ଓଡ଼ିଆ ମହିଳାଙ୍କ ମୃତଦେହ ଆବର୍ଜନା ବୁହା ଗାଡ଼ିରେ ନେଇଥିବା ହେତୁ ତାମିଲନାଡୁ ସରକାରଙ୍କୁ ନୋଟିସ କଲେ ଏନ୍‌ଏଚ୍ଆର୍‌ସି

ମୃତ୍ୟୁ ପରର ମାନବିକ ଅଧିକାର ସୁନିଶ୍ଚିତ କରିବାକୁ ଅନୁକମ୍ପା ମୂଳକ ସହାୟତା ରାଶି ନିମନ୍ତେ ସରକାରୀ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମୃତ୍ୟୁ ପରର ମାନବିକ ଅଧିକାର ସୁନିଶ୍ଚିତ କରାଇବାକୁ ଜାତୀୟ ମାନବ ଅଧିକାର କମିସନ୍ ତାମିଲନାଡୁର ମୁଖ୍ୟ ଶାସନ ସଚିବ ଏବଂ ରାମନାଥପୁରମର ଜିଲ୍ଲାପାଳଙ୍କୁ ସପ୍ରମାଣ ରିପୋର୍ଟ ମାଗିଛନ୍ତି।  ରମାମଣି ସ୍ବାଇଁ ନାମ୍ନୀ ଓଡ଼ିଶାର ଜଣେ ମହିଳାଙ୍କର ମୃତ୍ୟୁ ହେବା ପରେ ତାଙ୍କ ଶବକୁ ଆବର୍ଜନା ବୁହା ଟ୍ରକ୍‌ରେ ବୁହାଯାଇଥିବା ଘଟଣାରେ ତାଙ୍କ ପରିବାରର ସଦସ୍ୟଙ୍କୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଥିବାର ପ୍ରମାଣ ସହ ଦୁଇ ପ୍ରଶାସନିକ ଅଧିକାରୀ ଛଅ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରନ୍ତୁ ବୋଲି କମିସନ୍ କହିଛି।

ସୁପ୍ରିମ୍‌ କୋର୍ଟର ଓକିଲ ତଥା ମାନବ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଆବେଦନ ଭିତ୍ତିରେ ‘ଏନ୍ଏଚ୍ଆର୍‌ସି’ ଏହି ରିପୋର୍ଟ ତଲବ କରିଛି। ତ୍ରିପାଠୀ ଅଭିଯୋଗ କରିଥିଲେ ଯେ, ଶବ ବୋହିବାକୁ ଉପଯୁକ୍ତ ଗାଡ଼ି ବ୍ୟବସ୍ଥା ନ କରି ରାମେଶ୍ବରମ୍ ମ୍ୟୁନିସ୍‌ପାଲିଟିର କର୍ମଚାରୀମାନେ ରମାମଣିଙ୍କ ଶବକୁ ଡାକ୍ତରଖାନାରୁ ଆବର୍ଜନା ବୁହା ଟ୍ରକ୍‌ରେ ନେଇଥିଲେ। ଏହା ମୃତ୍ୟୁ ପରେ ମାନବିକ ଅଧିକାରର ଉଲ୍ଲଂଘନ ବୋଲି ସେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ରାମେଶ୍ବରମ୍ ଟାଉନ୍ ଥାନାରେ ଅପରାଧିକ ମାମଲା ରୁଜୁ କରାଯାଇଥିଲା। ସେ ସମୟରେ ଶବ ନେବା ପାଇଁ ଗାଡ଼ି ମିଳି ନ ଥିଲା ଓ ଜରୁରୀ ପରିସ୍ଥିତିକୁ ବିଚାର କରି ଟ୍ରକ୍‌ରେ ଶବ ନିଆଯାଇଥିବା କଥା ସମ୍ପୃକ୍ତ ସରକାରୀ କର୍ତ୍ତୃପକ୍ଷ କହିଥିଲେ। ଏଥିପାଇଁ ମୃତା ସରସ୍ବତୀଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ, ଏ ପର୍ଯ୍ୟନ୍ତ ସେ ଅର୍ଥ ମିଳି ନାହିଁ।

ରମାମଣି ହେଉଛନ୍ତି ଓଡ଼ିଶା ଅଧିବାସୀ ମୀନକେତନ ସ୍ବାଇଁଙ୍କ ପତ୍ନୀ ଏବଂ ୨୦୧୮ ମସିହା ଫେବ୍ରୁଆରି ୧୫ ତାରିଖ ସକାଳ ପ୍ରାୟ ୭. ୪୫ରେ ରାମେଶ୍ବରମର ଅଗ୍ନିତୀର୍ଥମ୍ ପାଖ ଅୟୋତି କୁଟୀର ନିକଟରେ ଦୁର୍ଘଟଣା କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର