ମହଙ୍ଗା ପଡ଼ିଲା ନାବାଳିକାଙ୍କୁ ବଳପୂର୍ବକ ଦେବଦାସୀ ସଜାଇବା! ନୋଟିସ ଜାରି କଲେ ମାନବାଧିକାର କମିସନ

ନୂଆଦିଲ୍ଲୀ: ଦୀର୍ଘ ଦିନ ତଳୁ ଦେବଦାସୀ ପ୍ରଥା ଉପରେ ଉଭୟ ସରକାର ଓ ନ୍ୟାୟପାଳିକା ନିଷେଧାଜ୍ଞା ଜାରି କରିଥିଲେ ମଧ୍ୟ ଏବେ ବି ଦେଶର କେତେକ ଅଞ୍ଚଳରେ ଏହି ଅମାନବୀୟ ପ୍ରଥା ବଳବତ୍ତର ରହିଥିବା ଲୋକଲୋଚନକୁ ଆସିଛି। ତେବେ, ଏହି ଘଟଣା ଜଣାପଡ଼ିବା ପରେ ଜାତୀୟ ମାନବାଧିକାର କମିସନ (ଏନ୍‌ଏଚ୍‌ଆର୍‌ସି) ଏଥିରେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ଏଥିସହ ନିଷେଧାଜ୍ଞା ସତ୍ତ୍ୱେ ଏବେ ବି କିପରି ଓ କାହିଁକି ଏହି ଦେବଦାସୀ ପ୍ରଥା ଚାଲିଛି, ସେ ସଂପର୍କରେ କାରଣ ଦର୍ଶାଇବା ପାଇଁ କମିସନ ତାମିଲନାଡ଼ୁ ଓ ଆନ୍ଧ୍ର ସରକାରଙ୍କ ଉପରେ ନୋଟିସ୍‌ ଜାରି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସଦ୍ୟ ସମାପ୍ତ ଶାରଦୀୟ ପୂଜା ଅବକାଶରେ ତାମିଲନାଡ଼ୁ ତିରୁଭାଲ୍ଲର ଜିଲ୍ଲା ଓ ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲାରେ ଥିବା ମାଥାମ୍ମା ମନ୍ଦିରରେ ନାବାଳିକା କନ୍ୟାମାନଙ୍କୁ ବଳପୂର୍ବକ ଦେବଦାସୀ କରି ଦିଆଯାଉଥିବା ସଂପର୍କରେ ଗଣମାଧ୍ୟମ ମାନଙ୍କରେ ଖବର ପ୍ରକାଶ ପାଇଥିଲା। ପରେ ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଜାତୀୟ ମାନବାଧିକାର କମିସନ ସୋମବାର ଏ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରଥାର ଦ୍ୱାହିରେ ଶାରଦୀୟ ପୂଜା ଅବକାଶରେ ନାବାଳିକା କନ୍ୟାମାନଙ୍କୁ ବଧୂ ବେଶରେ ସଜାଯାଇ ପୂଜା କରାଯାଇଥାଏ। ପୂଜା ସରିଗଲା ପରେ ପାଞ୍ଚଜଣ ଯୁବକ ଏହି ନାବାଳିକା ବଧୂମାନେ ପରିଧାନ କରିଥିବା ସମସ୍ତ ବସ୍ତ୍ରକୁ ସର୍ବସମ୍ମୁଖରେ ଖୋଲି ପକାଇ ସେମାନଙ୍କୁ ଉଲଗ୍ନ ପ୍ରାୟ କରି ଦେଇଥାନ୍ତି। ଏହି ଘଟଣା ପରେ ସଂପୃକ୍ତା ନାବାଳିକାମାନଙ୍କୁ ଆଉ ସେମାନଙ୍କ ପରିବାର ଲୋକଙ୍କ ସହ ରହିବା ପାଇଁ କିମ୍ବା ଶିକ୍ଷାଲାଭ କରିବା ପାଇଁ ଅନୁମତି ମିଳି ନଥାଏ। ଫଳରେ ଏହି ନାବାଳିକାମାନେ ବାଧ୍ୟ ହୋଇ ମାଥାମ୍ମା ମନ୍ଦିରରେ ସର୍ବସାଧାରଣ ସଂପତ୍ତି ଭାବେ ପଡ଼ି ରହିନ୍ତି ଓ ଯୌନ ଶୋଷଣର ଶିକାର ହୁଅନ୍ତି।

