ଓଡ଼ିଶା ସମେତ ଦେଶରେ ଥିବା କ୍ବାରେଣ୍ଟିନ୍‌ ସେଣ୍ଟର୍‌ରେ ମାନବିକ ଅଧିକାର ଉଲ୍ଲଂଘନ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ‘ଏନ୍‌ଏଚ୍‌ଆର୍‌ସି’ଙ୍କ ନୋଟିସ

ନୂଆଦିଲ୍ଲୀ: ଓଡ଼ିଶା ସମେତ ସମଗ୍ର ଭାରତରେ ଥିବା କ୍ବାରେଣ୍ଟିନ୍‌ ସେଣ୍ଟର୍‌ମାନଙ୍କରେ ମାନବିକ ଅଧିକାର ଉଲ୍ଲଂଘନ ଏବଂ ଗୁପ୍ତତଥ୍ୟ ପ୍ରଘଟକାରୀଙ୍କୁ ଅମାନୁଷିକ ଆକ୍ରମଣ ଓ ସାମ୍ବାଦିକମାନଙ୍କୁ ହଇରାଣ କରାଯାଉଥିବା ବିଷୟରେ ଜାତୀୟ ମାନବ ଅଧିକାର କମିସନ କେନ୍ଦ୍ର ଗୃହ ସଚିବ ଓ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସଚିବଙ୍କ ନିକଟକୁ ନୋଟିସ୍ ପଠାଇଛନ୍ତି। ଏ ସଂକ୍ରାନ୍ତରେ କି ପଦକ୍ଷେପ ଗ୍ରହଣ କରାଯାଇଛି, ତାହା ଜଣାଇ ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଏନ୍‌ଏଚ୍‌ଆର୍‌ସି ନିର୍ଦେଶ ଦେଇଛନ୍ତି।

Image Courtesy of iPlead Blog

ରାଜ୍ୟ ହସ୍‌ପିଟାଲ୍‌ମାନଙ୍କରେ ‘ମିଥ୍ୟା କରୋନାଭାଇରସ୍ ପଜିଟିଭ୍ ରିପୋର୍ଟ’ ସଂକ୍ରାନ୍ତରେ ଦୁଇ ଜଣ ବ୍ୟକ୍ତି ଆଲୋଚନା କରୁଥିବାର ଅଡିଓ କ୍ଲିପ୍ ଭାଇରାଲ୍ ହେବା ପରେ ଓଡ଼ିଶା ପୁଲିସ ଜଣେ କୋଭିଡ୍‌-୧୯ରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତିଙ୍କ ସମତେ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା କଟକର ଏକ କୋଭିଡ୍ ହସ୍ପିଟାଲ୍‌ରେ ନିକଟରେ ନିଆଁ ଲାଗିଥିଲା। ଏ ଦୁଇଟି ଘଟଣା ସମେତ ଦେଶର ବିଭିନ୍ନ କ୍ବାରେଣ୍ଟିନ୍‌ ସେଣ୍ଟର୍‌ରେ ମୃତ୍ୟୁ, ଆହତ, ଯୌନ ନିର୍ଯାତନ, ସର୍ପଦଂଶନ, ବିଜୁଳି ଆଘାତ, ଆତ୍ମହତ୍ୟା ଭଳି ବହୁ ଘଟଣାରେ ଏନ୍‌ଏଚ୍‌ଆର୍‌ସିଙ୍କ ହସ୍ତକ୍ଷେପ ଲୋଡ଼ି ନାଗରିକ ଅଧିକାର ଓକିଲ ରାଧାକାନ୍ତ ତ୍ରିପାଠୀ ପିଟିସନ୍ ଦାଏର କରିଥିଲେ।

ଏହାଛଡ଼ା, କୋଭିଡ୍-୧୯ ରାପିଡ୍ ଟେଷ୍ଟ୍‌ କିଟ୍‌ କିଣା ଦୁର୍ନୀତି ଭଳି କଥାକୁ ପ୍ରଘଟ କରିଥିବା ସୂଚନା ଦାତା ଓ ସାମ୍ବାଦିକମାନଙ୍କୁ ଆକ୍ରମଣ ଓ ହଇରାଣ କରାଯିବା ପ୍ରସଙ୍ଗ ମଧ୍ୟ ଏହି ପିଟିସନ୍‌ରେ ଉଲ୍ଲେଖ କରାଯାଇଥିଲା।

 

ସମ୍ବନ୍ଧିତ ଖବର