ଢେଙ୍କାନାଳ ଆଦିବାସୀ ମୌଳିକ ସୁବିଧାରୁ ବଞ୍ଚିତ, ରାଜ୍ୟକୁ ରିପୋର୍ଟ ମାଗିଲେ ଏନ୍‌ଏଚ୍‌ଆରସି

ନୂଆଦିଲ୍ଲୀ : ଢେଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଜୁସାହି, ବାଣସାହି ଓ ମାଝିମାହି ଗାଁଗୁଡ଼ିକରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଲୋକମାନେ ମୌଳିକ ସୁବିଧାସୁଯୋଗରୁ ବଞ୍ଚିତ ହେଉଥିବା ଅଭିଯୋଗ ଦର୍ଶାଇ ସୁପ୍ରିମକୋର୍ଟ ଓକିଲ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏନ୍‌ଏଚ୍‌ଆର୍‌ସିରେ ପିଟିସନ୍‌ ଦାଖଲ କରିଥିଲେ। ରମାକାନ୍ତଙ୍କ ପିଟିସନ୍‌ ଆଧାରରେ ଏନ୍‌ଏଚ୍‌ଆରସି ରାଜ୍ୟ ଶାସନ ସଚିବଙ୍କଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି। ଚାରି ସପ୍ତାହ ଭିତରେ ରାଜ୍ୟ ଶାସନ ସଚିବଙ୍କୁ ଏହି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀ ତ୍ରିପାଠୀଙ୍କ ଅଭିଯୋଗ ଅନୁଯାୟୀ କାଜୁସାହି ଗାଁର ଏକମାତ୍ର ନଳକୂପ ଅକାମୀ ହୋଇପଡ଼ିଥିବାରୁ ଲୋକମାନଙ୍କୁ ଉତ୍କଟ ଜଳ ସମସ୍ୟାର ସମ୍ମୁଖୀନ ହେବା ସହ ଜଳସଂଗ୍ରହ ପାଇଁ ବହୁ ଦୂରକୁ ଯିବାକୁ ପଡୁଛି। ଗାଁର ଲୋକମାନଙ୍କୁ ପିଇବା ପାଣିର ବ୍ୟବସ୍ଥା, ଗୋଷ୍ଠୀ ଶୌଚାଳୟ ସ୍ଥାପନ, ରାସ୍ତା ତଥା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ସୁବିଧା ମିଳିପାରୁନଥିବାରୁ ଏହା ସେମାନଙ୍କର ମାନବାଧିକାର ଉଲ୍ଲଂଘନ କରୁଛି ବୋଲି ଶ୍ରୀ ତ୍ରିପାଠୀ ପିଟିସନ୍‌ରେ ଦର୍ଶାଇଛନ୍ତି। ରମା‌କାନ୍ତଙ୍କ ପିଟିସନ୍‌ ଆଧାରରେ ଏନ୍‌ଏଚଆରସି ରାଜ୍ୟ ଶାସନ ସଚିବଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି।

ସମ୍ବନ୍ଧିତ ଖବର