ବାୟୁ ପ୍ରଦୂଷଣ ନେଇ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଲେ ଏନ୍‌ଜିଟି : ଶିଶୁମାନଙ୍କୁ ଏକ ସଂକ୍ରମିତ ଫୁସ୍‌ଫୁସ୍‌ ଉପହାର ଦିଅନାହିଁ

ନୂଆଦିଲ୍ଲୀ: ସଂପ୍ରତି ଦେଶର ରାଜଧାନୀ ନୂଆଦିଲ୍ଲୀରେ ସୃଷ୍ଟି ହୋଇଥିବା ଭୟଙ୍କର ବାୟୁ ପ୍ରଦୂଷଣ ଘଟଣାରେ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ଘୋର ଉଦ୍‌ବେଗ ପ୍ରକାଶ କରିବା ସହ ଏଥିନେଇ ଆଜି ଦିଲ୍ଲୀ ସରକାରଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ଏଥିସହ ପ୍ରଦୂଷିତ ପରିବେଶକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ନିଆ ଯାଇଥିବା ପଦକ୍ଷେପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏନ୍‌ଜିଟି। ‘ଶିଶୁମାନଙ୍କୁ ଏକ ସଂକ୍ରମିତ ଫୁସ୍‌ଫୁସ୍‌ ଉପହାର ଦିଅନାହିଁ’ ବୋଲି କହିବା ସହ; ଅବସ୍ଥା ଆଉ ସଙ୍ଗୀନ୍‌ ହେବା ପୂର୍ବରୁ ଆଉ ଅଧିକ ବିଳମ୍ବ ନକରି ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜରୁରୀକାଳୀନ ଭିତ୍ତିରେ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ଦିଲ୍ଲୀର କେଜ୍ରିଓ୍ଵାଲ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନ୍‌ଜିଟି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଦିଲ୍ଲୀରେ ଗତପ୍ରାୟ ଏକମାସ ଧରି ବାୟୁ ପ୍ରଦୂଷଣ ଜନିତ ସମସ୍ୟା ଲାଗି ରହିଛି। ଦିଲ୍ଲୀର ବାୟୁମଣ୍ଡଳ ଏବେ ଏତେ ମାତ୍ରାରେ ପ୍ରଦୂଷିତ ହୋଇପଡ଼ିଛି ଯେ ଲୋକେ ନିଃଶ୍ୱାସପ୍ରଶ୍ୱାସ ନେବା ମଧ୍ୟ ସମ୍ଭବପର ହେଉନାହିଁ। ମୁହଁରେ ମାସ୍କ ନ ବାନ୍ଧିଲେ ଘରୁ ପଦାକୁ ବାହାରିବା ଏକରକମ ଅସମ୍ଭବ ହୋଇ ପଡ଼ିଛି। ଏହି, କାରଣ ଯୋଗୁଁ ଦିଲ୍ଲୀର ସମସ୍ତ ବିଦ୍ୟାଳୟଗୁଡ଼ିକୁ ଏକ ସପ୍ତାହ ପାଇଁ ବନ୍ଦ କରି ଦିଆଯାଇଥିଲା। ତେବେ, ପରିସ୍ଥିତିରେ ସୁଧାର ଆସିବା ପରିବର୍ତ୍ତେ ଏହା ଅଧିକରୁ ଅଧିକ ବିଗିଡ଼ିବାରେ ଲାଗିଛି।

ଅନ୍ୟପକ୍ଷରେ, ପରିସ୍ଥିତ ନିୟନ୍ତ୍ରଣକୁ ଆଣିବା ପାଇଁ ଦିଲ୍ଲୀର ଅରବିନ୍ଦ କେଜ୍ରିଓ୍ଵାଲ ସରକାର ଏଦିଗରେ କୌଣସି ଦୃଢ଼ ଓ  ଫଳପ୍ରଦ ପଦକ୍ଷେପ  ନେବା ପରିବର୍ତ୍ତେ କେବଳ ଦିଲ୍ଲୀ ରାଜରାସ୍ତାରେ ଯୁଗ୍ମ ଅଯୁଗ୍ମ ଗାଡ଼ିର ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ତେବେ, ପରବର୍ତ୍ତୀ ସମୟରେ ଆଜି ଏହି ଯୁଗ୍ମ ଅଯୁଗ୍ମ ପ୍ରତିବନ୍ଧକରୁ ଦୁଇ ଚକିଆ ଯାନଗୁଡ଼ିକୁ ବାଦ ଦେବା ପାଇଁ ଅନୁରୋଧ କରି ଦିଲ୍ଲୀ ସରକାର ଆଗତ କରିଥିବା ଏକ ସତ୍ୟପାଠର ବିଚାର କରିବା ଅବସରରେ ଏନ୍‌ଜିଟି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର