ଓଡ଼ିଶା ସରକାରଙ୍କୁ ଏନ୍ଏଚ୍ଆର୍ସିଙ୍କ ନିର୍ଦ୍ଦେଶ : ‘ହଇଜାରେ ମୃତକଙ୍କୁ ୪ ଲକ୍ଷ ଲେଖାଏଁ ଦିଅ’
ନୂଆଦିଲ୍ଲୀ : ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଅଘିରପଡ଼ାରେ ହଇଜା ଯୋଗୁ କେତେଜଣ ଲୋକ ପରିବାର ପ୍ରାଣ ହରାଇଥିଲେ। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବା ଲାଗି ଜାତୀୟ ମାନବିକ ଅଧିକାର କମିସନ (ଏନ୍ଏଚ୍ଆର୍ସି) ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆହୁରି ମଧ୍ୟ ଅନୁକମ୍ପା ରାଶି ପ୍ରଦାନ କରାଯାଇଥିବା ସପ୍ରମାଣ ରିପୋର୍ଟ ଆସନ୍ତା ୧୦ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ କହିଛନ୍ତି।
ସୁପ୍ରିମକୋର୍ଟ ଓକିଲ ତଥା ସାମାଜିକ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏ ନେଇ ଏକ ପିଟିସନ ଦାଖଲ କରିଥିଲେ। ଶ୍ରୀ ତ୍ରିପାଠୀ ପିଟିସନରେ ଦର୍ଶାଇଥିଲେ ଯେ, ସମ୍ପୃକ୍ତ ଗାଁରେ ମୌଳିକ ସୁବିଧା ଅଭାବରୁ ୨୦୧୬ ମସିହା ଜୁଲାଇ ୭ ତାରିଖରେ ୭ ଜଣ ଲୋକ ପ୍ରାଣ ହରାଇଥିଲେ ଓ ୨୬ ଜଣ ଆକ୍ରାନ୍ତ ହୋଇଥିଲେ। ହଇଜା ବ୍ୟାପିବା ସମୟରେ ଆବଶ୍ୟକୀୟ ସୁବିଧାର ଅଭାବ ଥିଲା ଏବଂ ଡାକ୍ତରୀ ସୁବିଧା ଯୋଗାଇବାରେ ବିଳମ୍ବ ହୋଇଥିଲା। ଯେଉଁଥିପାଇଁ ଲୋକମାନେ ପ୍ରାଣ ହରାଇଥିଲେ। ଶ୍ରୀ ତ୍ରିପାଠୀଙ୍କ ପିଟିସନକୁ ଗ୍ରହଣ କରି ଏନ୍ଏଚ୍ଆର୍ସି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।