥିବାରୁ ମଧ୍ୟ ଏନଜିଟି ଆପ୍‌ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି।

ସମ୍ବନ୍ଧିତ ଖବର