ନୂଆଦିଲ୍ଲୀ : ନାଗାଲାଣ୍ଡରେ ସେନାର ଗୁଳିମାଡ଼ରେ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ଘଟଣାରେ ଏନ୍‌ଏଚଆରସି (ଜାତୀୟ ମାନବ ଅଧିକାର କମିସନ୍‌) କେନ୍ଦ୍ର ଏବଂ ନାଗାଲାଣ୍ଡ ସରକାରଙ୍କୁ ଏକ ନୋଟିସ୍‌ କରିଛନ୍ତି। ଏନ୍‌ଏଚ୍‌ଆରସି ଉକ୍ତ ଘଟଣାରେ ନିଜ ଆଡ଼ୁ ହ‌ସ୍ତକ୍ଷେପ କରିବା ସହ ଘଟଣାରେ କେନ୍ଦ୍ର ଏବଂ ରାଜ୍ୟଠାରୁ ୬ ସପ୍ତାହ ମଧ୍ୟରେ ବିସ୍ତୃତ ରିପୋର୍ଟ ମାଗିଛନ୍ତି ବୋଲି ଏକ ପ୍ରେସ୍‌ ବିବୃତି ଜାରି କରି କହିଛନ୍ତି। କେନ୍ଦ୍ର ପ୍ରତିରକ୍ଷା ସଚିବ ଏବଂ କେନ୍ଦ୍ର ଗୃହ ସଚିବ ଏବଂ ନାଗାଲାଣ୍ଡ ସରକାରରେ ମୁଖ୍ୟ ସଚିବ ଏବଂ ରାଜ୍ୟ ପୁଲିସ ମୁଖ୍ୟଙ୍କୁ ଏନ୍‌ଏଚଆରସି ଏହି ନୋଟିସ କରିଛି। ଅନ୍ୟପକ୍ଷେ ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣାର ତଦନ୍ତ ପାଇଁ କଂଗ୍ରେସ ଏକ ୪ ଜଣିଆ କମିଟି ଗଠନ କରିଛି। ଏହି କମିଟି ନାଗାଲାଣ୍ଡ ଗସ୍ତ କରିବା ସହ ଘଟଣାର ତଦନ୍ତ କରିବେ ଏବଂ ୭ ଦିନ ମଧ୍ୟରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ। କମିଟିରେ ଥିବା ସଦସ୍ୟମାନେ ହେଉଛନ୍ତି ଏଆଇସିସି ସାଧାରଣ ସଚିବ ଜିତେନ୍ଦ୍ର ସିଂହ, ଏଆଇସିସି ନାଗାଲାଣ୍ଡ ପ୍ରଭାରୀ ଅଜୟ କୁମାର, ଦଳର ସାଂସଦ ଗୌରବ ଗୋଗଇ ଏବଂ ଆଣ୍ଟୋ ଆଣ୍ଟୋନି।