ନୂଆଦିଲ୍ଲୀ : ସାତ ବର୍ଷର ଓଡ଼ିଆ ଶିଶୁ ଅବିନାଶ ରାଉତଙ୍କ ଡେଙ୍ଗୁ ମୃତ୍ୟୁ ମାମଲାରେ ଜାତୀୟ ମାନବ ଅଧିକାର କମିସନ୍ଙ୍କ ଦ୍ବାରା ଏକାଧିକ ନିର୍ଦ୍ଦେଶ ଜାରି ହୋଇଛି। ସେପ୍ଟେମ୍ବର ୮, ୨୦୧୫ରେ ଅବିନାଶ ରାଉତଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଚିକିତ୍ସାରେ ଅବହେଳା ତଥା ସ୍ବାସ୍ଥ୍ୟ ସୁବିଧା ଯୋଗାଇ ନଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଅବିନାଶଙ୍କ ମୃତ୍ୟୁର ୨୪ ଘଣ୍ଟା ନପୂରୁଣୁ ତାଙ୍କ ବାପା ଲକ୍ଷ୍ମଣ ରାଉତ ଓ ମା’ ବବିତା ରାଉତ ପୁଅର ମୃତ୍ୟୁରେ ମ୍ରିୟମାଣ ହୋଇ କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ସେମାନଙ୍କ ଆତ୍ମହତ୍ୟାର କାରଣ ପୁଅ ଅବିନାଶର ଡେଙ୍ଗୁ ରୋଗ ଚିକିତ୍ସାେର ଅବହେଳା ବୋଲି ଆତ୍ମହତ୍ୟା ନୋଟ୍ରେ ଦର୍ଶାଯାଇଥିଲା। ଏହି ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା ଏବଂ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ଓ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଥିଲା। ତେବେ ଏହି ମାମଲାରେ ମୃତକ ଲକ୍ଷ୍ମଣ ରାଉତଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ କାହିଁକି ଉପଯୁକ୍ତ କ୍ଷତିପୂରଣ ଦିଆଯାଇ ପାରିବ ନାହିଁ ବୋଲି ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଏନ୍ଏଚଆରସି। ଆଠ ସପ୍ତାହ ଭିତରେ ଏବାବଦ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନଏଚଆର୍ସିଙ୍କ ଦ୍ବାରା ଦିଲ୍ଲୀ ପୁଲିସ କମିସନରଙ୍କୁ ଅବିନାଶ ରାଉତ ମୃତ୍ୟୁରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏତତ୍ ବ୍ୟତୀତ ଏନଏଚଆରସି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ମୃତକ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଅବିନାଶ ରାଉତ ଡେଙ୍ଗୁ ମୃତ୍ୟୁ ମାମଲା : ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ନୋଟିସ୍
/sambad/media/post_attachments/wp-content/uploads/2019/05/chief-sectretary.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)