ସାଧାରଣତଃ ଆର୍ଥିକ ଅନଗ୍ରସର ପରିବାରର କନ୍ୟା ସନ୍ତାନ ଯଦି କୌଣସି ପ୍ରକାର ଗୁରୁତର ବ୍ୟାଧିରେ ପଡ଼ନ୍ତି ତେବେ ସେମାନଙ୍କ ପିତାମାତା ସେମାନଙ୍କୁ ଦେବୀଙ୍କୁ ଅର୍ପଣ କରିଦେଇ ଥାଅନ୍ତି! ଆଉ ଯଦି ସେମାନେ ଭାଗ୍ୟ ବଳରେ ଆରୋଗ୍ୟ ଲାଭ କରନ୍ତି ତେବେ ସେମାନଙ୍କୁ ଦେବଦାସୀ ରୂପେ ସର୍ବସାଧାରଣ ସଂପତ୍ତି ଭାବେ ମନ୍ଦିରରେ ଛାଡ଼ି ଦିଆ ଯାଇଥାଏ।

ତେବେ, ଦେବଦାସୀ ପ୍ରଥାର ବିଲୋପ ସହ ଏହି ପ୍ରଥାର ମଧ୍ୟ ବିଲୋପ ଘଟି ଯାଇଥିବା ବିଶ୍ୱାସ କରାଯାଉଥିଲା। କିନ୍ତୁ ଏବେ ବି ଏହି ଘୃଣ୍ୟ ତଥା ଅମାନବୀୟ ପ୍ରଥା ତାମିଲନାଡ଼ୁ ଓ ଆନ୍ଧ୍ରରେ ଜୀବିତ ରହିଥିବା ଜଣାପଡ଼ିବା ପରେ ଜାତୀୟ ମାନବାଧିକାର କମିସନ ଗଭୀର ଉଦ୍‌ବେଗ ପ୍ରକାଶ କରି ଉଭୟ ରାଜ୍ୟ ସରକାରଙ୍କ ଉପରେ ନୋଟିସ୍‌ ଜାରି କରିବା ସହ ଚାରି ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଥାର ଦ୍ୱାହିରେ ଶାରଦୀୟ ପୂଜା ଅବକାଶରେ ନାବାଳିକା କନ୍ୟାମାନଙ୍କୁ ବଧୂ ବେଶରେ ସଜାଯାଇ ପୂଜା କରାଯାଇଥାଏ। ପୂଜା ସରିଗଲା ପରେ ପାଞ୍ଚଜଣ ଯୁବକ ଏହି ନାବାଳିକା ବଧୂମାନେ ପରିଧାନ କରିଥିବା ସମସ୍ତ ବସ୍ତ୍ରକୁ ସର୍ବସମ୍ମୁଖରେ ଖୋଲି ପକାଇ ସେମାନଙ୍କୁ ଉଲଗ୍ନ ପ୍ରାୟ କରି ଦେଇଥାନ୍ତି। ଏହି ଘଟଣା ପରେ ସଂପୃକ୍ତା ନାବାଳିକାମାନଙ୍କୁ ଆଉ ସେମାନଙ୍କ ପରିବାର ଲୋକଙ୍କ ସହ ରହିବା ପାଇଁ କିମ୍ବା ଶିକ୍ଷାଲାଭ କରିବା ପାଇଁ ଅନୁମତି ମିଳି ନଥାଏ। ଫଳରେ ଏହି ନାବାଳିକାମାନେ ବାଧ୍ୟ ହୋଇ ମାଥାମ୍ମା ମନ୍ଦିରରେ ସର୍ବସାଧାରଣ ସଂପତ୍ତି ଭାବେ ପଡ଼ି ରହିନ୍ତି ଓ ଯୌନ ଶୋଷଣର ଶିକାର ହୁଅନ୍ତି।

ସମ୍ବନ୍ଧିତ ଖବର