‘ପଶ୍ଚିମବଙ୍ଗରେ ଆଇନର ଶାସନ ନାହିଁ’ : ହିଂସାକୁ ନେଇ ଜାତୀୟ ମାନବାଧିକାର ଆୟୋଗଙ୍କ କଡ଼ା ମନ୍ତବ୍ୟ

କୋଲକାତା :  ପଶ୍ଚିମବଙ୍ଗରେ ହୋଇଥିବା ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ମମତା ବାନାର୍ଜୀ ସରକାରଙ୍କ ଉପରେ ବର୍ଷିଛନ୍ତି ଜାତୀୟ ମାନବାଧିକାର ଆୟୋଗ । ପଶ୍ଚିମ ବଙ୍ଗରେ ‘ଆଇନର ଶାସନ’ ଚାଲିନାହିଁ ବରଂ ‘ଶାସକଙ୍କ ଶାସନ’ ଚାଲିଛି ବୋଲି ଆୟୋଗ ମନ୍ତବ୍ୟ ଦେଇଛନ୍ତି । ଏହା ସହିତ ଏହି ହିଂସାର ସିବିଆଇ ତଦନ୍ତ ପାଇଁ ଆୟୋଗ ସୁପାରିଶ କରିଛନ୍ତି ।

କାଲକାଟା ହାଇକୋର୍ଟରେ ଦାଖଲ ନିଜର ୫୦ ପୃଷ୍ଠାର ତଦନ୍ତ ରିପୋର୍ଟରେ ଆୟୋଗ କହିଛନ୍ତି ଯେ ଏହି ହିଂସା ପଛରେ ଶାସକ ଦଳର ଭୂମିକା ସଂଦେହ ପରିସରକୁ ଆସୁଛି । ଯେଉଁମାନେ ଶାସନ ଦଳକୁ ଭୋଟ ଦେଇନାହାନ୍ତି ସେମାନଙ୍କ ଉପରେ ପ୍ରତିଶୋଧ ନେବାକୁ ହିଂସା କରାଯାଉଛି । ଯେଉଁମାନେ ବିରୋଧୀ ଦଳକୁ ଭୋଟ ଦେଇଥିଲେ ସେମାନଙ୍କୁ ଲଣ୍ଡା କରି ସର୍ବସାଧାରଣରେ ଅପମାନିତ କରାଯାଇଥିଲା ଓ କ୍ଷମା ମାଗିବାକୁ ବାଧ୍ୟ କରାଯାଇଥିଲା । ଏପରିକି ରାଜ୍ୟ ପୁଲିସ ମଧ୍ୟ ନିରପେକ୍ଷ ରହିନଥିଲା ଓ ପୀଡିତମାନଙ୍କୁ ସୁରକ୍ଷା ଦେଇନଥିଲା ।

ଏହି ହିଂସାର ସିବିଆଇ ତଦନ୍ତ ପାଇଁ ଆୟୋଗ ସୁପାରିଶ କରିବା ସହ ପଶ୍ଚିମବଙ୍ଗ ବାହାରେ ଏହାର ବିଚାର କରାଯିବା ଆବଶ୍ୟକ ।

ଅନ୍ୟପକ୍ଷରେ ଆୟୋଗର ଏହି ରିପୋର୍ଟକୁ ପକ୍ଷପାତପୂର୍ଣ୍ଣ ଓ ରାଜନୈତିକ ପ୍ରତିଶୋଧପରାୟଣତା ବୋଲି କହିଛନ୍ତି ମମତା ବାନାର୍ଜୀ ।

 

ସମ୍ବନ୍ଧିତ ଖବର