ସୁପ୍ରିମ କୋର୍ଟରେ ଏନ୍‌ଏଚ୍‌ଆର୍‌ସିର ଆବେଦନ : କ୍ଲେମ୍‌ କମିସନ୍‌ଙ୍କ ଜରିଆରେ ଶ୍ରମିକଙ୍କୁ ବେତନ ଦିଅ

ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ଏନ୍‌ଏଚ୍‌ଆର୍‌ସିର ପ୍ରଶଂସା

ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକମାନଙ୍କର ଦୁର୍ଦ୍ଦଶା ମାମଲାକୁ ସୁପ୍ରିମକୋର୍ଟ ସଜ୍ଞାନକୁ ନେବା ପରେ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆରସି) ମଧ୍ୟ ଏ ଦିଗରେ ତତ୍ପରତା ପ୍ରକାଶ କରିଛି। ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ମାମଲାରେ ଏନ୍‌ଏଚ୍‌ଆର୍‌ସି କହିଛି ପ୍ରବାସୀ ଶ୍ରମିକମାନଙ୍କୁ ଚାକିରିରୁ ବାହାର କରିଦେଇଥିବା ନିଯୁକ୍ତି ଦାତାମାନଙ୍କଠାରୁ ଅର୍ଥ ଆଦାୟ କରାଯିବ। କେନ୍ଦ୍ର ସରକାରଙ୍କ ନୋଟିସ୍‌ ସତ୍ତ୍ବେ ଯେଉଁ କାରଖାନାଗୁଡ଼ିକ ଶ୍ରମିକମାନଙ୍କୁ ବେତନ ଦେଇନାହାନ୍ତି ସେଠାରେ କ୍ଲେମ କମିସନରଙ୍କ ଜରିଆରେ ଦରମା ଉପଲବ୍ଧ କରାଯିବ। ଆସନ୍ତା ମଙ୍ଗଳବାର ଦିନ ସୁପ୍ରିମକୋର୍ଟରେ ବିଚାରପତି ଅଶୋକ ଭୂଷଣ, ଏନ୍‌.କେ. କୌଲ ଓ ଏମ୍‌.ଆର୍‌. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ରାୟ ପ୍ରକାଶ କରିବା ବେଳେ ଏନ୍‌ଏଚଆରସିର ପରାମର୍ଶଗୁଡ଼ିକ ବିଚାରକୁ ନେବା ସମ୍ଭାବନା ରହିଛି।

ଏନ୍‌ଏଚ୍‌ଆର୍‌ସି ଦ୍ବାରା ସୁପ୍ରିମ କୋର୍ଟରେ ଦାଖଲ କରାଯାଇଥିବା ମାମଲାରେ ଇଣ୍ଟରଷ୍ଟେଟ୍‌ ମାଇଗ୍ରାଣ୍ଟ୍‌ ୱାର୍କମ୍ୟାନ୍‌ ଆକ୍ଟ ୧୯୭୯ ଅନ୍ତର୍ଗତ ଶ୍ରମିକମାନଙ୍କୁ ଆଶ୍ବସ୍ତି ପ୍ରଦାନ କରାଯିବାକୁ ନେଇ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହି ନିୟମ ଅନୁସାରେ ଶ୍ରମିକମାନଙ୍କୁ ଯାତ୍ରା ଭତ୍ତା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। କେନ୍ଦ୍ର ସରକାରଙ୍କ ଦ୍ବାରା ମାର୍ଚ ୨୯ରେ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ସମସ୍ତ କଳକାରଖାନାର ମାଲିକ ତଥା ନିଯୁକ୍ତି ଦାତାମାନଙ୍କୁ ଲକ୍‌ଡାଉନ୍‌ ସମୟରେ ଶ୍ରମିକମାନଙ୍କୁ ପୂର୍ଣ୍ଣ ବେତନ ଦିଆଯିବ ବୋଲି ନିର୍ଦ୍ଦେଶ ଥିଲା। ହେଲେ କେନ୍ଦ୍ର ସରକାରଙ୍କ ନିୟମକୁ ଉଲ୍ଲଂଘନ କରାଯାଇଛି।

ସୁପ୍ରିମକୋର୍ଟରେ ଦାଖଲ କରଯାଇଥିବା ମାମଲାରେ ଏନ୍‌ଏଚ୍‌ଆର୍‌ସି ପକ୍ଷରୁ ସ୍ବଳ୍ପକାଳୀନ ଓ ଦୀର୍ଘକାଳୀନ ଉପାୟ ସମ୍ବନ୍ଧରେ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାର ପ୍ରବାସୀ ଶ୍ରମିକମାନଙ୍କର ଡାଟା ପ୍ରସ୍ତୁତ କରନ୍ତୁ ବୋଲି ଏନ୍‌ଏଚଆରସି ପରାମର୍ଶ ଦେଇଛି। ଯେଉଁ ରାଜ୍ୟରୁ ପ୍ରବାସୀ ଶ୍ରମିକମାନେ ବାହାରିଛନ୍ତି ଏବଂ ଯେଉଁଠିକୁ ଯିବେ ଦୁଇଟିର ବିବରଣୀ ପ୍ରସ୍ତୁତ କରାଗଲେ ସେମାନଙ୍କର କଲ୍ୟାଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇପାରିବ। ସୁପ୍ରିମକୋର୍ଟରେ ଏନ୍‌ଏଚ୍‌ଆରସି ପକ୍ଷରୁ ଦାଖଲ କରାଯାଇଥିବା ପିଟିସନ୍‌ରେ ଓଡ଼ିଶା ଯେଉଁଭଳି ଭାବେ ପ୍ରବାସୀ ଶ୍ରମିକମାନଙ୍କ ସହାୟତା ପାଇଁ ପଦକ୍ଷେପ ନେଇଛି ତାହାର ଉଦାହାରଣ ଦିଆଯାଇ ଏହାର ଆଧାରରେ ଅନ୍ୟ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ପ୍ରାର୍ଥନା କରାଯାଇଛି। ଓଡ଼ିଶା ସରକାରଙ୍କ ଦ୍ବାରା ସ୍ଥାପନ କରାଯାଇଥିବା ଶ୍ରମିକ ସହାୟତା ହେଲ୍‌ପ୍‌ଲାଇନ୍‌ ଭଳି ସବୁ ରାଜ୍ୟରେ ଏହାର ସ୍ଥାପନା କରାଯାଉ ବୋଲି ଏନ୍‌ଏଚ୍‌ଆର୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର