୬ ସପ୍ତାହରେ ରିପୋର୍ଟ ଦେବାକୁ ସ୍କୁଲ୍‌ ଓ ଗଣଶିକ୍ଷା ସଚିବଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଗଞ୍ଜାମର ମୃତ ଶିକ୍ଷକଙ୍କ ପରିବାରକୁ ପେନ୍‌ସନ ନମିଳିବା ପ୍ରସଙ୍ଗ

ନୂଆଦିଲ୍ଲୀ : ୩୨ ବର୍ଷ ବିତିଯିବା ସତ୍ତ୍ବେ ମୃତ ଶିକ୍ଷକଙ୍କ ପରିବାରକୁ ସର୍ଭିସ୍‌ ବେନିଫିଟ୍‌ ଓ ଫ୍ୟାମିଲି ପେନ୍‌ସନ ପ୍ରଦାନ କରାଯାଇ ନଥିବାରୁ ତୁରନ୍ତ ପେନ୍‌ସନ ପ୍ରଦାନକୁ ସୁନିଶ୍ଚିତ କରିବା ସହ ୬ ସପ୍ତାହ ଭିତରେ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସ୍କୁଲ୍‌ ଓ ଗଣଶିକ୍ଷା ସଚିବଙ୍କୁ ଜାତୀୟ ମାନବାଧିକାର କମିସନ୍‌ (ଏନ୍‌ଏଚ୍‌ଆର୍‌ସି) ନିର୍ଦ୍ଦେଶ ଦେଇଛନ୍ତି। ୧୯୮୬ ଫେବ୍ରୁଆରି ୨୦ରେ ଗଞ୍ଜାମ ଜିଲ୍ଲାର ହରିଗଡ଼ ଗ୍ରାମପଞ୍ଚାୟତର ବିଲେଇସାହି ୟୁପି ସ୍କୁଲରେ କାର୍ଯ୍ୟ କରୁଥିବା ଶିକ୍ଷକ ରାଧାମୋହନ ମଲ୍ଲିକଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଥିଲା। ନିୟମ ଅନୁସାରେ ମୃତକ ରାଧାମୋହନଙ୍କ ପରିବାରକୁ ସର୍ଭିସ୍‌ ବେନିଫିଟ୍‌ ଓ ଫ୍ୟାମିଲି ପେନ୍‌ସନ ମିଳିବା କଥା। ସରକାରଙ୍କ ପକ୍ଷରୁ ରାଧାମୋହନଙ୍କ ପତ୍ନୀ ପାର୍ବତୀ ମଲ୍ଲିକଙ୍କୁ କୌଣସି ପ୍ରକାର ସୁବିଧା ଦିଆଯାଇ ନାହିଁ। ଏହାକୁ ନେଇ ସୁପ୍ରିମ୍‌ କୋର୍ଟ ଓକିଲ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ପିଟିସନ୍‌ ଦାଖଲ କରିଥିଲେ। ଏହାପରେ ଏନ୍‌ଏଚ୍‌ଆର୍‌ସି ରାଜ୍ୟ ସ୍କୁଲ୍‌ ଓ ଗଣଶିକ୍ଷା ସଚିବ, ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ରିପୋର୍ଟ ତଲବ କରିଥିଲେ। ଏହାପରେ ମୃତକଙ୍କ ପରିବାରକୁ ପେନ୍‌ସନ ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ଜାରି କରିବାକୁ କମିସନ୍‌ଙ୍କ ନିକଟରେ ପ୍ରତିଜବାବ ଦାଖଲ ହୋଇଥିଲା। ପରେ କମିସନ୍‌ ସ୍କୁଲ୍‌ ଓ ଗଣଶିକ୍ଷା ସଚିବଙ୍କୁ ପେନ୍‌ସନ ପ୍ରଦାନକୁ ସୁନିଶ୍ଚିତ କରି ଏହାର ସ୍ଥିତି ସମ୍ପର୍କରେ ୬ ସପ୍ତାହ ଭିତରେ ଅବଗତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର